ମଧ୍ୟରାତ୍ରୀରୁ ଆରମ୍ଭ ହେଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା
ପରାଦୀପରେ ସର୍ବାଧିକ ୬୨.୯ ମି.ମି. ବର୍ଷା ରେକର୍ଡ
ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସାମୁଦ୍ରିକ ବାତ୍ୟା ‘ଦାନା’ ସୃଷ୍ଟି ହୋଇଛି। ‘ଦାନା’ର ପ୍ରଭାବ କେନ୍ଦ୍ରାପଡ଼ାଠାରୁ ବାଲେଶ୍ବର ଉପକୂଳ ପର୍ଯ୍ୟନ୍ତ ରହିଛି। ମାତ୍ର ଲାଣ୍ଡଫଲ ପୂର୍ବରୁ ତୋଡ଼ ଦେଖାଇଛି ବାତ୍ୟା ଦାନା । ଏବେ ଏହା ପାରାଦୀପରୁ ୭୦ କିମି ଦୂରରେ ଅଛି। ସେହିଭଳି ଧାମରା ଠାରୁ ୧୦୦ କିମି ଦୂରରେ ଅଛି। ବାତ୍ୟା ‘ଦାନା’ ଏବେ ଘଣ୍ଟାକୁ ୧୦ରୁ ୧୨ କିମି ବେଗରେ ଆଗକୁ ବଢୁଛି। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେକ ମୃତ୍ୟୁଞ୍ଜୟ ମହାପାତ୍ର ଦେଇଛନ୍ତି ଏହି ସୂଚନା। ସେ କହିଛନ୍ତି, ବାତ୍ୟା ଆଜି ମଧ୍ୟରାତ୍ରରୁ କାଲି ସକାଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ମଧ୍ୟରାତ୍ରରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଭିତରକନିକା-ଧାମରା ପାଖରେ ବାତ୍ୟା ‘ଦାନା’ଉପକୂଳ ଅତିକ୍ରମ କରିବ। ତେବେ ବାତ୍ୟା ସମୟରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଆଶଙ୍କା ରହିଛି। ୧୬ ଜିଲାରେ ମଧ୍ୟମ ଧରଣର ଅଚାନକ ବନ୍ୟା ଆସିପାରେ। ସେହି ଜିଲାଗୁଡିକ ହେଉଛି ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ। ଏହି ସବୁ ଜିଲାଗୁଡିକରେ ବନ୍ୟା ଆସିପାରେ। ଆଜି ମଧ୍ୟରାତ୍ରରୁ ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ। ରାତି ୩ଟାରୁ ଭୋର୍ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବ। ବାତ୍ୟାର ସବୁଠୁ ଅଧିକ ପ୍ରଭାବ କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଓ ଜଗତସିଂହପୁର ଜିଲା ଉପରେ ପଡିବ। ଲ୍ୟାଣ୍ଡଫଲ ବେଳେ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ।
ଅନ୍ୟପକ୍ଷରେ ଉପକୂଳ ଓଡ଼ିଶା ବିଶେଷ କରି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ଜଗତ୍ସିଂହପୁର ଜିଲ୍ଲାରେ ଲଗାଣ ବର୍ଷା, ପବନ ସାଙ୍ଗକୁ ଅଶାନ୍ତ ହୋଇ ଉଠିଛି ସମୁଦ୍ର । କେଉଁଠି ସମୁଦ୍ର କୂଳ ଲଂଘିଛି, ତା ଆଉ କେଉଁଠି ଆସିଛି ଉଚ୍ଚ ଉଚ୍ଚ ଜୁଆର। ସେହିଭଳି ଆଉ କିଛି ଜିଲ୍ଲାରେ ଗଛ ଓ ବିଜୁଳି ଖୁଣ୍ଟ ଉପୁଡ଼ିଥିବା ଚିତ୍ର ସାମନାକୁ ଆସିଛି । ଭଦ୍ରକର ଧାମରା, କେନ୍ଦ୍ରାପଡ଼ାର ଭିତରକନିକା । ବାତ୍ୟା ଦାନା ଏ ଦୁଇ ଅଞ୍ଚଳ ମଧ୍ୟରେ ସ୍ଥଳଭାଗ ଛୁଇଁବା ପୂର୍ବରୁ ଅଶାନ୍ତ ଓ ଅସ୍ଥିର ହୋଇଛି ସମୁଦ୍ର । ଲାଣ୍ଡଫଲର କେଇ ଘଣ୍ଟା ଆଗରୁ ଆଜି ଦିନ ତମାମ ଦେଖିବାକୁ ମିଳିଛି ଉପକୂଳ ଅଞ୍ଚଳରେ ସମୁଦ୍ରର ଏଭଳି ଉଗ୍ର ରୂପ । କେନ୍ଦ୍ରାପଡ଼ା ଏବଂ ମହାକାଳପଡ଼ାରେ ବିଭିନ୍ନ ସ୍ଥାନରେ ରାସ୍ତାରେ ଗଛ ଉପୁଡି ପଡ଼ିଛି। ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଗଛ କାଟି ରାସ୍ତା ସଫା କରୁଛନ୍ତି। ଉତ୍ତର ଓଡ଼ିଶାରେ ମଧ୍ୟ ବର୍ଷା ପବନର ପ୍ରଭାବ ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନ ଏବଂ ମୟୂରଭଞ୍ଜ ଜିଲ୍ଲା ବେତନଟୀରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡ଼ିଛି।
ଭୀଷଣ ବାତ୍ୟା ‘ଦାନା’ ଆଜି ମଧ୍ୟରାତ୍ରରୁ ଆସନ୍ତାକାଲି ସକାଳ ମଧ୍ୟରେ ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ପବନ ଜାରି ରହିଛି। ‘ଦାନା’ ପ୍ରଭାବରେ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଯାଜପୁର, ବାଲେଶ୍ୱର ଓ ମୟୁରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାର କିଛି କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ଼ ଓ ଢେଙ୍କାନାଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ତା’ ମଧ୍ୟରେ କନ୍ଧମାଳ ମଧ୍ୟ ରହିଛି। ୟେଲୋ ୱାର୍ଣ୍ଣିଂ ପାଇଥିବା ଅନ୍ୟ ଜିଲ୍ଲାଗୁଡ଼ିକ ହେଉଛନ୍ତି ଗଞ୍ଜାମ, ବୌଦ୍ଧ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କନ୍ଧମାଳ।
‘ଦାନା’ର ପ୍ରଭାବ ପ୍ରାୟ ୯ଟି ଜିଲ୍ଲା ଉପରେ ପଡ଼ିବ ବୋଲି ଆକଳନ କରାଯାଇଛି। ଏହାକୁ ନଜରରେ ରଖି ୯ଟି ଜିଲ୍ଲାରେ ବାତ୍ୟା ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୯ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି। ଏହାସହ ବାତ୍ୟା ଦ୍ବାରା ଅଧିକ ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲା ପାଇଁ ୬ଜଣ ବରିଷ୍ଠ ଆଇଏଏସ୍ଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଆଜି ମନ୍ତ୍ରୀ ଓ ଆଇଏଏସ୍ଙ୍କୁ ଦାୟିତ୍ବ ଦେଇଛନ୍ତି।
ବାତ୍ୟା ‘ଦାନା’ର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମଳିଛି । ବାତ୍ୟା ଦାନା କୂଳକୁ ମାଡ଼ି ଆସୁଥିବା ବେଳେ ଏହାର ପ୍ରଭାବ ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଲାନି । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାରେ ଲାଗିଛି । ଏହାସହ ଉପକୂଳ ଜିଲ୍ଲାଗୁଡିକରେ ପବନର ବେଗ ଧିରେ ଧିରେ ବଢ଼ିବାରେ ଲାଗିଛି । ପାରାଦୀପରେ ସର୍ବାଧିକ ୬୨.୯ ମି.ମି. ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଏହା ପଛକୁ ରହିଛି ଚାନ୍ଦବାଲି । ଏଠାରେ ୪୬.୨ ମି.ମି. ବର୍ଷା ରେକର୍ଡ କରାଯାଇଛି । କୁଜଙ୍ଗ ଓ ରାଜନଗରରେ ୨୭ ମି.ମି. ବର୍ଷା ରେକର୍ଡ କରାଯାଇଥିବା ନୀଳଗିରିରେ ୨୩ ମି.ମି. ବର୍ଷା ରେକର୍ଡ କରାଯାଇଛି । ସେହିପରି ପଟ୍ଟାମୁଣ୍ଡାଇରେ ୨୨.୫ ମି.ମି., ଆଳିରେ ୨୧ ମି.ମି., ସୋର ଓ ବେତନଟୀରେ ୧୯ ମି.ମି., ଔପଦାରେ ୧୮ ମି.ମି., ଧାମନଗର ଓ ସାରସକଣାରେ ୧୬ ମି.ମି., ବାଙ୍ଗିରିପୋଷିରେ ୧୨.୬ ମି.ମି. ଓ ଭଦ୍ରକରେ ୧୨.୩ ମି.ମି. ବର୍ଷା ରେକର୍ଡ କରାଯାଇଛି ।














