ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାର ଗଢ଼ିଲା ପରେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଛନ୍ତି। ସେହିପରି କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋହନ୍ଙ୍କ ୮ ଜଣ କ୍ୟାବିନେଟ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ ପରେ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ଘୋଷଣା କରିଛି। ସୁରମା ପାଢ଼ୀଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ବାଚସ୍ପତି କରିଛି।
ବାଚସ୍ପତି ଘୋଷଣା ନେଇ ନୟାଗଡ଼ ଜିଲ୍ଲା ରଣପୁର ବିଧାୟିକା ସୁରମା ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି, ବିକଶିତ ଭାରତ, ବିକଶିତ ଓଡ଼ିଶା ଗଠନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକଳ୍ପ ନେଇଛନ୍ତି। ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର କାମ କରିବ। ଓଡ଼ିଶାରେ ବିକାଶ ଧାରା ଜାରି ରଖିବାକୁ ଉଦ୍ୟମ କରିବି। ଦଳ ଯେଉଁ ଦାୟିତ୍ବ ଦେବ, ତାହା ସୂଚାରୁ ରୂପେ ତୁଲାଇବି। ଅଧିବେଶନ ସମୟରେ ଗୃହ ଚଳାଇବା ପାଇଁ ଚ୍ୟାଲେଞ୍ଜ ପରିସ୍ଥିତିକୁ ସାମ୍ନା କରିବାକୁ ହୋଇଥାଏ। ମୁଲତବୀ, ହଟ୍ଟଗୋଳ ଓ ବିରୋଧୀଙ୍କୁ ପରିଚାଳନା କରିବା କଠିନ କାମ। ତଥାପି ଏହାକୁ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି।
ସୂଚନା ଅନୁଯାୟୀ, ସୁରମା ପାଢ଼ୀ ୧୯୬୦ ମସିହାର ଡିସେମ୍ବର ମାସ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୮୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ସେ ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୦୦ ମସିହାରେ ଏହି ପଦରେ ରହିଥିଲେ । ପରେ ୨୦୦୦ ମସିହାରେ ସେ ଜାତୀୟ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ସଭାପତି ହୋଇଥିଲେ। ୨୦୦୪ ମସିହାରେ ଓଡ଼ିଶା ନିର୍ବାଚନରେ ସୁରମା ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାର ୧୩ଶ ସଭାକୁ ନିର୍ବାଚିତ ହୋଇଥିଲେ। ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହା ଯାଏଁ କାର୍ଯ୍ୟ କରିଥିଲେ। ସୁରମା ନବୀନ ପଟ୍ଟନାୟକଙ୍କର ୨ୟ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ପରେ ସେ ୨୦୦୯ , ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶା ବିଧାନସଭା ନିର୍ବାଚନରେ ପୁଣିଥରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ୨୦୨୪ ରେ ପୁଣି ଥରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢି ବିଜୟ ହାସଲ କରିଥିଲେ।
ସୂଚନାଯୋଗ୍ୟ, କ୍ୟାବିନେଟ୍ ମନ୍ତ୍ରୀ ଭାବେ ସୁରେଶ ପୂଜାରୀ, ରବି ନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ଡ. ମୁକେଶ ମହାଲିଙ୍ଗ, ବିଭୂତି ଜେନା, ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ରାଷ୍ଟ୍ରମନ୍ତ୍ରୀ ଭାବେ ଗଣେଶ ରାମସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୂରଜ, ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଓ ସଂପଦ ସ୍ବାଇଁ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।