ଭୁବନେଶ୍ୱର: ଆଜି ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଶୁଭାରମ୍ଭ କରାଯାଇଥିବା ଯୁଗାନ୍ତକାରୀ “ସୁଭଦ୍ରା” ଯୋଜନାରେ ଏକ କୋଟିରୁ ଅଧିକ ହିତାଧିକାରୀଙ୍କୁ ପଞ୍ଜୀକୃତ କରିବା ଏକ ବଡ ଉପଲବ୍ଧି ହେବ ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ । ଆଜି ଏହା ପ୍ରମାଣିତ ହୋଇଛି ।
ଆଜି ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ୧ଟଙ୍କା। ୯ ତାରିଖରେ ପ୍ରଥମ କିସ୍ତି ଦିଆଯିବା ଆଗରୁ ଆଜି ପରୀକ୍ଷାମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ଟଙ୍କା ଲେଖାଏଁ ପଠାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କିଛି ସମୟ ଆଗରୁ ସୂଚନା ଦେଥିଲେ। ସେ କହିଛନ୍ତି,ଯେଉଁମାନେ ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇବେ ସେମାନଙ୍କୁ ଖାତାକୁ ଏହି ଟଙ୍କା ଯିବ।
ଆସନ୍ତା ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦାଠାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ । ଏହା ସହ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତା ସଚଳ ଅଛି କି ନାହିଁ ତାହା ପରୀକ୍ଷା କରିବା ସହ ସ୍ଵଚ୍ଛତା ଅନୁଧ୍ୟାନ କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଇଯିବାର ବ୍ୟବସ୍ଥା କରାଯାଇଥିଲା ।