ଭୁବନେଶ୍ୱର : ଖୋର୍ଦ୍ଧା ପାଇଁ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ନାମକ ଜଣେ ଗୁଣ୍ଡାଙ୍କୁ କିଛି ଦିନ ତଳେ ଗିରଫ କରାଯାଇଥିଲା। ଗିରଫ ହେବା ପରେ ଆଜି ଅପରାଜିତା ଷଡ଼ଙ୍ଗୀଙ୍କ ଭଳି ଓଡ଼ିଶା ବିଜେପି ନେତାଙ୍କ ମଧ୍ୟରେ ଗଣମାଧ୍ୟମରେ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଥିବା ଜଣାପଡିଛି। ଇଭିଏମ୍ ଭାଙ୍ଗିବା, ପ୍ରିଜାଇଡିଂ ଅଫିସର ଓ ପୋଲିଂ କର୍ମଚାରୀ ଓ ସେଠାରେ ଧାଡ଼ିରେ ଠିଆ ହୋଇଥିବା ଭୋଟରଙ୍କୁ ମାଡ଼ ମାରିବା କାରଣରୁ ଯେମିତି ତାଙ୍କର ମହାନତା ବୃଦ୍ଧି ପାଇଛି ବୋଲି କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।
ଡ.ପାତ୍ର ଏଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଯେ ଆମେ ଅପରାଜିତା ଷଡ଼ଙ୍ଗୀ ଏବଂ ଅନ୍ୟ ଓଡ଼ିଶା ବିଜେପି ନେତାଙ୍କ ସ୍ମୃତିକୁ ତାଜା କରିବାକୁ ଚାହୁଁଛୁ, ଯେଉଁମାନେ ତାଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସେ ସେହି ବ୍ୟକ୍ତି ଥିଲେ ଯିଏ କି ୨୦୨୨ରେ ମାତାଲ ଅବସ୍ଥାରେ ବିଜେପି କର୍ମୀଙ୍କ ଉପରେ କାର ଚଢାଇ ଦେଇଥିଲେ । ସେ ସେହି ବ୍ୟକ୍ତି ଯିଏ ବାଲୁଗାଁର ବିଜେପି ନଗର ସଭାପତିଙ୍କୁ ମାଡ଼ ମାରିଥିଲେ। ତାଙ୍କ ଅପରାଧିକ କାର୍ଯ୍ୟକଳାପ ଯୋଗୁଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। କିନ୍ତୁ ଓଡ଼ିଶା ବିଜେପି ନେତାମାନେ ତାଙ୍କୁ ଫୁଲମାଳ ପକାଇ ସ୍ୱାଗତ କରିବା ପରେ ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଦେଇଥିଲେ।
ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ ୨୦୨୨ରେ ବିଜେପି କର୍ମୀଙ୍କୁ ଗାଡି ଚଢାଇବା ଏବଂ ଅତୀତରେ ମଧ୍ୟ ବିଜେପି ନଗର ସଭାପତିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିବାବେଳେ ବିଜେପି ତାଙ୍କୁ ଏଭଳି ଭାବେ ପୁରସ୍କୃତ କରିଛି। ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇଙ୍କୁ କଟକର ବାଇମୁଣ୍ଡି କହିବା କିମ୍ୱା ଗ୍ୟାଙ୍ଗଷ୍ଟର ଟିଟୋଙ୍କୁ ପେଟ୍ରୋଲ ପମ୍ପ ଦେବା ହେଉ ଓଡ଼ିଶା ବିଜେପିର ଅପରାଧୀଙ୍କ ପ୍ରତି ଦରଦ ରହିଛି। ସେ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ବିରୋଧରେ ଓଡ଼ିଶା ବିଜେପିର ଅନେକ ନେତା ନକାରାତ୍ମକ ମନ୍ତବ୍ୟ ଦେଇଥିଲେ। ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ ୨୦୨୨ ମସିହାରେ ମଦ୍ୟପ ଅବସ୍ଥାରେ ବିଜେପି କର୍ମୀଙ୍କ ଉପରକୁ କାର ଚଢାଇବା ପରେ ଓଡ଼ିଶା ବିଜେପି ନେତାଙ୍କ କିଛି ବୟାନକୁ ଆମେ ମନେ ପକାଇବାକୁ ଚାହୁଁଛୁ।
ଭୁବନେଶ୍ୱର ଲୋକସଭା ପାଇଁ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ କହିଥିଲେ ପ୍ରଶାନ୍ତ ଜଗଦ୍ଦେବ କେଉଁ ପରିପ୍ରେକ୍ଷୀରେ, ଜଣେ ବିଧାୟକ ମହୋଦୟ ଜନପ୍ରତିନିଧି, ଲୋକମାନଙ୍କ ଉପରେ ଗାଡି ଚଢେ଼ଇ ଦେଲେ। ପ୍ରଶାନ୍ତ ଜଗଦ୍ଦେବ, ଏହି ଭଳିଆ ଲୋକର ଜାଗା ବାହାରେ ନୁହେଁ, ଜେଲ ଭିତରେ ଅଛି। ପୁରୀ ଲୋକସଭା ପାଇଁ ବିଜେପି ସାଂସଦ ପ୍ରାର୍ଥୀ ସମ୍ୱିତ ପାତ୍ର କହିଥିଲେ ତାଙ୍କୁ ବାହୁବଳୀ ବିଧାୟକ କାହିଁକି କୁହା ହୁଏ, ମିଡିଆ ମଧ୍ୟ କାଲିଠୁ ତାଙ୍କର ସବୁ ଟ୍ରାକ୍ ରେକର୍ଡ ଦେଖାଉଛି । ଏଇ ଟ୍ରାକ୍ ରେକର୍ଡ ଥିବା ବିଧାୟକଙ୍କୁ ବିଜେଡିରୁ କାହିଁକି ନିଷ୍କାସିତ କରା ହୋଇନଥିଲା ।
ପୁରୀ ଲୋକସଭା ପାଇଁ ବିଜେପି ସାଂସଦ ପ୍ରାର୍ଥୀ ଡ. ସମ୍ୱିତ ପାତ୍ର କହିଥିଲେ ଲୋକଙ୍କ ଉପରେ ଏମିତି ଗାଡି ଚଢେ଼ଇ ଦେବ, ହଟହଟା କରିବ, କିମ୍ୱା ତାଙ୍କୁ ମାରିବ, ଏଇଟା କ’ଣ ଦର୍ଶାଉଛି । ଭାରତ ବର୍ଷରେ ଓଡ଼ିଶାର ଛବିକୁ ଧୁମିଳ କରୁଛି । ଚିଲିକା ବିଧାନସଭା ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଶ୍ରୀ ଜଗଦ୍ଦେବ ଗୋଟେ ଅପରାଧ କରିନାହାନ୍ତି। ଯିଏ ଜଣେ ଭୟଙ୍କର କ୍ରିମିନାଲ ମାନସିକତା ଥିବା ଅପରାଧି । ସେ ଭଳିଆ ଲୋକଙ୍କୁ କେବଳ ଗିରଫ ନୁହେଁ, ତାଙ୍କୁ ଏନ୍ଏସ୍ଏ ବଳରେ ଗିରଫ କରିବା ଆବଶ୍ୟକତା ଅଛି ।
ଭୁବନେଶ୍ୱର କେନ୍ଦ୍ରୀୟ (ମଧ୍ୟ) ବିଧାନସଭା ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ କହିଥିଲେ କ’ଣ ପାଇଁକି ଓଡ଼ିଶା ପରି ଏକ ଶାନ୍ତି ପ୍ରିୟ ରାଜ୍ୟରେ, ଏଭଳି ଘଟଣା ବାରମ୍ୱାର ଘଟୁଛି । ଚିଲିକା ବିଧାୟକ ଏଭଳି ଘଟଣା ଆଗରୁ କରୁଥିଲେ ବାରମ୍ୱାର, ନାମକୁ ମାତ୍ର ନିଲମ୍ୱନ କଲେ । ନିମାପଡ଼ା ବିଧାନସଭା ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡ଼ା କହିଥିଲେ କାର୍ଯ୍ୟରତ ମହିଳା ମାଜିଷ୍ଟ୍ରେଟ ଡ୍ୟୁଟିରେ ଥିଲାବେଳେ ବିଧାୟକ (ପ୍ରଶାନ୍ତ ଜଗଦ୍ଦେବ) ତାଙ୍କୁ ଲଣ୍ଠନରେ ବାଡଉଛନ୍ତି। ବିଧାୟକଙ୍କ ଜାଗାରେ ଜଣେ ସାଧରଣ ଜନତା ବାଡେଇଥାନ୍ତା ତାହେଲେ ତ ପୋଲିସ ତାଙ୍କୁ ସେଇଠୁ ଗିରଫ କରିଥାନ୍ତା । ବିଧାୟକ କ’ଣ ଜନତାଙ୍କଠୁ ଉଦ୍ଧ୍ୱର୍ରେ ।
କେନ୍ଦୁଝର ବିଧାନସଭା ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ କହିଥିଲେ ଆମର ଭାରତୀୟ ଜନତା ପାର୍ଟିର ଦାବି ଯେହେତୁ ସେ ଆମ ଦଳୀୟ ନେତାଙ୍କୁ ମିଛଟାରେ ଆକ୍ରମଣ କରିଛନ୍ତି, କିଭଳି ଭାବରେ ବି ତାଙ୍କୁ ତୁରନ୍ତ ଗିରଫ କରାଯାଉ । ଜଗତସିଂହପୁର ଲୋକସଭା ପାଇଁ ବିଜେପି ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ କହିଥିଲେ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ ଯିଏ ଚିଲିକାର ବିଧାୟକ, ଯେ ଜଣେ ଅଭ୍ୟାସଗତ ଅପରାଧି ଏବଂ ତାଙ୍କ ନାଁରେ ୨୦ରୁ ଉଦ୍ଧ୍ୱର୍ ଫୌଜଦାରି ମାମଲା ଅଛି ସେ ବର୍ତ୍ତମାନ ନିକଟ ଅତୀତରେ ବାଲୁଗାଁ ଏନଏସିର ଆମ ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ କରିଛନ୍ତି । ଏହି ବୟାନରୁ ଆପଣ ଓଡ଼ିଶା ବିଜେପି ନେତାଙ୍କ ଦୋମୁହାଁ ନୀତି ଏବଂ ଦୋମୁହାଁ ଚରିତ୍ରକୁ ଭଲ ଭାବରେ ଦେଖିପାରିବେ । ପ୍ରଶାନ୍ତ ଜଗଦ୍ଦେବଙ୍କ ଦ୍ୱାରା ଇଭିଏମ ଭାଙ୍ଗିବା ପରେ ଗଣତନ୍ତ୍ର ଉପରେ ଆକ୍ରମଣ ହୋଇଥିଲା, କିନ୍ତୁ ତାଙ୍କୁ ନିର୍ଦ୍ଦୋଷ ଓ ମହାପୁରୁଷ ଭାବେ ଚିତ୍ରଣ କରାଯାଉଛି ।
ଓଡ଼ିଶା ବିଜେପି ନେତାମାନେ କ’ଣ ଏତେ ଲଜ୍ଜିତ ହୋଇଯାଇଛନ୍ତି ଯେ ପ୍ରଶାନ୍ତ ଜଗଦ୍ଦେବ ଏକ ପୋଲିଂ ବୁଥରେ ଇଭିଏମ୍ ଭାଙ୍ଗି ପ୍ରିଜାଇଡିଂ ଅଫିସର ଓ ପୋଲିଂ ଷ୍ଟାଫ୍ ଏବଂ ଏପରିକି ଧାଡ଼ିରେ ଛିଡ଼ା ହୋଇଥିବା ମହିଳା ଭୋଟରଙ୍କୁ ମାଡ଼ ମାରିଛନ୍ତି, ତାଙ୍କୁ ରକ୍ଷା କରିବା ପାଇଁ ଭିଡ଼ ଜମାଉଛନ୍ତି ? ସେମାନଙ୍କର କୌଣସି ଲଜ୍ଜା ନାହିଁ କି? ସେମାନେ କେଉଁ ମୁହଁରେ ଆସୁଛନ୍ତି ଏବଂ ଦର୍ପଣରେ ସେମାନଙ୍କ ମୁହଁ ଦେଖି ଓ ଛାତିରେ ହାତ ରଖି କହିପାରିବେ ଯେ ପ୍ରଶାନ୍ତ ଜଗଦେବ ନିର୍ଦ୍ଦୋଷ କି ?
ଚାକିରି ଦେବାର ପ୍ରତିଶ୍ରୁତି ଦେଇ ନିଜ ନିର୍ବାଚନମଣ୍ଡଳୀର ଗରିବ ଲୋକଙ୍କୁ ଠକିଥିବା ପ୍ରଦୀପ ପାଣିଗ୍ରାହୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି। ଜନବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡି ବହିଷ୍କାର କରିଥିଲା। ଯେଉଁ ବ୍ୟକ୍ତିଙ୍କ ବିରୋଧରେ ବିଜେପି ଆନ୍ଦୋଳନ କରୁଥିଲା, ତାଙ୍କୁ ଫୁଲମାଳ ପକାଇ ସେମାନେ ତାଙ୍କୁ ନିଜର ଆଗଧାଡ଼ିର ନେତା କରିଥିଲେ। ଦୀର୍ଘ ବର୍ଷ ଧରି କାମ କରିଥିବା ଦଳର ନେତାଙ୍କୁ ଅଣଦେଖା କରି ସେମାନେ ଜଣେ ଠକଙ୍କୁ ଟିକେଟ୍ ଦେଇଥିଲେ। ସେହି ଓଡ଼ିଶା ବିଜେପି ନେତାମାନେ ତାଙ୍କୁ ଚିଟ୍ଫଣ୍ଡ ଚୋର ବୋଲି କହୁଥିଲେ ଏବଂ ଆଜି ସେ ସେମାନଙ୍କ ପୋଷ୍ଟର ବୟ ପାଲଟିଯାଇଛନ୍ତି। ଚାକିରି ଠକେଇରେ ନିରୀହ ଯୁବକଙ୍କୁ ଠକିଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ଲୋକଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶା ବିଜେପି ଯେଉଁଭଳି ଭାବେ ଗତି କରୁଛି ତାହା ଦେଖି ଆଶ୍ଚର୍ଯ୍ୟ ଲାଗୁଛି।
ଆଉ ଜଣେ ପୋଷ୍ଟର ବୟ ହେଉଛନ୍ତି ଜମି ଜବରଦଖଲକାରୀ ବୈଜୟନ୍ତ ପଣ୍ଡା । ତାଙ୍କ କମ୍ପାନୀ ଅନୁସୂଚିତ ଜାତିର ଲୋକଙ୍କ ଠାରୁ ବେଆଇନ ଜମି ଜବରଦଖଲ କରିଛି। ଏଥିପାଇଁ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରହିଛି। ସେହିଭଳି ତାଙ୍କ ମାଲିକାନାରେ ଥିବା ଟିଭି ଚ୍ୟାନେଲ ସରକାରୀ ଜମିକୁ ଦଖଲ କରିଛି। ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ହଟାଇ ଦେଇଥିଲା ବିଜେଡି । କିନ୍ତୁ ବିଜେପି ତାଙ୍କୁ ସାମିଲ କରିଛି। ସେମାନେ ନିଜ ଦଳର ନେତାଙ୍କୁ ଅବହେଳା କରିଥିଲେ ଏବଂ ଓଡ଼ିଶା ବିଜେପି ଏହି ଜମି ଜବରଦଖଲକାରୀଙ୍କୁ ଟିକେଟ୍ ଦେଇଥିଲା।
ଖାଲି ସେତିକି ନୁହେଁ ବୈଜୟନ୍ତ ପଣ୍ଡା ମଧ୍ୟ ବାହାମାସ ଦୁର୍ନୀତିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା ଯେତେବେଳେ ବାହାମାସରେ ପଞ୍ଜିକୃତ ହୋଇଥିବା ଫିନ୍ଲେ, ମେସିନା ଓ ପିକିକା ନାମକ ତିନୋଟି ସେଲ୍ କମ୍ପାନୀ ତାଙ୍କ ମାଲିକାନାରେ ଥିବା ଟିଭି କମ୍ପାନୀରେ ଟଙ୍କା କାରବାର କରିଥିଲେ ଏବଂ ଏହି ପାଣ୍ଠିର ତଦନ୍ତ ଏକ ମଲ୍ଟି ଏଜେନ୍ସି ଗ୍ରୁପ୍ ଜରିଆରେ କରାଯାଇଥିଲା। ନିର୍ବାଚନ ସମୟରେ ଯେଉଁ କେନ୍ଦ୍ରୀୟ ନେତାମାନେ ନିର୍ବାଚନ ପର୍ଯ୍ୟଟକ ଭାବରେ ଓଡ଼ିଶା ଆସୁଛନ୍ତି ଏବଂ ଓଡ଼ିଶା ବିଜେପି ନେତାମାନେ ସେମାନଙ୍କୁ ଦିଆଯାଇଥିବା ଲେଖାକୁ ଶୁଆ ଭଳି ଦୋହରାଉଛନ୍ତି ସେମାନେ ବୋଧହୁଏ ଓଡ଼ିଶା ବିଜେପି ଏବଂ ଅପରାଧୀଙ୍କୁ ସ୍ୱାଗତ କରିବା ଏବଂ ସେମାନଙ୍କୁ ଟିକେଟ ଦେବାର ନୀତି ବିଷୟରେ ଅବଗତ ନୁହଁନ୍ତି । ଏହି କେନ୍ଦ୍ରୀୟ ନେତାମାନେ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହୁଛନ୍ତି। ଏହା ଶୁଣି ସମଗ୍ର ଓଡ଼ିଶାବାସୀ ହସୁଛନ୍ତି। ଯେତେବେଳେ ଓଡ଼ିଶା ବିଜେପି ନେତାମାନେ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଅପରାଧୀଙ୍କୁ ରକ୍ଷା କରିବା ପାଇଁ ଆଜି ଲାଇଭ୍ ଟେଲିଭିଜନରେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କେନ୍ଦ୍ରୀୟ ନେତାଙ୍କ କଥା ଫମ୍ପା ଭଳି ଲାଗୁଛି। ଏହା ହେଉଛି ଓଡ଼ିଶା ବିଜେପିର ଅସଲ ଚେହେରା। ଯେଉଁ ଦଳ ଗୁଣ୍ଡା, ଜମି ଜବରଦଖଲକାରୀ, ଠକ ଓ କଳାଧନ କାରବାରକାରୀଙ୍କୁ ଖୋଲା ହାତରେ ସ୍ୱାଗତ କରି ଦଳୀୟ ଟିକେଟ ଦେଇଥାଏ। ସେମାନେ ଏଭଳି ଅପରାଧୀଙ୍କୁ ଯେତେ ସୁରକ୍ଷା ଦେଉଛନ୍ତି, ଲୋକଙ୍କ ଆଖିରେ ସେତିକି ତଳକୁ ଖସି ପଡୁଛନ୍ତି ଏବଂ ସେଥିପାଇଁ ଓଡ଼ିଶା ବିଜେପି ଗୋଟିଏ ପରେ ଗୋଟିଏ ନିର୍ବାଚନ ହାରିଯାଉଛି।














