ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ କୋଟି ଘର ନିର୍ମାଣ ଘୋଷଣା
ନୂଆଦିଲ୍ଲୀ: ଆରମ୍ଭ ହେଲା ମୋଦି 3.O । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରା କ୍ୟାବିନେଟ୍ ସହ ଲଗାତାର ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ପ୍ରାୟ ୧୬ ଘଣ୍ଟା ପରେ ଆଜି ଅଫିସ ଆସି ଦାୟିତ୍ୱ ଗ୍ରହଣ କରିଛନ୍ତି ମୋଦି । ମୋଦି ସାଉଥ ବ୍ଲକରେ ଥିବା କାର୍ଯ୍ୟାଳୟରେ ନିଜ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ତୃତୀୟ ପାଳିର ପ୍ରଥମ ଦସ୍ତଖତ ଚାଷୀଙ୍କ ପାଇଁ କରିଛନ୍ତି ପ୍ରଧାନମନ୍ତ୍ରୀ । ପିଏମ୍ କିଷାନ ନିଧିର ୧୭ ତମ କିସ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶନାମାରେ ମୋଦି ଦସ୍ତଖତ କରିଛନ୍ତି । ୯.୩ କୋଟି ଚାଷୀଙ୍କୁ ମିଳିବ ପ୍ରାୟ ୨୦ ହଜାର କୋଟି ଟଙ୍କା । ଚାଷୀଙ୍କ କଲ୍ୟାଣରୁ ଆରମ୍ଭ ହୋଇଛି ମୋଦିଙ୍କ ତୃତୀୟ ପାଳି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମ ସରକାର କୃଷକଙ୍କ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ । ତେଣୁ ଏହା ଯୁକ୍ତିଯୁକ୍ତ ଥିଲା ଯେ ଦସ୍ତଖତ ହେବାକୁ ଥିବା ପ୍ରଥମ ଫାଇଲ କୃଷକଙ୍କ କଲ୍ୟାଣ ସହିତ ଜଡିତ ହେବା ଉଚିତ୍ । ଆମେ ଆଗାମୀ ସମୟରେ କୃଷକ ଏବଂ କୃଷି କ୍ଷେତ୍ର ପାଇଁ ଅଧିକରୁ ଅଧିକ କାର୍ଯ୍ୟ କରିବାକୁ ଚାହୁଁଛୁ ବୋଲି କହିଛନ୍ତି ମୋଦି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୩ କୋଟି ଘର ନିର୍ମାଣ ଲକ୍ଷ୍ୟ । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଗୃହହୀନଙ୍କ ପାଇଁ ଆଉ ୩ କୋଟି ଘର । ପ୍ରଧାନ ମନ୍ତ୍ର ଆୱାସ ଯୋଜନା ଅନ୍ତର୍ଗତ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଗରିବଙ୍କ ପାଇଁ ୩ କୋଟି ଘର ନିର୍ମାଣ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ମୌଳିକ ସୁବିଧା ସହିତ ଘର ନିର୍ମାଣ ପାଇଁ ଯୋଗ୍ୟ ସହରାଞ୍ଚଚଳ ଏବଂ ଗ୍ରାମୀଣ ପରିବାରମାନଙ୍କୁ ସହାୟତା ଯୋଗାଇବା ପାଇଁ ଏହା ୨୦୧୫-୧୬ବର୍ଷରେ ଭାରତ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିଲା। ଏହି ଯୋଜନା ଅଧୀନରେ ଗତ ୧୦ ବର୍ଷ ମଧ୍ୟରେ ଯୋଗ୍ୟ ଗରିବ ପରିବାର ପାଇଁ ୪.୨୧ କୋଟି ଘର ନିର୍ମାଣ କରାଯାଇଛି। ସୋମବାର ଅନୁଷ୍ଠିତ ପ୍ରଥମ ତଥା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ଏହାକୁ ଆଗକୁ ନେବାକୁ ନିଷ୍ପତ୍ତି ନିଆଯାଇଛି।
ମୋଦି ମନ୍ତିମଣ୍ଡଳ ଗଠନ ସମୟରେ ସବୁ ବର୍ଗର ନେତାଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ୨୭ ଜଣ ଅନ୍ୟାନ୍ୟ ପଛୁଆ ବର୍ଗ ‘ଓବିସି’, ୧୦ ଜଣ ଅନୁସୂଚିତ ଜାତି ଓ ୫ ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର ରହିଛନ୍ତି । ଏହାସହିତ ୪୩ ଜଣ ମନ୍ତ୍ରୀଙ୍କୁ ତୃତୀୟ ଥର ଲାଗି ମନ୍ତ୍ରୀ ପଦ ମିଳିଥିବା ବେଳେ ୩୯ ଜଣ ପୂର୍ବରୁ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଏହି ଟିମରେ ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି । ୩୪ ମନ୍ତ୍ରୀ ବିଧାୟକ ଭାବେ ନିଜ ନିଜ ରାଜ୍ୟରେ ଦାୟିତ୍ବ ସମ୍ଭାଳି ସାରିଛନ୍ତି ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ କ୍ୟାବିନେଟ୍ ଶପଥ ନେଇଥିଲା । ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ତାଙ୍କ ସହ ଶପଥ ନେଇଥିଲେ ଏନଏଡି ସରକାରରେ ୭୨ ଜଣ ମନ୍ତ୍ରୀ । ଏମାନଙ୍କ ଭିତରେ ୩୦ ଜଣ କ୍ୟାବିନେଟ୍, ୫ ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଓ ୩୬ ଜଣ ଅଛନ୍ତି ରାଷ୍ଟ୍ରମନ୍ତ୍ରୀ । ବିଜେପିର ୬୧ ଓ ସହଯୋଗୀ ଦଳର ୧୧ ଜଣଙ୍କୁ ମିଳିଛି ମନ୍ତ୍ରୀପଦ।
ମନ୍ତ୍ରିମଣ୍ଡଳରେ ମୋଟ୍ ୨୪ ରାଜ୍ୟକୁ ପ୍ରତିନିଧିତ୍ୱ ମିଳିଛି । ୩୦ କ୍ୟାବିନେଟ୍ ମନ୍ତ୍ରୀଙ୍କ ଭିତରେ ବିଜେପିର ୨୫ ଓ ସହଯୋଗୀ ଦଳର ୫ ଜଣ ଅଛନ୍ତି । ୭୨ ଜଣିଆ ମନ୍ତ୍ରିମଣ୍ଡଳରେ ୩୯ ଜଣ ପୂର୍ବରୁ କେନ୍ଦ୍ରରେ ମନ୍ତ୍ରୀ ଥିଲେ । ତେବେ କାହାକୁ କେଉଁ ମନ୍ତ୍ରାଳୟ ମିଳିବ ଏବେ ତା’ଉପରେ ନଜର ରହିଛି । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ପୁରୁଣା ଓ ନୂଆ ଚେହେରା । ମୋଦି 2.Oରେ ଥିବା ଏକାଧିକ ମନ୍ତ୍ରୀ ଏଥର ରିପିଟ୍ ହୋଇଛନ୍ତି।
ଏମାନଙ୍କ ଭିତରେ ଅଛନ୍ତି ରାଜନାଥ ସିଂ, ଅମିତ ଶାହ, ନୀତିନ ଗଡକରୀ, ନିର୍ମଳା ସୀତାରମଣ, ଏସ୍. ଜୟଶଙ୍କର, ପୀୟଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଭୂପେନ୍ଦ୍ର ଯାଦବ, କିରଣ ରିଜିଜୁ, ଜିତେନ୍ଦ୍ର ସିଂ। ସେହିପରି ହରଦୀପ ସିଂ ପୁରୀ, ମନସୁଖ ମାଣ୍ଡଭିୟ, ସର୍ବାନନ୍ଦ ସୋନୋୱାଲ, ଗିରିରାଜ ସିଂ, ଗଜେନ୍ଦ୍ର ସିଂ ଶେଖାୱତ, ଅର୍ଜୁନ ରାମ ମେଘୱାଲ, ଅନୁପ୍ରିୟା ପଟେଲ, ପ୍ରହଲ୍ଲାଦ ଯୋଶୀ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ଏକାଧିକ ସାଂସଦଙ୍କୁ ପୁଣି ଥରେ ମୋଦି 3.0ରେ ସ୍ଥାନ ମିଳିଛି।