ଆଠଗଡ଼: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଆଠଗଡ଼ ସାପୁଆ ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଶୁକ୍ରବାର ସନ୍ଧ୍ୟା ସମୟରୁ ଆକସ୍ମିକ ଭାବେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ୧, ୨, ୩, ୧୧, ୧୨, ୧୩ ଏବଂ ୧୭ ନମ୍ବର ୱାର୍ଡ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି ।
ଏହା ସହିତ ଆଠଗଡ଼ ବ୍ଲକର ୧୨ଟି ଗ୍ରାମ ପଞ୍ଚାୟତ- ଇଚ୍ଛାପୁର, ସଠିଲୋ, ସମସରପୁର, ଦୋରଡ, କୁଲାଇଲୋ, ଯୋରନ୍ଦା, ତରଡିଙ୍ଗ, ମହାକାଳବସ୍ତ, ବେଣ୍ଟପଦା, ରାଜନଗର, ମେଘା ଏବଂ କଟକିଆ ସାହିର ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବିପନ୍ନ ହୋଇପଡ଼ିଛନ୍ତି ।
ବନ୍ୟା ଯୋଗୁଁ ଅଞ୍ଚଳର ୧୫୦ ହେକ୍ଟରରୁ ଅଧିକ ଚାଷଜମି ଜଳମଗ୍ନ ହୋଇଛି । ପୁରୁଣା କଟକ-ସମ୍ବଲପୁର ରାସ୍ତାର କଲରାଗଡ ନିକଟରେ ରାସ୍ତା ଏବଂ ସାପୁଆ ବ୍ରିଜ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି । ସେହିପରି ସମସରପୁର ପଞ୍ଚାୟତ ନଡୁଆପଡା ସାପୁଆ ବ୍ରିଜ ନିକଟରେ ରାସ୍ତା ବିପଦଜନକ ଭାବେ ଧୋଇଯାଇଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।
ଇଚ୍ଛାପୁର ପଞ୍ଚାୟତର ପତଣ୍ଡା, ଅରଖପାଟଣା, ମୁକ୍ତାଦେଈପୁର, ଗୁଡୁପଡା ଏବଂ ଖୁଣ୍ଟକଟା ପଞ୍ଚାୟତର ରେଗେଡାପଡା, ଜେନାପଦା, ଦେଶ ସମସରପୁର ଓ ଆଙ୍କୁଲା ଆଦି ଗାଁର ଗହୀର ଚାଷଜମି ସହ ବସତି ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିଛି । ସାପୁଆ ନଦୀ ସେତୁ ନିକଟସ୍ଥ ସରକାରୀ କୃଷି ଫାର୍ମଠାରୁ ଆରମ୍ଭ କରି ଲକ୍ଷ୍ମୀ ବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମଧ୍ୟରେ ନଦୀର ଉଭୟ ପାର୍ଶ୍ୱରେ ୬ରୁ ଅଧିକ ଘାଇ ସୃଷ୍ଟି ହୋଇଛି । ଘାଇ ଯୋଗୁଁ ୭ଟି ୱାର୍ଡ ଅନ୍ତର୍ଗତ ତଳସାହି, ଗଦାସାହି, ୪ ନଂ ୱାର୍ଡ ଦଳିତ ବସ୍ତି, ଶବର ସାହି, କନ୍ତୋଲ ସ୍ଥିତ ହରିଶରଣପୁର, ଜଗନ୍ନାଥ ସାହି, କୁମ୍ଭାର ସାହି ଆଦି ଅଞ୍ଚଳରେ ପ୍ରାୟ ୩ ଫୁଟ ଉଚ୍ଚର ବନ୍ୟା ପାଣି ଚାଲୁଥିବାରୁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି ।
ଏହାବାଦ୍ ବେଣ୍ଟପଦା ପଞ୍ଚାୟତ ମାନପୁର ନିକଟରେ ଘାଇ ହେବା ଫଳରେ ବାଲିପଦା, ହଂସ ଭୂଇଁ, ଦହିସରା, ହରିପୁର, ମଞ୍ଜାରୀପଦା, ତଇଲାମାଳ, ରାଜନଗର ଓ ମେଘା ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।
ଆଠଗଡ଼ ଏନଏସି ନିର୍ବାହୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରଶାସନ ପକ୍ଷରୁ ବିପନ୍ନ ଅଞ୍ଚଳର ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସକାଳେ ଶୁଖିଲା ଖାଦ୍ୟ ଏବଂ ଅପରାହ୍ନରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।














