ରାଜ୍ୟ ମ୍ୟୁଜିୟମ ଓ ରବୀନ୍ଦ୍ର ମଣ୍ଡପ, ରାଜ୍ୟ ଅଭିଲେଖାଗାର ଓ ଲାଇବ୍ରେରୀ ବନ୍ଦ ରହିବ
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସର୍ବସାଧାରଣଙ୍କ ପରିଦର୍ଶନ ନିମନ୍ତେ ଓଡ଼ିଶା ରାଜ୍ୟ ମ୍ୟୁଜିୟମ ସମେତ ରାଜ୍ୟ ଅଭିଲେଖାଗାର ଓ ଲାଇବ୍ରେରୀ ୨ଦିନ ପାଇଁ ବନ୍ଦ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ ଓ ଭଞ୍ଜକଳା ମଣ୍ଡପ ମଧ୍ୟ ୨ଦିନ ବନ୍ଦ ରହିବ । ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଓ ୨୫ତାରିଖ ଦୁଇଦିନ ଧରି ସର୍ବସାଧାରଣଙ୍କ ପରିଦର୍ଶନ ନିମନ୍ତେ ଓଡ଼ିଶା ରାଜ୍ୟ ମ୍ୟୁଜିୟମ, ରାଜ୍ୟ ଅଭିଲେଖାଗାର ଓ ହରେକୃଷ୍ଣ ମହତାବ ରାଜ୍ୟ ଲାଇବ୍ରେରୀ ବନ୍ଦ ରହିବ । ସେହିପରି ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ତ ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ଓ ସ୍କୁଲଗୁଡ଼ିକ ମଧ୍ୟ ଏହି ଦିନ ବନ୍ଦ ରହିବ । ବିଭାଗ ଅଧୀନରେ ଥିବା ସମସ୍ତ ମଣ୍ଡପକୁ ମଧ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଗୁରୁବାର ଓ ଶୁକ୍ରବାର ଭୁବନେଶ୍ୱରରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ। ଏହି ସମୟରେ କୌଣସି ପର୍ଯ୍ୟଟକ ନଆସିବା ପାଇଁ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି। ବାତ୍ୟା ‘ଦାନା’ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ବାତ୍ୟା ସମୟରେ ଜୀବ ଯନ୍ତୁମାନଙ୍କୁ ଖୁଆଡ଼ରେ ଭର୍ତ୍ତି କରାଯିବ। ସେମାନଙ୍କ ପାଇଁ ପର୍ଯ୍ୟପ୍ତ ପରିମାଣର ଖାଦ୍ୟ ମହଜୁଦ୍ ରଖାଯାଇଛି। ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ। ଯଦି କୌଣସି ସ୍ଥାନରେ ପାଚେରୀ ଭାଙ୍ଗିଯାଏ, ତାହାହେଲେ ଶୀଘ୍ର ମରାମତି କରିବା ପାଇଁ ଟିମ୍ ଗଠନ କରାଯାଇଛି ବୋଲି ପିସିସିଏଫ୍ କହିଛନ୍ତି।














