ଯାଜପୁର : ନିର୍ବାଚନ ସମୟରେ ବିରୋଧିମାନେ ଆସିବେ, ମିଠା ମିଠା କଥା କହିବେ, ମିଛ କଥା କହିବେ, ଅପପ୍ରଚାର କରିବେ, କୁମ୍ଭୀର କାନ୍ଦଣା କାନ୍ଦିବେ। ଏହା ବିରୋଧୀଙ୍କ ପୁରୁଣା ଅଭ୍ୟାସ, ଏଣୁ ଜନସାଧାରଣ ଏଥି ପ୍ରତି ସତର୍କ ରୁହନ୍ତୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଆଜି ଯାଜପୁର ଲୋକସଭା କ୍ଷେତ୍ରର ସୁକିନ୍ଦା, ବିଞ୍ଚାରପୁର,ବରୀ ଓ ବଡ଼ଚଣାରେ ମାରାଥନ୍ ନିର୍ବାଚନ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।
ଜନସଭାରେ ପାଣ୍ଡିଆନ କହିଲେ ଯେ, ନବୀନ ସରକାର ହେଉଛି ଲୋକଙ୍କ ସରକାର, ମା’ମାନଙ୍କ ସରକାର, ଚାଷୀ ଓ ଯୁବପିଢ଼ିର ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବପିଢ଼ିଙ୍କ ମାଧ୍ୟମରେ ଏକ ସଶକ୍ତ ଓ ନୂଆ ଓଡ଼ିଶା ଗଠନ କରିବାକୁ ଯାଉଛନ୍ତି ବୋଲି ପାଣ୍ଡିଆନ କହିଥିଲେ। ବିରୋଧୀ ବିଜେପି ନେତାମାନେ ଆସିବେ, ମିଠା ମିଠା କଥା କହିବେ, ମିଛ କଥା କହିବେ, ଅପପ୍ରଚାର କରିବେ । ମାଗଣା ବିଜୁଳି ଦେବା ପାଇଁ ବିଜେପିର ପ୍ରତିଶ୍ରୁତିକୁ ତାତ୍ସଲ୍ୟ କରିଥିଲେ ପାଣ୍ଡିଆନ। ସେ କହିଥିଲେ ଯେ, ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରି ସୋଲାର ପ୍ୟାନେଲ ବସାଇବାକୁ ପଡ଼ିବ । ସୂର୍ଯ୍ୟକିରଣରୁ ଆପଣମାନେ ବିଜୁଳି ପାଇବେ । ଏଭଳି ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛି ବିଜେପି ।
ବିଜେପି ନେତାମାନେ ନିର୍ବାଚନ ବେଳେ କେବଳ ବଡ଼ ବଡ଼ କଥା କହିବେ । ନିର୍ବାଚନ ସରିଗଲେ ଖୋଜିଲେ ପାଇବେ ନାହିଁ ବୋଲି ପାଣ୍ଡିଆନ କହିଥିଲେ। ଏମାନଙ୍କୁ ୨୦୧୯ରେ ଲୋକେ ଦେଖିଥିଲେ । ୨୦୨୪ ରେ ଦେଖୁଛନ୍ତି ଏବଂ ୨୦୨୯ରେ ପୁଣି ଦେଖିବେ, ଅନ୍ୟ ସମୟରେ ଦେଖିବେ ନାହିଁ ବୋଲି ପାଣ୍ଡିଆନ କହିଥିଲେ। ଏବେ ନିର୍ବାଚନ ୧୦ ଦିନ ଅଛି । ଏମାନଙ୍କର ଚାଷୀଙ୍କ କଥା ମନେ ପଡ଼ୁଛି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।
କଳାମାଟି ସହିଦ ସ୍ମୃତି ପୀଠର ବିକାଶ ପାଇଁ ୪୦ ଲକ୍ଷ ଟଙ୍କା, ବରୀ ନିର୍ବାଚନ ମଣ୍ଡଳୀରେ ୫ଟି ବଡ଼ ସେତୁ ପାଇଁ ୨୦୦ କୋଟି ଟଙ୍କା ଏବଂ ଦୁଇଟି ଜଳସେଚନ ପ୍ରକଳ୍ପ ପାଇଁ ୯୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ଯାଜପୁର ଜିଲ୍ଲାରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଓ ଯଯାତିକେଶରୀ ମେଡିକାଲ କଲେଜ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ପାଣ୍ଡିଆନ କହିଥିଲେ।
ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାରର ବିଜୁଳି ବିଲ୍ ଛାଡ଼ ହେବ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍.କେ.ୱାଇ କାର୍ଡ ଯେଉଁମାନେ ପାଇନାହାନ୍ତି ସମସ୍ତଙ୍କୁ ମିଳିବ । ତୃତୀୟ ଦସ୍ତଖତ ହେବ ମିଶନଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍ସନ ସୁବିଧା ହେବ । ଚତୁର୍ଥ ଦସ୍ତଖତରେ କଲେଜ ପିଲାମାନଙ୍କୁ ସଂଶୋଧିତ ନୂଆ-ଓ ସ୍କଲାରସିପ୍, ଝିଅ ପାଇବେ ୧୪ ହଜାର ଟଙ୍କା ଏବଂ ପୁଅ ପାଇବେ ୧୨ ହଜାର ଟଙ୍କା । ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ୫୦ ହଜାର ଭୋଟ ବ୍ୟବଧାନରେ ଜିତାଇବା ପାଇଁ ଅନୁରୋଧ କରିଛନ୍ତି ପାଣ୍ଡିଆନ। କର୍ମୀମାନଙ୍କୁ ଉତ୍ସାହିତ କରି କହିଲେ ଯେ, ପରିଶ୍ରମ କରନ୍ତୁ ଆଶୀର୍ବାଦ ଆଣିବା, ଓଡ଼ିଶାକୁ ଆଗେଇନେବା, ଯେଉଁଠାରେ ଗରିବ ଲୋକ ମଧ୍ୟ ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ସାହସ କରିପାରିବ ।














