ଚନ୍ଦ୍ରବାବୁ ଓ ନୀତୀଶଙ୍କ ଠାରୁ ଲିଖିତ ଭାବେ ସମର୍ଥନ ନେଲେ ମୋଦି
ନୂଆଦିଲ୍ଲୀ: ଜୁନ ୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଏନଡିଏ ପାର୍ଟିର ନେତା। ଏହି ସମୟରେ ମେଣ୍ଟ ପକ୍ଷରୁ ନୂଆ ସରକାର ଗଠନ ପାଇଁ ଦାବି କରାଯିବ। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ୩.୦ ସରକାର ଦେଶରେ ଆରମ୍ଭ ହେବ। ଏହାପୂର୍ବରୁ ଆଜି ମୋଦିଙ୍କ ବାସଭବନରେ ଏନଡିଏର ବୈଠକ ବସିଥିଲା। ଏଥିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଯୋଗ ଦେଇଥିଲେ। ବୈଠକରେ ଉଭୟ ଯଥାଶୀଘ୍ର ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି। ଏଥିସହ ବୈଠକରେ ନରେନ୍ଦ୍ର ମୋଦିଙ୍କୁ ଏନଡିଏ ୩.୦ର ନେତା ଭାବେ ମଧ୍ୟ ନିର୍ବାଚିତ କରାଯାଇଛି।
ଚଳିତ ଲୋକସଭାରେ କୌଣସି ନିର୍ଦ୍ଦିଷ୍ଟ ରାଜନୀତିକ ଦଳକୁ ସ୍ପଷ୍ଟ ବହୁତ ମିଳିନାହିଁ। ତେଣୁ ଦେଶକୁ ପୁଣି ମେଣ୍ଟ ସରକାର ରାଜନୀତି ଫେରିଛି। ବିଜେପି ଦେଶର ଏକକ ସର୍ବବୃହତ୍ତ ଦଳ ଭାବେ ୨୪୦ଟି ଆସନ ଜିତିଛି। ସହଯୋଗୀଙ୍କ ଆସନ ମିଶାଲେ ଦଳ ପାଖରେ ୨୯୨ଟି ସିଟ୍ ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବସନରେ ଏନଡିଏର ବୈଠକ ବସିଥିଲା। ଏଥିରେ ବିଜେପିର ସମସ୍ତ ସହଯୋଗୀ ଦଳ ସାମିଲ ହୋଇଥିଲେ। ତେବେ ସମସ୍ତଙ୍କ ନଜର ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁର ନୀତୀଶ କୁମାରଙ୍କ ଉପରେ ରହିଥିଲା। କାରଣ ଏହି ଦୁଇ ଜଣ ଏବେ କିଙ୍ଗ ମେକର। ଉଭୟଙ୍କ ପାଖରେ ୨୮ଟି ଆସନ ରହିଛି। ବୈଠକରେ ଉଭୟଙ୍କ ଠାରୁ ମୋଦି ଲିଖିତ ଭାବେ ସମର୍ଥନ ହାସଲ କରିଥିବା ଜଣାପଡ଼ିଛି। ବୈଠକରେ ଉଭୟଙ୍କ ସହ ମୋଦି ମଧ୍ୟ ବେଶ ଭଲ ଭାବେ ନିର୍ବାଚନୀ ରେଜଲ୍ଟକୁ ନେଇ କଥାବାର୍ତ୍ତା କରିଛନ୍ତି। ମୋଦିଙ୍କ ପାଖରେ ନାଇଡୁ ଓ ତାଙ୍କ ସାଇଡକୁ ନୀତୀଶ କୁମାର ବସିଥିଲେ। ଏମାନଙ୍କ ବ୍ୟତୀତ ଚିରାଗ ପାଶ୍ୱନାଙ୍କ ଠାରୁ ଆରମ୍ଭ କରି ଆପନା ଦଳର ସାଂସଦ ମଧ୍ୟ ବୈଠକରେ ସାମିଲ ହୋଇଥିଲେ।
ନୀତୀଶ କୁମାର ବୈଠକରେ ମୋଦିଙ୍କୁ କହିଛନ୍ତି ଯେ “ଶୀଘ୍ର ସରକାର କରନ୍ତୁ। ସରକାର ଗଠନରେ କୌଣସି ବିଳମ୍ବ ହେବା କଥା ନୁହେଁ। ଆମେ ଯଥା ଶୀଘ୍ର ସମ୍ଭବ ସରକାର ଗଠନ କରିବା ଉଚିତ।” ଚନ୍ଦ୍ରବାବୁ ନାଇଡୁ ମଧ୍ୟ ସମାନ କଥା ମୋଦିଙ୍କୁ କହିଛନ୍ତି। ଜୁନ ୪ରେ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏହି ନିର୍ବାଚନରେ ବିଜେପି ଏକାକୀ ୨୪୦ ଆସନ ଜିତିଛି। ଏନଡିଏ ଆସନକୁ ମିଶାଇଲେ ଦଳ ସପକ୍ଷରେ ୨୯୨ ଜଣ ସାଂସଦଙ୍କ ସମର୍ଥନ ରହିଛି। ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୭୨। ଏନଡିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇଥିବାରୁ ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏଥିପାଇଁ ଆଜି ଏନଡିଏରେ ଥିବା ଦଳ ଗୁଡ଼ିକ ପକ୍ଷରୁ ସର୍ବସମ୍ମତିକ୍ରମେ ମୋଦିଙ୍କୁ ସେମାନଙ୍କ ନେତା ଚୟନ କରାଯାଇଛି। ଏନେଇ ଏକ ସଂକଳ୍ପ ବୈଠକରେ ପାରିତ ହୋଇଛି। ଏହି ସଂକଳ୍ପରେ ଏନଡିଏର ୨୧ ଜଣ ନେତା ଦସ୍ତଖତ କରିଛନ୍ତି। ବୈଠକରେ ନରେନ୍ଦ୍ର ମୋଦି, ଅମିତ ଶାହ, ଚନ୍ଦ୍ରବାବୁ ନାଇଡୁ, ନୀତୀଶ କୁମାର, ଲଲନ ସିଂହ, ଚିରାଗ ପାଶ୍ୱାନ ଓ ସଞ୍ଜୟ ଝା ପ୍ରମୁଖ ଉପସ୍ଥିତ ରହିଥିଲେ। ଆଜି ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ମୋଦି ଇସ୍ତଫା ଦେଇଥିଲେ। ସେ ଶନିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।