ପୁରୀ : ଜନ୍ମବେଦିରେ ସରିଛି ମହାପ୍ରଭୁଙ୍କ ଲୀଳାଖେଳା। ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା। ବାହୁଡା ଯାତ୍ରା ପାଇଁ ପୁରୀରେ ଆରମ୍ଭ ହୋଇଛି ପ୍ରସ୍ତୁତି। ତିନି ରଥର ଦକ୍ଷିଣ ମୋଡ଼ ସରିଛି। ତିନି ରଥ ନାକଚଣା ଦ୍ବାର ଆଗରେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରିଛନ୍ତି। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ। କାଲି ବଡଭାଇ ବଳଭଦ୍ର , ଉଭଣୀ ସୁଭଦ୍ରାଙ୍କୁ ଧରି ଶ୍ରୀମନ୍ଦିର ଫେରିବେ ଶ୍ରୀଜଗନ୍ନାଥ । ବାହୁଡାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସବୁପ୍ରକାରର ବ୍ୟବସ୍ଥା ହୋଇଛି । ବାହୁଡ଼ା ଯାତ୍ରା ପାଇଁ ସଂଧ୍ୟା ଦର୍ଶନ ନୀତିକାନ୍ତିକୁ ସଂକୁଚିତ କରାଯାଇଥିଲା । ସଂଧ୍ୟା ୫ ଟା ପରେ ମନ୍ଦିର ଶୋଧ କରି ଆରମ୍ଭ ହୋଇଛି ବାହୁଡ଼ା ପ୍ରସ୍ତୁତି ।
ଅନ୍ୟପଟେ ବାହୁଡ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ନୀତିକାନ୍ତି ନିର୍ଦ୍ଧାରଣ କରାଯାଇଛି । ପ୍ରାତଃ ୪ଟାରେ ମଙ୍ଗଳଆଳତି, ମଇଲମ ପ୍ରାତଃ ୪ଟା ୧୫, ତଡପଲାଗି ପ୍ରାତଃ ୪ଟା ୩୦, ରୋଷହୋମ ପ୍ରାତଃ ୪ଟା ୩୦, ଅବକାଶ ପ୍ରାତଃ ୫ଟା, ସୂର୍ଯ୍ୟପୂଜା ପ୍ରାତଃ ୫ଟା ୧୫, ଦ୍ବାରପାଳ ପୂଜା ୫ଟା ୩୦, ବେଶଶେଷ ୫ଟା ୩୦, ଗୋପାଳ ବଲ୍ଲଭ ଓ ସକାଳ ଧୂପ ୫ଟା ୪୫ରୁ ୬ ଟା ୪୫ ଭିତରେ କରାଯାଇଛି ସକାଳ ୭ଟାରୁ ୧୧ଟା ୩୦ ରେ ଲାଗି ହେବ ସେନାପଟା । ଏହାସହ ମଙ୍ଗଳାର୍ପଣ ୧୧ଟା ୪୫ ହୋଇ ଦିବା ୧୨ଟା ରୁ ୨ଟା ୩୦ରେ ହେବ ବାହୁଡା ପହଣ୍ଡି, ଦିବା ଗୋଟାଏ ରୁ ୨ଟା ୩୦ ମଧ୍ୟରେ ବେଶ ଶେଷ ହୋଇ ଦିବା ୨ଟା ୩୦ରୁ ୩ଟା ୩୦ରେ ଛେରାପହଁରା ହେବାର କାର୍ଯ୍ୟକ୍ରମ ରହିଛି।ଏହାପରେ ଅପରାହ୍ନ ୩ଟା ରୁ ୪ଟା ମଧ୍ୟରେ ଚାରମାଳ ଫିଟା ହୋଇ ରଥଟଣା ଆରମ୍ଭ ହେବ ବୋଲି ଜଣାପଡିଛି।
ଶୃଙ୍ଖଳିତ ହେବ ରଥଯାତ୍ରାର ଅବଶିଷ୍ଟ ରୀତିନୀତି । ଏହାକୁ ସୁନିଶ୍ଚିତ କରିବାକୁ ଆଜିଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ଉପମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ । ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜିଠୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ । ରଥଯାତ୍ରାର ଅବଶିଷ୍ଟ ରୀତିନୀତି ନିରୀକ୍ଷଣ କରି, ସେସବୁ ଯେପରି ଶୃଙ୍ଖଳିତ ଓ ବ୍ୟବସ୍ଥିତ ହେବ ତାହା ସୁନିଶ୍ଚିତ କରିବାକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କର ଯେପରି କୌଣସି ଅସୁବିଧା ନହେବ, ସେଥିପ୍ରତି ମଧ୍ୟ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।