ଭୁବନେଶ୍ୱର: ଇଂରାଜୀ ଦୈନିକ ସମ୍ବାଦପତ୍ର ’ନ୍ୟାସନାଲ ବିକନ୍’ର ଉନ୍ମୋଚନ ହୋଇଯାଇଛି। ମଙ୍ଗଳବାର ସ୍ଥାନୀୟ ଜୟଦେବ ଭବନ ଠାରେ ଅନୁଷ୍ଠିତ ଲୋକାର୍ପଣ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ‘ନ୍ୟାସନାଲ ବିକନ୍’ର ପ୍ରଥମ ସଂସ୍କରଣ ଉନ୍ମୋଚନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ବିଜେପିର ବରିଷ୍ଠ ନେତା ଶ୍ରୀ ମହେଶ ମହାନ୍ତି, ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର (ଡ.) ମୃଣାଳ ଚାଟାର୍ଜୀ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ସନତ ମିଶ୍ର ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ‘ନ୍ୟାସନାଲ ବିକନ୍’ର ସମ୍ପାଦକ ଦିଲୀପ କୁମାର ବିଶୋଇ ସଭାପତିତ୍ୱ କରିଥିଲେ। ଖବରକାଗଜର ପ୍ରତିଷ୍ଠାତା ଶେଖ ରିଆଜ ମହମ୍ମଦ ଏବଂ ପ୍ରକାଶିକା ମାସୁମା ୟାସ୍ମିନ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପ୍ରକୃତି ମର୍ଦ୍ଦରାଜ।
ଏହି ଅବସରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ଗଣମାଧ୍ୟମ ସର୍ବଦା ଜନତାଙ୍କ ସ୍ବର ହୋଇରହିଛି। ପାଠକଙ୍କ ହୃଦୟ ଜିତିବା ପାଇଁ ‘ନ୍ୟାସନାଲ ବିକନ୍’ ସାମ୍ବାଦିକତାର ମୂଲ୍ୟବୋଧ ଓ ନୈତିକତାକୁ ଅକ୍ଷୁଣ୍ଣ ରଖିବା ସହ ନିଷ୍ଠାର ସହିତ କାର୍ଯ୍ୟ କରିବା ଉଚିତ୍। ସରକାରଙ୍କ ନିକଟରେ ଲୋକଙ୍କ ସମସ୍ୟା ନିଷ୍ଠାର ସହ ଉତ୍ଥାପନ କରିବା ପ୍ରତ୍ୟେକ ଗଣମାଧ୍ୟମର ଧର୍ମ। ଏହି ଇଂରାଜୀ ଦୈନିକ ସେହି ମାର୍ଗରେ ଅଗ୍ରସର ହେବ ବୋଲି ଶ୍ରୀ ପୂଜାରୀ କହିଥିଲେ।
କଂଗ୍ରେସର ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ ଆଶା ପ୍ରକାଶ କରି କହିଥିଲେ ଯେ, ‘We Count What Matters You’ ନାରାକୁ ସାର୍ଥକ କରି ‘ନ୍ୟାସନାଲ ବିକନ୍’ ଲୋକଙ୍କ ସମସ୍ୟା ଓ ଦାବିକୁ ପ୍ରମୁଖତାର ସହ ଉଠାଇବା ସହ ବିକାଶର ପଥ ଦେଖାଇବ। ଶିକ୍ଷାବିତ୍ ପ୍ରଫେସର ମୃଣାଳ ଚାଟାର୍ଜୀ କହିଥିଲେ ଯେ, ସତ୍ୟ ଓ ନ୍ୟାୟ ସାମ୍ବାଦିକତାର ମାର୍ଗଦର୍ଶକ ହେବା ଉଚିତ। ସୋସିଆଲ ମିଡିଆର କୋଳାହଳ ମଧ୍ୟରେ ମଧ୍ୟ ମୁଦ୍ରିତ ଗଣମାଧ୍ୟମ ପାଇଁ ଯଥେଷ୍ଟ ସ୍ଥାନ ରହିଛି। କାରଣ ଖବରକାଗଜ ଘଟଣାବଳୀ ସମ୍ପର୍କରେ ଗଭୀର ଓ ବିସ୍ତୃତ ତଥ୍ୟ ପ୍ରଦାନ କରିଥାଏ ବୋଲି କହିଥିଲେ। ସଭା ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯାହା ଉପସ୍ଥିତ ଦର୍ଶକମାନଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିପାରିଥିଲା।













