ନିଶାମୁକ୍ତ ପରିବେଶ ପାଇଁ ମା ଅମ୍ବିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କ ଶପଥ ଗ୍ରହଣ
ପାରାଦ୍ବୀପ; ୨୦/୦୮: ଐତିହାସିକ ଅଳକା ଆଶ୍ରମ ଆନୁକୂଲ୍ୟରେ ପାରାଦ୍ବୀପ ସ୍ଥିତ ମା ଅମ୍ବିକା ଉଚ୍ଚ ବିଦ୍ୟାଳୟ ପରିସରରେ ନିଶାମୁକ୍ତ ଯୁବଶକ୍ତି କର୍ମଶାଳାରେ ଜୀବନରେ ନିଜେ ନିଶା ସେବନ ନକରି ନିଜ ପରିବେଶକୁ ନିଶାମୁକ୍ତ ରଖିବା ପାଇଁ ଶତାଧିକ ଛାତ୍ରୀ ଶପଥ ଗ୍ରହଣ କରିଛନ୍ତି। ଶିକ୍ଷାବିତ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ଏକ ସଶକ୍ତ ଓ ସମୃଦ୍ଧ ଯୁବ ଶକ୍ତି ନିର୍ମାଣ ପାଇଁ ୨୦୨୩ ମସିହା କ୍ରାନ୍ତି ଦିବସ ଠାରୁ ନିଶାମୁକ୍ତ ଯୁବଶକ୍ତି କର୍ମଶାଳା ଜିଲ୍ଲାର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଅବିରତ ଭାବେ ଆୟୋଜିତ ହେଉଛି| ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭ୍ରମରବର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ଅତିଥିମାନେ ମୁଖ୍ୟ ଅତିଥି ଜ୍ୟୋତ୍ସ୍ନାମୟୀ ତ୍ରିପାଠୀ ନିଶାର କୁପ୍ରଭାବ ବିଷୟରେ ବିଷଦ ଭାବରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ସହିତ ନିଶା କିପରି ଧୀରେ ଧୀରେ ପିଲାମାନଙ୍କୁ କବଳାୟିତ କରେ ସେ ବିଷୟରେ ସଚେତନ କରାଇଛନ୍ତି। ଏହି ଅବସରରେ ଅଳକା ଆଶ୍ରମର ଜିଲ୍ଲା ସଂଯୋଜକ ନଗେନ୍ଦ୍ର ନାଥ ସ୍ବାଇଁ, ପାରାଦ୍ବୀପ ସଂଯୋଜିକା ପ୍ରେମଳତା ବାରିକ, ନଳିନୀ ପ୍ରଭା ସାହୁ ନିଶାର ଭୟାବହତା ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହିତ ପରିଚାଳନା କରିଥିଲେ।














