ଭୁବନେଶ୍ୱର: ପୁଣି ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଇଛି। ଆଳୁ ଦର ଆକାଶ ଛୁଆଁ ହୋଇଛି। ଆଳୁକୁ ନେଇ ଏବେ ମଧ୍ୟ ଟେନ୍ସନ ଲାଗି ରହିଥିବା ବେଳେ କଟକ ଓ ଭୁବନେଶ୍ୱରରେ ଆଳୁ ଗୋଦାମ ଆଳୁ ନାହିଁ। ଫଳରେ ଟୁଇନ୍ ସିଟିରେ ଆଳୁ କେଜି ଦିନକରେ ୨୦ରୁ ୨୫ ଟଙ୍କା ବଢ଼ି ଯାଇଛି। ବଜାରରେ ଆଳୁ ମିଳୁ ନ ଥିବା ବେଳେ କାଁ ଭାଁ ଯେଉଁଠି ଅଛି କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି। ପଶ୍ଚିମବଙ୍ଗ ଏବେ ମଧ୍ୟ ଆଳୁଗାଡ଼ି ଓଡ଼ିଶାକୁ ଛାଡ଼ୁ ନ ଥିବା ବେଳେ ଉତ୍ତରପ୍ରଦେଶ ଆଳୁର ଦାମ ଅଧିକ ଥିବା ବେଳେ ଚାହିଦା ନାହିଁ। ଏଥିସହ ଉତ୍ତରପ୍ରଦେଶରୁ ଆବଶ୍ୟକ ମୁତାବକ ଆଳୁ ଗାଡ଼ି ରାଜ୍ୟରେ ଠିକ ସମୟରେ ପହଞ୍ଚି ପାରୁନି।ଏହାର ସିଧା ପ୍ରଭାବ ଓ ବଜାର ଉପରେ ପଡ଼ୁଛି।
ସେପଟେ ଭୁବନେଶ୍ବର ଆଇଗିଣିଆ ଆଳୁ ଗୋଦାମ ବି ଖାଲି। ଆଜି ସକାଳୁ ଆଇଗିଣିଆ ଗୋଦାମରେ ଆଳୁ ନଥିବା ସୂଚନା ମିଳିଛି। ତେଣୁ ଆଳୁର ଦର ପୁଣି ଉପର ମୁହାଁ ହେବା ଅନୁମାନ କରାଯାଉଛି। ତେବେ ଆଳୁ ଗାଡ଼ି ପହଞ୍ଚିନଥିବା ଖବର ଜଣାପଡ଼ିବା ପରେ ବ୍ୟବସାୟୀମାନେ ଯାହା କିଛି ଆଳୁ ମହଜୁଦ ରଖିଛନ୍ତି ତାକୁ ଚଢ଼ା ଦରରେ ବିକିବା ଆରମ୍ଭ କଲେଣି। ଫଳରେ ଖାଉଟୀ ହଇରାଣ ହେଉଛନ୍ତି। ଗତକାଲି କିଛି ଗ୍ରାହକ ଆଳୁ ୩୫ ରୁ ୪୦ ଟଙ୍କାରେ କିଣିଥିବା ବେଳେ ଆଜି ସେଇ ଆଳୁକୁ ୫୦ ରୁ ୬୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନ ଏଦିଗରେ ତୁରନ୍ତ ଦୃଷ୍ଟି ନଦେଲେ ପରିସ୍ଥିତି ଆଣାୟତ୍ତ ହେବାର ସଂଭାବନା ରହିଛି।
ବିଗତ ୨ ଦିନ ହେବ ଆଳୁ ଗାଡ଼ି ନଆସିବାରୁ ରାଜ୍ୟରେ ଆଳୁର ଅଭାବ ଦେଖିବାକୁ ମିଳିଛି । ଯେଉଁ କିଛି ବ୍ୟବସାୟୀଙ୍କ ପାଖରେ ଆଳୁ ରହିଛି ସେମାନେ ଚଢ଼ା ଦରରେ ବିକ୍ରି କରୁଛନ୍ତି । ରାଜ୍ୟରେ ଉତ୍ତରପ୍ରଦେଶରୁ ଆସୁଥିବା ଆଳୁର ଗ୍ରହଣୀୟତା ନଥିବାରୁ ବ୍ୟବସାୟୀ କ୍ଷତି ସହୁଛନ୍ତି । ଆମ ପାଖରେ ଆଉ ୧୭ ଟନ ଆଳୁ ବିଭିନ୍ନ ଶୀତଳ ଭଣ୍ଡାରରେ ମହଜୁଦ ରହିଛି । ଯାହା ୩ ଦିନ ପର୍ଯ୍ୟନ୍ତ ଆଳୁର ଆବଶ୍ୟକତା ପୂରଣ କରି ପାରିବ । ସରକାର ବିକଳ୍ପ ବ୍ୟବସ୍ଥା ନକଲେ ରାଜ୍ୟବାସୀ ଆଳୁ ଦେଖିବାକୁ ପାଇବେ ନାହିଁ ବୋଲି କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ।
ଏପଟେ ପଞ୍ଜାବରୁ ଆସିବ ଆଳୁ। ଗତକାଲି ଆଳୁ ସଙ୍କଟର ସମାଧାନ ପାଇଁ ଦରକାର ହେଲେ ପଞ୍ଜାବରୁ ଆଳୁ ମଗାଯିବ ବୋଲି ସୂଚନା ଦେଇଥିଲେ ଯୋଗାଣ ମନ୍ତ୍ରୀ। ମନ୍ତ୍ରୀ କୃଷ୍ଣ ପାତ୍ର କହିଥିଲେ ଯେ ଏବେ ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ ଶୀଘ୍ର ପଚିଯାଉଥିବା ନେଇ ଯାହା କୁହାଯାଉଛି ତାହା ମିଛ କଥା । ଓଡ଼ିଶାରେ ବିକ୍ରି ହେଉଥିବା ୟୁପି ଆଳୁର କ୍ବାଲିଟି ବହୁତ ଭଲ। ତେବେ ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ମଗାଯିବ। ଅପରପକ୍ଷେ ପଶ୍ଚିମବଙ୍ଗ ବ୍ଲାକମେଲ୍ର ଶିକାର ନହୋଇ ଆମେ ସ୍ୱାଭିମାନକୁ ଦେଖିଲୁ ବୋଲି କହିଥିଲେ ମନ୍ତ୍ରୀ।














