ସ୍ବଚ୍ଛତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବାରୋପ
ଭୁବନେଶ୍ବର: ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମ୍ମିଳନୀ କକ୍ଷରେ ନିବନ୍ଧନ ସେବାଗୁଡ଼ିକ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଓ ବିଭାଗର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତ ଦିଗ ଉପରେ ଆଲୋଚନା କରି ସବୁ ନିବନ୍ଧନ ସେବାକୁ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଦାନ କରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିବନ୍ଧନ ଅଧିକାରୀ ଭାବେ କାର୍ଯ୍ୟରତ ଓଡ଼ିଶା ରାଜସ୍ଵ ସେବା ଓ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀମାନଙ୍କ କାର୍ଯ୍ୟଶୈଳୀରେ ମୂଲ୍ୟବୋଧଭିତ୍ତିକ ପରିବର୍ତ୍ତନ, ଶୃଙ୍ଖଳା ଜ୍ଞାନ ଏବଂ ସମୟାନୁବର୍ତ୍ତିତା ଇତ୍ୟାଦିକୁ ଗୁରୁତ୍ଵ ଦେଇ ସମସ୍ତ ସେବାଗୁଡ଼ିକୁ ଆଇନର ପରିସର ଭିତରେ ତଥା ସମୟାନୁସାରେ ସେବା ପ୍ରଦାନ କରିବା ପ୍ରକ୍ରିୟା ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ। କାର୍ଯ୍ୟ କରୁଥିବା ସମସ୍ତ ତହସିଲଦାର ଓ ନିବନ୍ଧନ ଅଧିକାରୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ନୈତିକତା, ଇ-ଗଭର୍ଣ୍ଣାନ୍ସ ଓ ଅନ୍ୟାନ୍ୟ ବ୍ୟବହାରିକ ଦିଗ ଉପରେ ତାଲିମ ଉପରେ ଗୁରୁତ୍ଵ ପ୍ରଦାନ କରାଯାଇଥିଲା।
ମାନ୍ୟବର ମନ୍ତ୍ରୀ ଅଧିକ ସମୟ ଧରି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପର୍ଯ୍ୟାୟକ୍ରମେ ବଦଳି ଉପରେ ଗୁରୁତ୍ଵାରୋପ କରିଥିଲେ। ପ୍ରତି ତହସିଲରେ ହେବାକୁ ଥିବା ଉପ-ନିବନ୍ଧନ କାର୍ଯ୍ୟାଳୟକୁ ତ୍ଵରିତ ବେଗରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ନିବନ୍ଧନ ଓ ଉପ-ନିବନ୍ଧନ କାର୍ଯ୍ୟାଳୟରେ ଅର୍ଥ ବ୍ୟବସ୍ଥାର ଖାତା କିପରି ସ୍ଵୟଂଚାଳିତ ଉପାୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ସ୍ଵତଃପୂର୍ତ୍ତ ଭାବେ ହୋଇପାରିବ, ସେ ଉପରେ ଗୁରୁତ୍ଵାରୋପ କରାଯାଇଥିଲା।
ଉପ-ନିବନ୍ଧନ ତଥା ନିବନ୍ଧନ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ଏସ୍ଏମ୍ଏସ୍ ମାଧ୍ୟମରେ ସେମାନଙ୍କର ସରକାରୀ ଦେୟର ବିବରଣୀ ଜଣାଇ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇନଗତ କାର୍ଯ୍ୟ ପରେ ସମସ୍ତ ଦଲିଲକୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ସେମାନଙ୍କ ସହମତି ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ଅନ୍ୟ ରାଜ୍ୟଗୁଡ଼ିକରେ ପ୍ରଚଳିତ ସର୍ବଶ୍ରେଷ୍ଠ ବ୍ୟବସ୍ଥାର ଅନୁଶୀଳନ ଏବଂ ଅନୁଗ୍ରହଣ ନିମିତ୍ତ ରାଜସ୍ଵ ବିଭାଗର ଅଧିକାରୀମାନଙ୍କୁ ପଠାଯିବ। ନିବନ୍ଧନ ସେବାକୁ ଆହୁରି ଗତିଶୀଳ ଓ ସ୍ଵଚ୍ଛ କରିବା ନିମନ୍ତେ ଏକ ବୈଷୟିକ କମିଟିର ମଧ୍ୟ ଗଠନ କରାଯାଇ, କମିଟିକୁ 15 ଦିନ ମଧ୍ୟରେ ଏକ ରିପୋର୍ଟ ଦେବାକୁ କୁହାଯାଇଛି। ମାନନୀୟ ମନ୍ତ୍ରୀ ସେବା ପ୍ରଦାନରେ ସ୍ଵଚ୍ଛତା ଓ ସମ୍ମାନର ସହ ସେବା ପ୍ରଦାନ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟରେ ଖିଲାପ କରୁଥିବା ନିବନ୍ଧନ ବା ଉପ-ନିବନ୍ଧନ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।