ରାଜ୍ୟର ଅଧିକାଂଶ ମହିଳା ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ
ଭୁବନେଶ୍ୱର : ରାଜ୍ୟର ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ସହାୟତା ଦିଆଯିବ। ନିର୍ବାଚନ ପୂର୍ବରୁ ବିଜେପିର ଘୋଷଣାପତ୍ରରେ ଏହା ପ୍ରକାଶିତ ହୋଇଥିଲା। ରାଜ୍ୟରେ ସରକାର ଗଠନର ପ୍ରଥମ ଦିନ ଅର୍ଥାତ୍ ଜୁନ୍ ୧୨ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହା ସହ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରେ ରାଜଧାନୀରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇ ମହିଳାମାନଙ୍କୁ ସୁଭଦ୍ରା ଭାଉଚର ବଣ୍ଟନ କରାଯିବ ବୋଲି ମଧ୍ୟ ସରକାର ଘୋଷଣା କଲେ। ମାତ୍ର ବଜେଟ୍ରେ ଏହି ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ ହେବା ପରେ ଏହାର କାର୍ଯ୍ୟକାରିତାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ବଜେଟରେ ଆବଣ୍ଟିତ ରାଶିରେ ରାଜ୍ୟର ସର୍ବାଧିକ ୨୦ ଲକ୍ଷ ମହିଳା ଉପକୃତ ହୋଇପାରିବାର ବ୍ୟବସ୍ଥା ଥିବାରୁ ଅବଶିଷ୍ଟ ୮୫ ଲକ୍ଷ ମହିଳା ଏଥିରୁ ବଞ୍ଚିତ ହେବା ସ୍ପଷ୍ଟ ହୋଇ ଯାଇଛି ।
ତେବେ ଏହାରି ମଧ୍ୟରେ ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର ଏସଓପି ପ୍ରକାଶ କରିବା ପୂର୍ବରୁ ଜିଲ୍ଲାପାଳ ମାନଙ୍କ ଦ୍ୱାରା ଜନ ସାଧାରଣଙ୍କ ଠାରୁ ଫିଡ଼ବ୍ୟାକ ନିଆଯିବ ବୋଲି ଦେଇଥିବା ମନ୍ତବ୍ୟକୁ ନେଇ ବର୍ଷିଛି ବିଜେଡି। ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର ଏସଓପି ପ୍ରକାଶ କରିବା ପୂର୍ବରୁ ଜିଲ୍ଲାପାଳ ମାନଙ୍କ ଦ୍ୱାରା ଜନ ସାଧାରଣଙ୍କ ଠାରୁ ଫିଡ଼ବ୍ୟାକ ନିଆଯିବ ବୋଲି ଦେଇଥିବା ମନ୍ତବ୍ୟରୁ ଏହି ଯୋଜନାର ସଫଳ ରୂପାୟନକୁ ନେଇ ଜନ ସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ନିର୍ବାଚନ ବେଳେ ବିଜେପି ଦ୍ୱାରା ଦିଆଯାଇଥିବା ସଙ୍କଳ୍ପପତ୍ରରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ସୁଭଦ୍ରା ଯୋଜନା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କାର କ୍ୟାସ ଭାଉଚର ପ୍ରଦାନ କରାଯିବ, ଯାହାକୁ ସେମାନେ ଦୁଇ ବର୍ଷ ଭିତରେ ଖର୍ଚ୍ଚ କରିପାରିବେ। କ୍ଷମତାକୁ ଆସିବା ପରେ ବିଜେପି ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବଜେଟରେ ସୁଭଦ୍ରା ଯୋଜନା ପାଇଁ ମାତ୍ର ୧୦,୦୦୦ କୋଟି ଟଙ୍କା ବ୍ୟୟବରାଦ କରା ଯାଇଥିବାରୁ ଏହି ପରିମାଣରେ ରାଜ୍ୟର ମାତ୍ର କୋଡିଏ ଲକ୍ଷ ମହିଳା ସାମିଲ ହୋଇପାରିବେ। ତେଣୁ ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳା ଲାଭବାନ ହୋଇପାରିବେ ନାହିଁ ବୋଲି ସ୍ପଷ୍ଟ ଜଣାପଡୁଛି।
ଅପରପକ୍ଷରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆଜି ଦେଇଥିବା ମନ୍ତବ୍ୟ, ଏସଓପି ପ୍ରକାଶ ପୂର୍ବରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଜନ ସାଧାରଣଙ୍କ ଠାରୁ ଫିଡ଼ବ୍ୟାକ ଗ୍ରହଣ କରାଯିବା କଥା ସର୍ବସାଧାରଣଙ୍କ ଦ୍ୱାରା ଗ୍ରହଣୀୟ ହୋଇ ପାରୁନାହିଁ। ଭତ୍ତା ବୃଦ୍ଧି ପ୍ରସଙ୍ଗରେ ଚତୁରତାର ସହ କେବଳ ୮୦ ବର୍ଷରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକ ଓ ୮୦ ପ୍ରତିଶତରୁ ଉଦ୍ଧ୍ୱର୍ ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି କରି ସଂଖ୍ୟାଧିକ ଭତ୍ତା ପାଉଥିବା ଲୋକଙ୍କ ସହ ପ୍ରତାରଣା କରିଥିବା ସରକାର, ସୁଭଦ୍ରା ଯୋଜନାରେ ମଧ୍ୟ ଅଧିକାଂଶ ମହିଳାଙ୍କ ସହ ଚଞ୍ଚକତା କରିବାକୁ ଯାଉଛି। ରାଜ୍ୟର ତିରିଶଟି ଜିଲ୍ଲାରୁ ଫିଡ଼ବ୍ୟାକ ଆଣିବା ପାଇଁ ମାତ୍ର ଦଶ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେବା କେବଳ ଧର୍ମକୁ ଆଖିଠାର ସଦୃଶ୍ୟ। ଏହି ଫିଡ଼ବ୍ୟାକ ଆଣିବା ଆଳରେ କିପରି ଭାବେ ଅଧିକାଂଶ ମହିଳା ସୁଭଦ୍ରା ଯୋଜନା ହିତାଧିକାରୀ ତାଲିକାରୁ ବାଦ ପଡିବେ ସେହି ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ବିଜେପି ପାଖରେ ଏସଓପି ପ୍ରସ୍ତୁତ ନଥିଲା ବେଳେ ଗତ ନିର୍ବାଚନ ସମୟରେ ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ପାଇଁ ଫର୍ମ ପୂରଣ କରେଇବା ଓ ସେମାନଙ୍କୁ ଆୟ ପ୍ରମାଣପତ୍ର ଓ ଜାତି ପ୍ରମାଣପତ୍ର ଇତ୍ୟାଦି ଯୋଗାଡ଼ କରି ଖର୍ଚ୍ଚାନ୍ତ କରିବା ବିଜେପିକୁ ମହଙ୍ଗା ପଡିବ। ରାଜ୍ୟର ମହିଳା ମାନେ ବିଜେପିକୁ ଉଚିତ ଜବାବ ଦେବେ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି।