ଲଗାଣ ବର୍ଷାରେ କେନ୍ଦୁଝରରେ ପରିସ୍ଥିତି ଉଦ୍ବେଗଜନକ ହୋଇଛି । କେଉଁଠି ଘରେ ପାଣି ପଶିଲାଣି ତ ଆଉ କେଉଁଠି ବନ୍ୟା ପରିସ୍ଥିତି ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଡାକବଙ୍ଗଳା ନିକଟସ୍ଥ ସମାକୋଇ ନଦୀ ଫୁଲିବା ଯୋଗୁଁ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ସମାକୋଇ ପୋଲ ଉପରେ ୩ ଫୁଟର ପ୍ରଖର ବନ୍ୟା ଜଳ ପ୍ରବାହିତ ହେଉଛି । ଉଭୟ ପାର୍ଶ୍ବରେ ଯାନବାହାନ ଅଟକି ରହିଥିବାରୁ ତେଲକୋଇ-ଭୁବନେଶ୍ବର-କଟକ-ଢେଙ୍କାନାଳ-ତାଳଚେର-କାଳିଆହତା ପ୍ରଭୃତି ଅଞ୍ଚଳ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ସମାକୋଇ ନଦୀର ତଳମୁଣ୍ଡରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଘୁରୁଡିଆ ନାଳ ପୋଲ ଉପରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଛି, ଯାହା ଫଳରେ କରଦାଙ୍ଗି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ରାଇସୁଆଁସ୍ଥିତ ଖଣ୍ଡାଧୋଆ ନାଳ ପୋଲ ଉପରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ଯୋଗୁଁ ପଡ଼ୋଶୀ ଢେଙ୍କାନାଳ ଜିଲ୍ଲା ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଓରିଆବିରିଦା ପଞ୍ଚାୟତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପିଟାନାଳୀ ନାଳ ପୋଲ ଉପରେ ମଧ୍ୟ ପ୍ରଖର ସ୍ରୋତରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ପ୍ରଭାବିତ ହୋଇଛି ।
ଅନ୍ୟପଟେ ଗତକାଲି ସନ୍ଧ୍ୟାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି । ସମାକୋଇ ନଦୀରେ କ୍ରମାଗତ ଭାବେ ବଢ଼ୁଥିବା ଜଳସ୍ତର ଯୋଗୁଁ ଚାଷ ଜମିରେ ବର୍ଷାଜଳ ଜମିବା ସହିତ ଅନେକ ସ୍ଥାନରେ ଘାଇ ସୃଷ୍ଟି କରିଛି । ଏଣୁ ତଳିଆ ଅଞ୍ଚଳ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ବେଳେ ଲୋକମାନଙ୍କୁ ନଦୀ ଓ ଜଳପ୍ରବାହିତ ପୋଲ ନିକଟକୁ ନଯିବା ପାଇଁ ସତର୍କ କରାଯାଇଛି ।














