ବ୍ରାହ୍ମଣୀ ନଦୀରେ ଆସିଛି ଦ୍ୱିତୀୟ ବନ୍ୟା । ଆଉ ଏହାର ପ୍ରଭାବରେ ଦୀର୍ଘ ୬ ଦିନ ହେଲା ବନ୍ୟା ଘେରରେ କେନ୍ଦ୍ରାପଡ଼ା ରାଜନଗର ବ୍ଲକର ପ୍ରାୟ ଏକ ଲକ୍ଷ ଲୋକ । ବିଶେଷକରି ଓସ୍ତିଆ ପଞ୍ଚାୟତରେ ବନ୍ୟାର ପ୍ରଭାବ ସାଂଘାତିକ ରହିଛି । ବନ୍ୟା ପାଣି ଅନେକ ଗାଁରେ ପଶିବା ପରେ ଲୋକଙ୍କ ଜୀବନ ଏବେ ଦୁର୍ବିସହ ହୋଇପଡ଼ିଛି । ଘରଦ୍ୱାର ଚାରିପଟେ ପାଣି ଜମି ରହିଥିବା ବେଳେ, ଅନେକ ପରିବାର ଯାତାୟାତ ଓ ଦୈନନ୍ଦିନ ଆବଶ୍ୟକତା ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସ୍ଥିତି ଅନୁଧ୍ୟାନ ପାଇଁ ବନ୍ୟାଞ୍ଚଳରେ ପହଞ୍ଚିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟାର । ବୋଟ୍ରେ ବିଭିନ୍ନ ପଞ୍ଚାୟତ ବୁଲି ସେ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି । କେବଳ ବୋଟ୍ରେ ବୁଲି ସ୍ଥିତି ପରଖିବା ନୁହେଁ, ପାଣି ଭିତରକୁ ପଶି ବିପନ୍ନଙ୍କ ସହ ସିଧାସଳଖ ଆଲୋଚନା ମଧ୍ୟ କରିଛନ୍ତି ଜିଲ୍ଲାପାଳ ।
ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ପିଇବା ପାଣି ପହଞ୍ଚାଯାଉଛି । ଲୋକଙ୍କ ଆବଶ୍ୟକତାକୁ ଦେଖି ଆଗକୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଯେଉଁ ପରିବାରଙ୍କ ଘରେ ବନ୍ୟା ପାଣି ପଶିଛି, ସେମାନଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି । ପରିସ୍ଥିତି ଅଧିକ ଖରାପ ହେଲେ କିମ୍ବା ଲୋକଙ୍କ ସୁରକ୍ଷା ପ୍ରତି ବିପଦ ଦେଖାଦେଲେ, ଆବଶ୍ୟକ ସ୍ଥଳେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ ଆଶ୍ୱାସନ ଦେଇଛନ୍ତି । ଏପଟେ ଦ୍ୱିତୀୟ ଥର ବନ୍ୟା ଆସିଥିବାରୁ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଛି । ଦୀର୍ଘ ୬ ଦିନ ଧରି ପାଣି ଘେରରେ ଥିବା ଲୋକେ ଏବେ ପାଣି କେବେ କମିବ ଏବଂ କେବେ ସ୍ୱାଭାବିକ ଜୀବନକୁ ଫେରିବେ, ସେହି ଅପେକ୍ଷାରେ ଅଛନ୍ତି । ପ୍ରଶାସନର ତତ୍ପରତା ସତ୍ତ୍ୱେ ଆଗାମୀ ଦିନରେ ବନ୍ୟା ପରିସ୍ଥିତି କେତେ ଶୀଘ୍ର ସୁଧୁରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।














