ସିଏମ୍ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ କମିସନ୍ ଫାଇଲ୍ ଗାଏବ ଘଟଣା। କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ବ ନେବା ପରେ ତନାଘନା ଆରମ୍ଭ କରିଛି। କ୍ୟାପିଟାଲ ଥାନାରେ ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଛାନଭିନ୍ କରିଛନ୍ତି। ସେପଟେ ଏହାକୁ ନେଇ ରାଜନୈତିକ ବୟାନବାଜି ତେଜିଛି ।
ହାଇପ୍ରୋଫାଇଲ ମାମଲା, ପ୍ରାୟ ଦେଢ଼ ମାସ ଧରି ଘଣ୍ଟା ଚକଟା ଚାଲିଲା। ହେଲେ କମିସନରେଟ ପୁଲିସ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ କମିସନ୍ ଫାଇଲ୍ ଗାୟବର କାର୍ପଟଦାରମାନଙ୍କୁ ସାମ୍ନାକୁ ଆଣିପାରିଲା ନାହିଁ। କେବଳ ନୋଟିସ ଓ ସମନରେ ଅଟକିଗଲା। ତଦନ୍ତ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ କ୍ରାଇବ୍ରାଞ୍ଚକୁ ଦାୟିତ୍ୱ ଦେବା ପରେ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି । କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ଆଶୁତୋଷ ମିଶ୍ରଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ କ୍ୟାପିଟାଲ ଥାନାରେ ପହଁଞ୍ଚି ଆରମ୍ଭ କରିଛନ୍ତି ତନାଘନା। କମିଶନରେଟ ପୋଲିସ ପୂର୍ବରୁ କରିଥିବା ତଦନ୍ତ ରିପୋର୍ଟ ନିଜ ହେପାଜତକୁ ନେଇଛି। କ୍ୟାପିଟାଲ ଥାନା ପକ୍ଷରୁ ନୋଟିସ ସତ୍ତ୍ୱେ ଯେଉଁ ଯେଉଁ ବାବୁ ହାଜର ହୋଇନଥିଲେ, ସେମାନଙ୍କୁ ପୁଣି ନୋଟିସ କରିପାରେ କ୍ରାଇମବ୍ରାଞ୍ଚ। ସୂଚନା ଅନୁସାରେ ପୂର୍ବରୁ ରାଜେଶ ବର୍ମା ଓ ଉପେନ୍ଦ୍ର ବେହେରା ପୁଲିସକୁ ଚିଠି ଲେଖି ବୟସାଧିକ କାରଣରୁ ହାଜର ନହେବା ପାଇଁ ଅନୁରୋଧ କରିଥିଲେ। ତେଣୁ ତଦନ୍ତକାରୀ ଟିମ ତାଙ୍କ ପାଖକୁ ଯାଇ ତଥ୍ୟ ସଂଗ୍ରହ କରିପାରେ ।
ସିଏମଓରୁ ଫାଇଲ୍ ହଜିବା ଓ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ରାଜନୈତିକ ବୟାନବାଜି ତେଜିଛି । ରାଜସ୍ୱମନ୍ତ୍ରୀ ସୁରଶ ପୂଜାରୀ କହିଛନ୍ତି, ଦସ୍ତଖତ କରି ଫାଇଲ୍ ନେଇଥିବା ଅଧିକାରୀଙ୍କୁ ଚିହ୍ନଟ କରାଗଲାଣି। ଖୁବ୍ଶୀଘ୍ର ଏହାର ପର୍ଦ୍ଦାଫାସ ହେବ। ଦରକାର ହେଲେ ତଦନ୍ତକାରୀ ସଂସ୍ଥା ବିଦେଶକୁ ଯିବ। ସେପଟେ କଂଗ୍ରେସ ଦାବି କରିଛି, ହାଇକୋର୍ଟ ସିଟିଂ ଜଜ୍ଙ୍କ ତତ୍ତ୍ବାବଧାନରେ ତଦନ୍ତ କରାଯାଉ। ଅନ୍ୟପଟେ ବିଜେଡି କହିଛି ତଦନ୍ତ ଆଳରେ ପ୍ରହସନ କରାଯାଉଛି ।
ଗତ ଜୁନ ୧୦ ତାରିଖରେ ସିଏମଓରୁ ଫାଇଲ ହଜିବା ଘଟଣାରେ ଗୃହବିଭାଗ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ହୋଇଥିଲା। ଦେଢ଼ ମାସ ପରେ ବି ଫାଇଲ ଗାୟବ ଘଟଣାର ପର୍ଦ୍ଦାଫାସ ହୋଇପାରିନି। … ଅନ୍ୟପଟେ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିଛି ବିଶ୍ବହିନ୍ଦୁ ପରିଷଦ। ନିଖୋଜ ଥିବା କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ଆହ୍ୱାନ ଦେଇଛି।














