କଟକ : ବରିଷ୍ଠ ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆ ରାଜ୍ୟ ପୁଲିସ ମୁଖିଆ ଭାବେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିଛନ୍ତି। କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ନବନିଯୁକ୍ତ ପୁଲିସ ଡିଜି ୱାଇ.ବି ଖୁରାନିଆଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହାପରେ ସେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ଠାରୁ ଦାୟିତ୍ବ ନେଇଛନ୍ତି।
ଉଲ୍ଳେଖଯୋଗ୍ୟ ହରିଆଣା କୈଥଲ ଜିଲା ବାସିନ୍ଦା ଯୋଗେଶ ବାହାଦୁର ଖୁରାନିଆ ୧୯୯୦ ମସିହାରେ ଆଇପିଏସ ପାଇଥିଲେ । ଓଡିଶା କ୍ୟାଡର ଚୟନ କରିଥିବା ଖୁରାନିଆ ନୟାଗଡ଼, ଯାଜପୁର, ରାଉରକେଲା , ମୟୂରଭଞ୍ଜ, ଗଞ୍ଜାମ ଭଳି ବିଭିନ୍ନ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଥିଲେ । ଏହା ପରେ ଡିଆଇଜି ପଦକୁ ପଦୋନ୍ନତି ପାଇ ସେ ଡିଆଇଜି ବ୍ରହ୍ମପୁର, ଭୁବନେଶ୍ବର ଓ ଅତିରିକ୍ତ ପୋଲିସ କମିଶନର ଏବଂ ଡିଆଇଜି ସମ୍ବଲପୁର ଭାବେ କାର୍ଯ୍ୟ କରିଥିଲେ । ଏହା ସହ ସେ ବିଜୁ ପଟ୍ଟନାୟକ ପେୁଲିସ ଏକାଡେମୀର ନିର୍ଦ୍ଦେଶକ ଓ କ୍ରାଇମବ୍ରାଞ୍ଚ ଆଇଜି ଭାବେ କାର୍ଯ୍ୟ କରିଥିଲେ ।
ପରବର୍ତ୍ତି ସମୟରେ ଅତିରିକ୍ତ ଡିଜି ପଦକୁ ପଦୋନ୍ନତି ପାଇ ଭିଜିଲାନ୍ସ ନିର୍ଦ୍ଦେଶକ ଓ ପୁଲିସ କମିଶନର ଭାବେ କାର୍ଯ୍ୟ କରିଥିଲେ । ଓଡ଼ିଶା ପୁଲିସ ଜଣେ ଦକ୍ଷ ଅଫିସର ଭାବେ ପରିଗଣିତ ହେଉଥିବା ଓ୍ବାଇ ବି ଖୁରାନିଆ ନିଜ କାର୍ଯ୍ୟକାଳ ମଧ୍ୟରେ ଅନେକ ସଫଳତା ହାସଲ କରିଛନ୍ତି । ବିଶେଷ କରି ମୟୁରଭଞ୍ଜ ଏସପି ଭାବେ କାର୍ଯ୍ୟକରୁଥିବା ସମୟରେ ସେ ବହୁଚର୍ଚ୍ଚିତ ଅଷ୍ଟ୍ରେଲିୟ ଧର୍ମପ୍ରଚାରକ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ଶିଶୁପୁତ୍ର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ଧରିବାରେ ପ୍ରମୁଖ ଭୁମିକା ନେଇଥିଲେ । ସେହିଭଳି ଭାବେ ପୁଲିସ କମିଶନର ଭାବେ କାର୍ଯ୍ୟ କରିବା ସମୟରେ ସେ ଟୁଇନ ସିଟିକୁ ଅପରାଧି ମୁକ୍ତ କରିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ ଏବଂ ଏହି କ୍ରମରେ ଡି ବ୍ରଦର୍ସ , ଟିଟୋ, ହାଇଦର ଭଳି କୁଖ୍ୟାତ ଅପରାଧୀଙ୍କ ଗ୍ୟାଙ୍ଗକୁ ସମୁଳେ ବିନାଶ ମଧ୍ୟ କରିଥିଲେ ।