ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ହେବେ। ଆଜି ବିଜେଡି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିଧାୟକ ଦଳ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳିରୁ ବିଧାୟକ ନବୀନ ପଟ୍ଟନାୟକ ବିଜେଡି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଛନ୍ତି। ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେହିପରି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ବିରୋଧୀ ଦଳର ଉପନେତା କରିଛି। ଯାଜପୁର ଜିଲ୍ଲା ବିଝାରପୁର ବିଧାୟିକା ପ୍ରମିଳା ମଲ୍ଲୀକ ବିରୋଧୀ ଦଳର ମୁଖ୍ୟ ସଚେତକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବିଧାୟକ ପ୍ରତାପ ଦେବ ବିରୋଧୀ ଦଳ ଉପମୁଖ୍ୟ ସଚେତକ ହୋଇଛନ୍ତି।
ଏହି ଅବସରରେ ବିଜେଡି ବିଧାୟକ ଦଳ ନେତା ଭାବରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ନିର୍ବାଚିତ କରିବା ପାଇଁ ପ୍ରତାପ କେଶରୀ ଦେବ ପ୍ରସ୍ତାବ ଦେଇଥିଲେ ଓ ବିଧାୟକ ଡ଼. ଅରୁଣ କୁମାର ସାହୁ ଏହାକୁ ସମର୍ଥନ କରିଥିଲେ। ନବୀନଙ୍କୁ ବିଜେଡି ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରିବା ପାଇଁ ଏହି ପ୍ରସ୍ତାବକୁ ଦଳର ସମସ୍ତ ବିଧାୟକ ସମର୍ଥନ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ବିଧାୟକ ଦଳ ଉପନେତା ଓ ପ୍ରମିଳା ମଲ୍ଲିକଙ୍କୁ ମୁଖ୍ୟ ସଚେତକ ଭାବରେ ନିର୍ବାଚିତ କରାଯାଇଥିଲା। ସେହିପରି ବିଧାୟକ ପ୍ରତାପ କେଶରୀ ଦେବ ଉପମୁଖ୍ୟ ସଚେତକ ରୂପେ ନିର୍ବାଚିତ ହୋଇଥିଲେ।
ଏହି ଅବସରରେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ବିଧାନସଭାରେ ବିଜେଡିର ଭୂମିକା ସମ୍ପର୍କରେ ବିଧାୟକମାନଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟର ହିତ ନିମନ୍ତେ ତାଙ୍କ ଦଳ ଦ୍ୱାରା ଯାହା ସମ୍ଭବ ତାହା କରିବ ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ବିଧାନସଭାରେ ସ୍ୱର ଉଠାଇବ ବୋଲି କହିଛନ୍ତି। ତାଙ୍କୁ ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରିଥିବାରୁ ବିଧାୟକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ଶେଷରେ ବିଧାୟକ ବ୍ୟୋମକେଶ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।
ବୈଠକରେ ବିଜେଡି ଉପସଭାପତି ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ଦେବୀ ତ୍ରିପାଠୀ, ରାଜେନ୍ଦ୍ର ଢୋଲକିଆ, ଅଶୋକ ପଣ୍ଡା, ସଂଜୟ ଦାସବର୍ମା, ଶଶିଭୂଷଣ ବେହେରା, ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ, ପ୍ରମିଳା ମଲ୍ଲିକ, ବିଏମ୍ସି ମେୟର ସୁଲୋଚନା ଦାସ ପମୁଖ ଉପସ୍ଥିତ ଥିଲେ। ଦୀର୍ଘ ୨୪ ବର୍ଷ କ୍ଷମତାରେ ବସିବା ପରେ ଏବେ ବିରୋଧୀ ଆସନକୁ ଆସିଛି ।