ଭୁବନେଶ୍ବର : ବିଜେଡି ସଂଗଠନ ସୁଦୃଢ ପାଇଁ ନିଜ ନିଜ ପୁରୁଣା ବିଧାନସଭା କ୍ଷେତ୍ରକୁ ଫେରିଲେ ବିଜେଡିର ଦୁଇ ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା ଓ ଉମା ସାମନ୍ତରାୟ। ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଏହି ଦୁଇ ନେତା ଓ ତାଙ୍କ ସମର୍ଥକ ସହ ଆଲୋଚନା କରି ଏହି ଦାୟିତ୍ଵ ଦେଇଛନ୍ତି। ବ୍ରହ୍ମଗିରି ଦାୟିତ୍ଵ ନେଇଛନ୍ତି ସଞ୍ଜୟ ଦାସ ବର୍ମା ଓ ସତ୍ୟବାଦୀର ବିଜେଡି ସାଙ୍ଗଠନିକ ଦାୟିତ୍ଵ ନେଇଛନ୍ତି ଉମା ସାମନ୍ତରାୟ।
ନିର୍ବାଚନ ସମୟରେ ସଞ୍ଜୟକୁ ସତ୍ୟବାଦୀ ଓ ଉମାକୁ ବ୍ରହ୍ମଗିରିରେ ବିଜେଡ଼ି ଟିକେଟ ଦେଇଥିଲା । ଏବେ ନିର୍ବାଚନ ସରିବା ପରେ ନିଜ ଅଞ୍ଚଳକୁ ଫେରିଛନ୍ତି ଦୁଇ ନେତା। ଏହି ନିଷ୍ପତ୍ତି ପରେ କର୍ମୀ ମାନଙ୍କ ମହଲରେ ଉତ୍ସାହ ଦେଖାଇବାକୁ ମିଳିଛି। ସତ୍ୟବାଦୀ ଓ ବ୍ରହ୍ମଗିରି ଅଞ୍ଚଳର ବହୁ ବିଜେଡି ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ଅଧ୍ୟକ୍ଷ, ଉପାଧ୍ୟକ୍ଷ ନବୀନକୁ ଏ ନିଷ୍ପତ୍ତି ନେଇ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନରେ ବର୍ତ୍ତମାନର ଅପାରଗ ସରକାର ବିରୋଧରେ ଲଢେଇ ହେବା ସହ ବିଜେଡ଼ି ଭଲ ସ୍ଥିତିରେ ରହିବ ବୋଲି କହିଛନ୍ତି ଉଭୟ ନେତା।














