ଭୁବନେଶ୍ୱର: ଅବପାତ ଜନିତ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶା ପାଇଁ ବଢ଼ିଲା ବିପଦ। ଅଧିକାଂଶ ଜିଲ୍ଲାରେ ଜଳବନ୍ଦୀ ସମସ୍ୟା ଲାଗି ରହିବାର ଆଶଙ୍କା ରହିଛି। ଉପରମୁଣ୍ଡରେ ଅଧିକ ବର୍ଷା ହୋଇଥିବାରୁ ଜଳକା, ସାଳନ୍ଦୀ ଓ ବୈତରଣୀ ନଦୀ ଉପରେ ନଜର ରଖିବାକୁ ପଡ଼ିବ। ଅନେକ ସ୍ଥାନରେ ଠିକ୍ ଭାବେ ଜଳ ନିଷ୍କାସନ ହୋଇପାରିନଥିବାରୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି। ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ।
ତେବେ ବର୍ତ୍ତମାନ ସ୍ଥିତିରେ ବଡ଼ ଧରଣର ବନ୍ୟା ଆଶଙ୍କା ନଥିବା ସେ କହିଛନ୍ତି। ବିଶେଷକରି ଜଳକା, ସାଳନ୍ଦୀ ଓ ବୈତରଣୀ ନଦୀରେ ଜଳସ୍ତର ବଢ଼ିଲେ ମଧ୍ୟ ଜଳବନ୍ଦୀ ସମସ୍ୟା ଅଧିକ ଚିନ୍ତାର କାରଣ ହୋଇପାରେ।
ବର୍ଷା ଯୋଗୁଁ ତିହିଡ଼ି, ଚାନ୍ଦବାଲି, ବାଲେଶ୍ୱର ସଦର, ବସ୍ତା ଓ ଦଶରଥପୁର ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଲାଗି ରହିବାର ଆଶଙ୍କା ରହିଛି। ଲଘୁଚାପ ପ୍ରଭାବରେ ଏହି ଅଞ୍ଚଳଗୁଡ଼ିକରେ ଅଧିକ ବର୍ଷା ହୋଇଥିବାରୁ ଜଳ ନିଷ୍କାସନରେ ସମସ୍ୟା ଦେଖାଦେଇଛି।
ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିଛି। ରାଜ୍ୟର ୧୭ଟି ସ୍ଥାନରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଏହା ଫଳରେ ନଦୀଗୁଡ଼ିକର ଉପରମୁଣ୍ଡରେ ଜଳପ୍ରବାହ ବଢ଼ିଛି। ତେବେ ବୁଢ଼ାବଳଙ୍ଗ ନଦୀରେ ବଡ଼ ଧରଣର ବନ୍ୟା ଆଶଙ୍କା ନାହିଁ। ସେହିପରି ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ମଧ୍ୟ ବର୍ତ୍ତମାନ ବନ୍ୟା ସମ୍ଭାବନା ନଥିବା କୁହାଯାଇଛି।
ମହାନଦୀରେ ମଧ୍ୟ ବର୍ତ୍ତମାନ ସେଭଳି ବନ୍ୟା ସ୍ଥିତି ନାହିଁ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୪ ଫୁଟ ଖସିଆସିଛି। ଜଳସ୍ତର ନିୟନ୍ତ୍ରଣ ପାଇଁ ସକାଳେ ୪ଟି ଗେଟ୍ ବନ୍ଦ କରାଯାଇଥିବା ବେଳେ ୨ଟି ଗେଟ୍ ଖୋଲା ରହିଛି। ଏହା ଫଳରେ ମହାନଦୀ ଅବବାହିକାରେ ବର୍ତ୍ତମାନ ବଡ଼ ଧରଣର ବନ୍ୟା ଆଶଙ୍କା ନଥିବା କୁହାଯାଇଛି।














