ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମୟୂରଭଞ୍ଜ ଜିଲ୍ଲାରେ କୃଷି ଏବଂ ଉଦ୍ୟାନ କୃଷି ବିଭାଗ, ଶକ୍ତି ବିଭାଗ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ
ବାରିପଦା /ଭୁବନେଶ୍ଵର : ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ, ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ମୟୂରଭଞ୍ଜ ଜିଲ୍ଲାରେ କୃଷି ଏବଂ ଉଦ୍ୟାନ କୃଷି, ଶକ୍ତି ବିଭାଗ କାର୍ଯ୍ୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ଏଯାବତ ହୋଇଥିବା ସମସ୍ତ କୃଷି କାର୍ଯ୍ୟ ଓ ବିଦୁ୍ୟତିକରଣ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ବିବରଣୀ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପଚାରି ବୁଝିଥିବାବେଳେ ଏହି ବିଭାଗ ସହିତ ସଂଶ୍ଲିଷ୍ଟ ସମସ୍ତ ବିଭାଗୀୟ କାର୍ଯ୍ୟର ତଦାରଖ କରିଥିଲେ। ଏହି ପରିପ୍ରେକ୍ଷୀରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଜିଲ୍ଲାରେ କୃଷି ଏବଂ କୃଷକମାନଙ୍କ ପାଇଁ ହୋଇଥିବା ବିଭିନ୍ନ ଯୋଜନା ଓ ଏହାର କାର୍ଯ୍ୟକାରିତା ଏବଂ ଏହାର ଲାଭାନ୍ୱିତକରଣ ଦ୍ଵାରା ଉପଯୋଗ ହୋଇଥିବା ରାଜସ୍ଵ ବିଷୟରେ ପଚାରି ବୁଝିଥିଲେ। ଏଥି ସହିତ ଗ୍ରାମାଞ୍ଚଳର ବିଦୁ୍ୟତିକରଣ, ଟ୍ରାନ୍ସଫର୍ମର ପୋଡ଼ି, ସମୟ ଅସମୟରେ ବିଦୁ୍ୟତ କାଟ୍ ଭଳି ସମସ୍ୟା ଏବଂ ବହୁତ ଦିନରୁ ଅଟକି ଥିବା ବିଦୁ୍ୟତିକରଣ କାର୍ଯ୍ୟକୁ ତ୍ଵରାନ୍ୱିତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଆଦେଶ ଦେଇଥିଲେ। ଅଧିକାରୀମାନଙ୍କୁ ସମସ୍ତ ବିଭାଗୀୟ ଅନୁମୋଦିତ କାର୍ଯ୍ୟକୁ ତୁରନ୍ତ ସମାପ୍ତ କରି ବିଭାଗୀୟ ମୁଖ୍ୟାଳୟରେ ରିପୋର୍ଟ ଦାଖଲ କରିବା ଏବଂ ଆଗାମୀ ଯୋଜନା ଏବଂ କାର୍ଯ୍ୟପନ୍ଥାକୁ ତ୍ଵରାନ୍ୱିତ କରିବା ପାଇଁ ଆଦେଶ ଦେଇଥିଲେ। ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ଜିଲ୍ଲା ଏବଂ ଏହି ଜିଲ୍ଲା ନିଜ ପାରମ୍ପରିକ କୃଷି ପାଇଁ ପ୍ରସିଦ୍ଧ, ଏହାକୁ ଅଗ୍ରଗତିର ସହ ଆଗକୁ ନେବା ପାଇଁ ସମସ୍ତ ପ୍ରକାର ସହାୟତା କରିବା ପାଇଁ ରାଜ୍ୟସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ସମୀକ୍ଷା ବୈଠକରେ ବାଲେଶ୍ଵର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମୟୂରଭଞ୍ଜ ସାଂସଦ ଶ୍ରୀ ନବଚରଣ ମାଝୀ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ବଡ଼ସାହି ବିଧାୟକ ଶ୍ରୀ ସନାତନ ବିଜୁଳି, ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ବାଙ୍ଗିରିପୋଷି ବିଧାୟିକା କୁମାରୀ ସଞ୍ଜଳୀ ମୁର୍ମୁ, ସାରସକଣା ବିଧାୟକ ଶ୍ରୀ ଭାଦବ ହାଂସଦା, ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାୟକ, ଉଦଳା ବିଧାୟକ ଶ୍ରୀ ଭାଷ୍କର ଚନ୍ଦ୍ର ମଢେଇ, ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଂସଦା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ତଥା ଉଦ୍ୟାନ କୃଷି ନିର୍ଦ୍ଦେଶକ, ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ଟିପିଏନ୍ଓଡିଏଲ୍ର ସିଇଓ ବିଜୟ ଦାସ୍ ବାସାକ୍ ଓ ଶକ୍ତି ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ଏବଂ ମାନ୍ୟବର ବିଧାୟକଗଣଙ୍କ ଦ୍ଵାରା ପଚାର ଯାଇଥିବା ତଥ୍ୟକୁ ଉପସ୍ଥାପନା କରିବା ସହିତ ଜିଲ୍ଲାରେ କୃଷିରେ କିଭଳି ଉନ୍ନତି ହୋଇ ପାରିବ ସେ ବିଷୟରେ ନିଜ ନିଜ ମତ ପୋଷଣ କରିଥିଲେ।