ବଦଳିବ ରାଜ୍ୟର ସରକାରୀ କୋଠା ଗୁଡ଼ିକର ରଙ୍ଗ । ସରକାରୀ କୋଠାର ରଙ୍ଗ କମଳା ଓ ନାଲି ରଙ୍ଗ ହେବ । ଏନେଇ ସମସ୍ତ ମୁଖ୍ୟଯନ୍ତ୍ରୀ, OBCCକୁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି କରାଯାଇଛି । ଯେଉଁଥିରେ ଦର୍ଶାଯାଇଛି ଯେ, କୋଠାର ବାହାର ପଟ କମଳା ରଙ୍ଗ ରହିବ ଏବଂ ଓ ନାଲି ବର୍ଡର ରହିବ । ଅର୍ଥାତ ଏଣିକି ନୂଆ କୋଠାର ରଙ୍ଗ କମଳା ଓ ନାଲି ବର୍ଡର ବିଶିଷ୍ଟ ହେବ । ବିଲ୍ଡିଂ କାର୍ଯ୍ୟକ୍ଷମ ଥିଲେ ମରାମତି କିମ୍ବା ନବୀକରଣ ବେଳେ ରଙ୍ଗ ବଦଳିବ ବୋଲି ପୂର୍ତ୍ତ ବିଭାଗ ଚିଠିରେ ଦର୍ଶାଇଛି । ବିଭାଗୀୟ କହିଛନ୍ତି, ବର୍ଷା ସରିବା ପରେ ସବୁ ସରକାରୀ କୋଠାର ରଙ୍ଗ ବଦଳାଇବାର ଆବଶ୍ୟକ ପଡ଼ିଥାଏ । ଏହାକୁ ଦୃଷ୍ଟିରେ ରଖି ବିଭାଗ ସହ ଆଲୋଚନା କରାଯାଇ ରଙ୍ଗ ଚୟନ କରାଯାଇଛି ।
ତେବେ ସରକାରୀ କୋଠାର ରଙ୍ଗ ପରିବର୍ତ୍ତନକୁ ନେଇ ମୋହନ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡେଇ । ସେ କହିଛନ୍ତି ଯେ ସରକାରୀ ବିଲଡିଂରେ ରଂଗ ପରିବର୍ତ୍ତନ ନେଇ ସରକାରଙ୍କ ନିଷ୍ପତ୍ତି ସଂକୀର୍ଣ୍ଣ ମାନସିକତାର ପରିଚୟ। ପ୍ରଥମେ ବସର ରଂଗ ପରିବର୍ତ୍ତନ କଲେ, ତାପରେ ସ୍କୁଲ ପିଲାଙ୍କ ୟୂନିଫର୍ମରେ ପରିବର୍ତ୍ତନ କରିଥିଲେ ଏବେ ବିଲଡିଂରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରକୁ ୧୦୦ ଦିନରୁ ଅଧିକ ସମୟ ହୋଇସାରିଲାଣି,ଯେଉଁ ପ୍ରତିଶ୍ରୁତି ଦେଇଥିଲେ କୌଣସିଟି କାର୍ଯ୍ୟକ୍ଷମ ହୋଇନାହିଁ । ରଂଗ ପରିବର୍ତ୍ତନର ସରକାର ନହୋଇ ବିକାଶୋନ୍ମୁଖୀ ସରକାର ହେବା ଦରକାର।