ଭୁୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବତ୍ତର୍ନ ପ୍ରସଙ୍ଗରେ ରାଜ୍ୟ ସରକାର ତଥା ବିଜେପି ଦଳ ଯେଉଁଭଳି ଭାବେ ବିରୋଧୀ ଦଳଙ୍କ ପାଟି ବନ୍ଦ କରିବାକୁ ମିଛର ସାହାରା ନେଉଛି ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ଶଙ୍ଖଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା। ଗଣତନ୍ତ୍ରରେ ସହନଶୀଳତା ଏକାନ୍ତ ଆବଶ୍ୟକ। ଆଜି ବିଧାନସଭାରେ ବିରୋଧୀ ଦଳ ରେଭେନ୍ସାର ନାଁ ପରିବତ୍ତର୍ନକୁ ବିରୋଧ କରିବା ସହ ଏହା ଉପରେ ସରକାରୀ ଦଳଠାରୁ କୈଫିୟତ ମାଗିଛନ୍ତି । କିନ୍ତୁ ସରକାରୀ ଦଳ ଏପର୍ୟ୍ୟନ୍ତ ନିରବ ରହିବା ଆଶ୍ଚର୍ୟ୍ୟ କରିଛି । ରେଭେନ୍ସା ବିବାଦ ପ୍ରସଙ୍ଗରେ ରାଜ୍ୟର ସବୁ ବର୍ଗର ବ୍ୟକ୍ତି ଯଥା ଛାତ୍ର ଛାତ୍ରୀ, ପୁରାତନ ଛାତ୍ର ସଙ୍ଘ, ବୁଦ୍ଧିଜୀବୀ ଓ ନାଗରିକ ସମାଜ କେନ୍ଦ୍ର ଶିକ୍ଷମନ୍ତ୍ରୀଙ୍କ ଦ୍ୱାରା ଦିଆ ଯାଇଥିବା ନାମ ପରିବର୍ତ୍ତନ ପ୍ରସ୍ତାବ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗୋଟିଏ ଦାୟିତ୍ଵ ସମ୍ପର୍ଣ୍ଣ ରାଜନୈତିକ ଦଳ ହିସାବରେ ବିଜେଡି ମଧ୍ୟ ଏହାକୁ ବିରୋଧ କରିଛି। କିନ୍ତୁ ଅସହିଷ୍ଣୁତାର ଚରମ ସୀମା ଭାବେ ବିଜେଡିର ତିନିଜଣ ନେତାଙ୍କ ବିରୋଧରେ ଆର୍ମ୍ସ ଆକ୍ଟର ୨୭ ଧାରା ଅନୁଯାୟୀ ଥାନାରେ ଏଫଆଇଆର ରୁଜୁ କରିଛି ବିଜେପି, ଯାହା ପ୍ରତିହିଂସା ରାଜନୀତିର ନିଚ୍ଛକ ଉଦାହରଣ ବୋଲି ଶୀ ବେହେରା କହିଥିଲେ।
ସେ ଆହୁରି କହିଥିଲେ, ତାଙ୍କ ବିରୋଧରେ ଥାନାରେ ଦାଖଲ କରାଯାଇଥିବା ଏଫଆଇଆରକୁ ପାଠକଲେ ଏହି ଅଭିଯୋଗ ଯେ ସମ୍ପୂର୍ଣ ମିଥ୍ୟା, ମନଗଢା, କପୋଳକଳ୍ପିତ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସ୍ପଷ୍ଟ ପ୍ରତୀୟମାନ ହେଉଛି। ଅଭିଯୋଗ ପତ୍ରର ପ୍ରଥମ ଧାଡିରେ ଅଭିଯୁକ୍ତ ମାନେ ମାରଣାସ୍ତ୍ର ଧରି ଆମ ଉପରେ ଆକ୍ରମଣ କରିବାରୁ ଆମେ ଭୟରେ ସ୍ଥାନ ଛାଡି ଚାଲି ଯାଇଥିଲୁ ବୋଲି ଲେଖା ଥିଲା ବେଳେ ଦ୍ଵିତୀୟ ଧାଡ଼ିରେ ସେମାନେ ବନ୍ଧୁକ ଆମ ମୁଣ୍ଡରେ ଲଗାଇ ଜୀବନରୁ ମାରିଦେବାର ଧମକ ଦେଇଥିଲେ। ଅଭିଯୋଗ ପତ୍ରର ପ୍ରଥମ ଧାଡି ଦ୍ଵିତୀୟ ଧାଡି ସହ ତାଳ ମେଳ ଖାଉନାହିଁ, ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ ଅଭିଯୋଗଟି ସମ୍ପୂର୍ଣ ମିଥ୍ୟା। ଉଲ୍ଲେଖଯୋଗ୍ୟ, ଏହି ଘଟଣାରେ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ଏବଂ ଆନ୍ଦୋଳନକାରୀଙ୍କ ହାତରେ ଯଦି ମାରଣାସ୍ତ୍ର ଥିଲା, ତାହେଲେ ପୋଲିସ ଅଧିକାରୀମାନେ ଦେଖି ପାରି ନଥିଲେ କିପରି ବୋଲି ଶ୍ରୀ ବେହେରା ପ୍ରଶ୍ନ କରିଥିଲେ। ତେଣୁ ଏହା ସଂପୂର୍ଣ୍ଣ ଅମୂଳକ ଓ ମିଥ୍ୟା କଥା । ବିରୋଧୀଙ୍କ ସ୍ୱର ଚପାଇବା ପାଇଁ ବିଜେପି ଏଭଳି ମନଗଢା କାହାଣୀ ରଚି ବିରୋଧୀଙ୍କ ନାଁରେ ମାମଲା ରୁଜୁ କରିଛି। କେବଳ ବିରୋଧର ସ୍ୱରକୁ ଚପାଇଦେବା ଉଦ୍ଦେଶ୍ୟରେ ଏଭଳି ମିଥ୍ୟା ଅଭିଯୋଗ କରାଯାଇ ପୋଲିସ ପ୍ରଶାସନର ଦୁରୁପଯୋଗ କରାଯିବା ପାଇଁ ଉଦ୍ୟମ କରାଯାଉଛି। ତେଣୁ ବିଜେପି ସରକାର ତୁରନ୍ତ ଏହି ମିଥ୍ୟା ଏଏଫ୍ଆଇଆରକୁ ପ୍ରତ୍ୟାହାର କରିବା ସହ ଏହି ବିବାଦକୁ ନେଇ ରାଜ୍ୟବ୍ୟାପୀ ସୃଷ୍ଟି ହୋଇଥିବା ପ୍ରତିକ୍ରିୟା ସମ୍ପର୍କରେ ରାଜ୍ୟ ସରକାର ନିଜର ମତ ସ୍ପଷ୍ଟ କରନ୍ତୁ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ବିଜେଡି ମୁଖପାତ୍ରଡ଼ଃ ଲେନିନ ମହାନ୍ତି ଉପସ୍ଥିତ ଥିଲେ।














