ତୁହାକୁ ତୁହା ବର୍ଷାରେ ବେହାଲ ହେଉଛି ଓଡ଼ିଶା । ଗୋଟିଏ ଲଘୁଚାପର ପ୍ରଭାବ ସମ୍ପୂର୍ଣ୍ଣ ଦୂର ହୋଇନଥିବା ବେଳେ ପୁଣି ଆସୁଛି ଆଉ ଏକ ଲଘୁଚାପ । ଆଜି ଇସ୍ପାତ ନଗରୀ ରାଉରକେଲା ସମେତ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ସହ ଝଡ଼ପବନ ଦେଖିବାକୁ ମିଳିଛି । ମାତ୍ର ଘଣ୍ଟାଏ ବର୍ଷାରେ ରାଉରକେଲା ସହରର ଅନେକ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି । ରାସ୍ତାଘାଟରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଥିବା ବେଳେ ଅନେକ ତଳିଆ ଅଞ୍ଚଳର ଘରେ ମଧ୍ୟ ବର୍ଷାଜଳ ପଶିଛି । ଇନ୍ଦିରା କଲୋନୀ, ଗୁରୁଦ୍ୱାରା ରୋଡ୍, ବାଲୁଘାଟ ଓ ପାନପୋଷ ଅଞ୍ଚଳରେ ସ୍ଥିତି ଗମ୍ଭୀର ହୋଇଛି । ଡ୍ରେନ୍ ଓ ରାସ୍ତା ଏକାକାର ହୋଇଯାଇଛି।
ପ୍ରବଳ ବର୍ଷା ଓ ଝଡ଼ପବନ ମଧ୍ୟରେ ରାଉରକେଲା ରେଳ ଷ୍ଟେସନରେ ଅଘଟଣ ଘଟିଛି । ଷ୍ଟେସନରେ ନିର୍ମାଣାଧୀନ ଏକ ସେଡ୍ ଭାଙ୍ଗି ପଡ଼ିବାରୁ ୪ ଜଣ ଆହତ ହୋଇଛନ୍ତି । ଘଟଣା ପରେ ଉଦ୍ଧାରକାରୀ ଦଳ ଓ ସମ୍ପୃକ୍ତ ଅଧିକାରୀମାନେ ତତ୍ପର ହୋଇଛନ୍ତି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ିଛି ବ୍ରାହ୍ମଣୀ ନଦୀର ଜଳସ୍ତର । ଜଳପ୍ରବାହ ବଢ଼ିବା ପରେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ରେଙ୍ଗାଳି ଡ୍ୟାମର ଗେଟ୍ ଖୋଲାଯାଇଛି। ଡ୍ୟାମର ୮ ନମ୍ବର ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡରେ ପ୍ରାୟ ୨ ହଜାର ଘନମିଟର ଜଳ ନିଷ୍କାସିତ ହେଉଛି । ଏହାକୁ ନେଇ ତଳମୁଣ୍ଡରେ ଥିବା ଲୋକଙ୍କୁ ସତର୍କ କରାଯାଇଛି ।
ଅନ୍ୟପଟେ ବୈତରଣୀ, ସାଳନ୍ଦୀ, ଜଳକା ଓ କାଣୀ ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି । ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାର ଯେଉଁ ଅଞ୍ଚଳରେ ବନ୍ୟାଜଳ ପଶିଥିଲା, ସେଠାରୁ ମଧ୍ୟ ପାଣି ଧୀରେ ଧୀରେ ଛାଡ଼ୁଛି । ତେବେ ବନ୍ୟା ପାଣି ଛାଡ଼ିଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା ଏବେ ସୁଦ୍ଧା ଦୂର ହୋଇନାହିଁ। ଅନେକ ସ୍ଥାନରେ ରାସ୍ତାଘାଟ, ଚାଷଜମି ଓ ତଳିଆ ଅଞ୍ଚଳରେ ପାଣି ଜମି ରହିଛି ।
ବନ୍ୟା ପରିସ୍ଥିତିରୁ ରାଜ୍ୟ ସମ୍ପୂର୍ଣ୍ଣ ମୁକୁଳିନଥିବା ବେଳେ ପୁଣି ଲଘୁଚାପ ଆଶଙ୍କା ଚିନ୍ତା ବଢ଼ାଇଛି । ପାଣିପାଗ ବିଭାଗ ଅନୁସାରେ, ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆସନ୍ତା ୧୨ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେଇପାରେ । ଲଘୁଚାପ ସୃଷ୍ଟି ହେଲେ ୧୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ । ବିଶେଷକରି ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି ।














