ଭୁବନେଶ୍ବର : ଓଡ଼ିଶା ମୁହାଁ ବାତ୍ୟା ଦାନା । ଭିତରକନିକା – ଧାମରା ମଧ୍ୟରେ କରିବ ଲ୍ୟାଣ୍ଡଫଲ । ଭୟଙ୍କର ରୂପ ନେଉଛି ସାମୁଦ୍ରକ ଝଡ । କେନ୍ଦ୍ରାପଡା ଭଦ୍ରକରେ ପଶିଗଲା ବାତ୍ୟାର ବାହ୍ୟ ବଳୟ । ଦିନରେ ହୋଇଗଲା ରାତିର ଭ୍ରମ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଦାନା ଏବେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ଆଡକୁ ଗତି କରୁଛି । ଆସନ୍ତା କାଲି ସକାଳ ସୁଦ୍ଧା ଏକ ଭୀଷଣ ବାତ୍ୟାରେ ପରିଣତ ହେବ ଦାନା । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ଦାନା । କେତେବେଳେ ମାଡି ଆସୁଛି ତ ପୁଣି କେତେବେଳେ ଧିମେଇ ଯାଉଛି । ଫଳରେ ସମୁଦ୍ରରେ ବଳ ଗୋଟାଇ ଶକ୍ତିଶାଳୀ ହେଉଛି । ବର୍ତ୍ତମାନ ପାରାଦୀପ ଠାରୁ ୪୬୦ କିଲୋମିଟର ଦକ୍ଷିଣ ପୂର୍ବ ଦିଗରେ ରହିଥିବା ବେଳେ ଧାମରା ଠାରୁ ୪୯୦ କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବରେ ରହିଛି । ସେହିଭଳି ସାଗର ଦୀପରୁ ୫୪୦ କିଲୋମିଟର ଦୂରରେ ରହିଛି ବାତ୍ୟା । ବର୍ତ୍ତମାନ ପାରାଦୀପ ଡପଲର ରାଡାରରେ ବାତ୍ୟାକୁ ନିରୀକ୍ଷଣ କରୁଛି ଆଇଏମଡି । ଆସନ୍ତା କାଲି ସୁଦ୍ଧା ବାତ୍ୟା ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ । ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ସମୟରେ ଘଣ୍ଟାପ୍ରତି ୧୦୦ ରୁ ୧୧୦ କିଲୋମିଟର ବେଗରେ ବହିବ ପବନ । ଝଟକା ପବନ ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ।
ବାତ୍ୟା ପ୍ରଭାବରେ କାଲି ଭୀଷଣ ବର୍ଷା ନେଇ ୭ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଏବଂ ଯାଜପୁରରେ ୨୦୦ ରୁ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ, ଢେଙ୍କାନାଳ ଏବଂ କେନ୍ଦୁଝରରେ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୫ ତାରିଖରେ ଭୀଷଣ ବର୍ଷା ନେଇ ୪ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକରେ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ । ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସମୁଦ୍ରରେ ସ୍ବାଭାବିକ ଠାରୁ ୨ ମିଟରରୁ ଅଧିକ ଉଚ୍ଚର ଜୁଆର ଉଠିବ । ଫଳରେ ସମୁଦ୍ର କୂଳ ଲଙ୍ଘିବା ସହ ମାଡିଆସିବ । ଏଥିପାଇଁ ପୁରୀ, ପାରାଦୀପ, ଧାମରା ପୋର୍ଟକୁ ଗ୍ରେଟ୍ ଡେଞ୍ଜର ସିଗ୍ନାଲ ନମ୍ବର–୧୦ ଜାରି କରାଯାଇଛି ।
ସେପଟେ ସ୍ଥଳଭାଗ ଛୁଇଁ ସାରିଛି ବାତ୍ୟାର ବାହ୍ୟବଳୟ । ଯାହା ପ୍ରଭାବରେ ଧାମରା, ପାରାଦୀପ, ରାଜନଗର, ଭଦ୍ରକ ଓ ବାଲେଶ୍ୱରରେ ବର୍ଷା ଆରମ୍ଭ ହୋଇଯାଇଛି । ତେବେ କେଉଁ ସବୁ ଜିଲ୍ଲାରେ ରହିବ ବାତ୍ୟାର ବେଶୀ କୋପ ? IMD ଡିଜି କହିଛନ୍ତି- ୪ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକରେ ରହିବ ସାଇକ୍ଲୋନର ଅଧିକ ପ୍ରଭାବ । ଏସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସହ ପବନ ବହିବ । ସେମିତି ପାର୍ଶ୍ୱବର୍ତ୍ତୀ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ମୟୂରଭଂଜ, କେନ୍ଦୁଝର ଓ ଢେଙ୍କାନାଳରେ ବି ପ୍ରବଳ ବର୍ଷିବ । ୨୪- ୨୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। କିଛି ସ୍ଥାନରେ ୨୦ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏଥିଯୋଗୁଁ ଗଛପଡ଼ି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ ଖୁଣ୍ଟି ଭାଙ୍ଗିପାରେ। ମାଟି, ଆଜବେଷ୍ଟସ ଘର କ୍ଷତି ହେବା ସହ ଧାନ ଫସଲକୁ ବିପଦ ପହଞ୍ଚାଇବାର ଆଶଙ୍କା ରହିଛି।
ଖାଲି ବର୍ଷା-ପବନ ନୁହଁ, ଭୀଷଣ ବାତ୍ୟା ପ୍ରଭାବରେ ଉଠିବ ଉଚ୍ଚ ସାମୁଦ୍ରିକ ଜୁଆର । କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକରେ ୧ରୁ ୨ ମିଟର ଯାଏଁ ଜୁଆର ଆସିବା ନେଇ ବି ଚେତାଇ ଦେଇଛନ୍ତି ଆଇଏମଡି ଡିଜି । କହିଛନ୍ତି ଜଗତସିଂହପୁର ଉପକୂଳରେ ବି ଅଧରୁ ୧ ମିଟର ଉଚ୍ଚତାର ଜୁଆର ଆସିପାରେ। ବ୍ରାହ୍ମଣୀ ଓ ବୈତରଣୀ ନଦୀ ଜରିଆରେ ଲୁଣିପାଣି ପଶି ଆସିପାରେ । ଏପଟେ ବାତ୍ୟା ପାଇଁ ପୁରୀ, ପାରାଦୀପ, ଗୋପାଳପୁର ଓ ଧାମରା ବନ୍ଦରରେ ବିପଦ ସଙ୍କେତ ନମ୍ବର କ୍ରମାଗତ ବଢ଼ାଯାଉଛି । ଏଣେ ବାତ୍ୟା ମୁକାବିଲା ପାଇଁ ପୁରା ଆକ୍ସନ ମୋଡରେ ଅଗ୍ନିଶମ, ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍ । ୧୩ ଜିଲ୍ଲାରେ ୧୮୨ଟି ଅଗ୍ନିଶମ ବାହିନୀ ଟିମ୍ ମୁତୟନ ହୋଇଥିବାବେଳେ ୫୧ ଓଡ୍ରାଫ୍ ଓ ୧୯ ଏନଡିଆରଏଫ୍ ଟିମ୍ ସାଜ ସରଞ୍ଜାମ ଧରି ସଜାଗ ହୋଇଗଲେଣି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀକୁ ଯାଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ ଏବଂ ପୁରୀ ଜିଲ୍ଲାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଡେରା ପକାଇଛନ୍ତି।














