ଚାରିଜଣ ବିଶିଷ୍ଟ ହସ୍ତତନ୍ତ ବୁଣାକାର ସମ୍ମାନିତ
ଭୁବନେଶ୍ଵର: ଆଜି ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ରାଜ୍ୟ ସ୍ତରୀୟ ଦଶମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନସ ଚିବଡ. ଅରବିନ୍ଦ ପାଢ଼ୀ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ଅର୍ଥନୀତିରେ ହସ୍ତତନ୍ତ ବୁଣାକାରଙ୍କ ପ୍ରମୁଖ ଯୋଗଦାନ ରହିଛି ବୋଲି ପ୍ରକାଶ କରିଛନ୍ତି। ଏଥିସହ ସେ ଓଡ଼ିଶାର ସମୃଦ୍ଧ ପରମ୍ପରା ତଥା ଭାରତୀୟ ବୟନଶିଳ୍ପରେ ହସ୍ତତନ୍ତ ବୁଣାକାରଙ୍କ ବ୍ୟାପକ ଅବଦାନ ଉପରେ ଆଲୋକପାତ କରିଥିଲେ। ଆର୍ଥିକ ସହାୟତା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ବାଣିଜ୍ୟ ସହାୟତା ସମେତ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ହସ୍ତତନ୍ତ କ୍ଷେତ୍ରକୁ ସମର୍ଥନ ତଥା ପ୍ରୋତ୍ସାହନ କରିବା ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଡ. ପାଢ଼ୀ ମଧ୍ୟ ଆଲୋକପାତ କରିଥିଲେ।
ଆମର ପୁରୁଣା ବୟନ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ଏବଂ ବୁଣାକାର ମାନଙ୍କୁ ସମର୍ଥନ କରିବା ଦିଗରେ ପ୍ରତେ୍ୟକ ନାଗରିକଙ୍କ ପାଇଁ ଦଶମ ଜାତୀୟ ହସ୍ତତନ୍ତ ଦିବସ ପାଳନ ଏକ ବହୁମୂଲ୍ୟ ଅବସର। 1905 ମସିହାରେ ଏହି ଦିନ କଲିକତା ଟାଉନହଲ୍ରେ ଏକ ବିଶାଳ ସଭାରେ ସ୍ଵଦେଶୀ ଆନ୍ଦୋଳନ ଆନୁଷ୍ଠାନିକ ଭାବରେ ଆରମ୍ଭ କରାଯାଇଥିଲା। ଏହି ଆନ୍ଦୋଳନର ଶୁଭ ତିଥି 7 ଅଗଷ୍ଟକୁ ସ୍ମରଣ କରିବା ପାଇଁ ଏହି ଦିନଟିକୁ ସାରା ଦେଶରେ ଜାତୀୟ ହସ୍ତତନ୍ତ୍ର ଦିବସ ଭାବରେ ପାଳନ କରାଯାଉଛି । ହସ୍ତତନ୍ତର ଗୁରୁତ୍ଵ ଓ ଦେଶ ବିଦେଶରେ ସାମାଜିକ ତଥା ଅର୍ଥନୈତିକ ବିକାଶରେ ଏହାର ଅବଦାନ ଉପରେ ସଚେତନତାସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ପ୍ରମୁଖ ଉଦ୍ଦେଶ୍ୟ।
ସାଂସ୍କୃତିକ ଐତିହ୍ୟ ସମୃଦ୍ଧ ଓଡ଼ିଶାଏହାର ସୂକ୍ଷ୍ମ ହସ୍ତତନ୍ତ ପରମ୍ପରା ପାଇଁ ପ୍ରସିଦ୍ଧ । ରାଜ୍ୟର ହସ୍ତତନ୍ତ ଶିଳ୍ପ ଏହାର ବୁଣାକାର ମାନଙ୍କ ଦକ୍ଷତା ଓ ସୃଜନଶୀଳତାର ପ୍ରମାଣ। ବୁଣାକାରମାନେ ନିଜ କଳାକୁ ଯୁଗ ଯୁଗ ଧରି ସଂରକ୍ଷଣ କରିରଖିଛନ୍ତି। ସମ୍ୱଲପୁରୀ, ଟସର, ବମକାଇ, ମାଣିଆବନ୍ଧ ଓ ବ୍ରହ୍ମପୁରୀ ଶାଢ଼ି ପରି ଓଡ଼ିଶାର ହସ୍ତତନ୍ତ ଉତ୍ପାଦ ସାରା ବିଶ୍ଵରେ ନିଆରା ଡିଜାଇନ୍ ଏବଂ ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧି ଅର୍ଜନ କରିଛି। ଏହି ବସ୍ତ୍ର କେବଳ କପଡ଼ାର ଏକଖଣ୍ଡ ନୁହେଁ ବରଂ ଆମ ଓଡ଼ିଶାର ପ୍ରତିଟି ଅଞ୍ଚଳର ଇତିହାସ, ସଂସ୍କୃତିଏବଂ ପରମ୍ପରା ଆଧାରିତ କାହାଣୀର ରୂପାନ୍ତରଣ ।
ଏପରି ସମାବେଶ ନିଶ୍ଚିତ ଭାବରେ ଆମ ରାଜ୍ୟର ବୁଣାକରମାନଙ୍କୁ ସେମାନଙ୍କର ଉତ୍ତମ ବୃତ୍ତି ବଜାୟ ରଖିବାକୁ ଏବଂ ଯୁବପିଢ଼ିକୁ ଏଥିପ୍ରତି ଆକୃଷ୍ଟ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଅତିଥିମାନେ ମତ ପ୍ରଦାନ କରିଥିଲେ। ଏହି ଅବସରରେ ଚାରିଜଣ ବିଶିଷ୍ଟ ବୁଣାକାର ଭାଇ ଓ ଭଉଣୀଙ୍କୁ ହସ୍ତତନ୍ତ କ୍ଷେତ୍ରରେ ସଫଳ ଯୋଗଦାନ ପାଇଁ ଉତ୍ସାହିତ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାର ଧଳାପରଦା କପଡ଼ା ଓ ଫାବ୍ରିକ୍ସ କାମ ପାଇଁ ଶ୍ରୀସୁରେଶ କୁମାର ରାଉତଙ୍କୁ, ମୟୁରଭଞ୍ଜ ଜିଲ୍ଲାର ଫୁଟାଶାଢ଼ି/ ଗାମୁଛାରେ ପାରଦର୍ଶିତା ପାଇଁ ଶ୍ରୀ ଶମ୍ଭୁନାଥ ସେନାପତି, କେରାପୁଟ ଜିଲ୍ଲାର କେରଙ୍ଗାକପଡ଼ାରେ ବିବିଧ କାରିଗରୀ ପାଇଁ ଶ୍ରୀମତୀ ଭାଗବତୀ ସିସା, ଓ କଳାହାଣ୍ଡି ଜିଲ୍ଲାର ହାବାସପୁରି ହସ୍ତତନ୍ତ ଉତ୍ପାଦ ପାଇଁ ଶ୍ରୀ ଜଲନ୍ଦର ମେହେରଙ୍କୁ ସମ୍ମାନିତ କରାଯାଇଥିଲା। ଏହି ବୁଣାକାରମାନଙ୍କ ମଧ୍ୟରୁ ପ୍ରତେ୍ୟକ ନିଜ ନିଜ ଅଞ୍ଚଳର ସମୃଦ୍ଧ ଐତିହ୍ୟ ଓ ବୟନ ଦକ୍ଷତାକୁ ପ୍ରତିଫଳିତ କରି ହସ୍ତତନ୍ତ ଶିଳ୍ପ ଉପରେ ମହତ୍ତ୍ୱପୂର୍ଣ୍ଣ ପ୍ରଭାବ ଆଣିପାରିଛନ୍ତି।