ଭୁବନେଶ୍ୱର:ଆରପାରିରେ ବିଜେପିର ବରିଷ୍ଠ ନେତା ସମୀର ଦେ । ବିଜେପିର ବରିଷ୍ଠ ନେତା ତଥା ତିନି ତିନି ଥର ବିଧାୟକ ସମୀର ଦେ’ ପରଲୋକ । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ସମୀର ଦେଙ୍କ ପରଲୋକ ଘଟିଛି । ତେବେ ଦୀର୍ଘ ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ, ଆଉ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ପରଲୋକ ଘଟିଛି । ଜଣେ ପ୍ରବୀଣ ରାଜନେତା ଭାବେ ବେଶ ଲୋକପ୍ରିୟ ଥିଲେ ସମୀର ଦେ । ଏମିତି କି ୨୦୦୪ରୁ ୦୯ ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟ ସରକାର ଅମଳରେ ସେ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ ମଧ୍ୟ ରହିଥିଲେ । କଟକ ସହରରୁ ୩ ଥର ବିଧାୟକ ରହିଥିଲେ । ୧୯୯୫ ମସିହାରୁ ଆରମ୍ଭ କରି ୨୦୦୦ ମସିହା ଓ ୨୦୦୪ ମସିହାରେ ସେ ଲଗାତାର ବିଧାନସଭାକୁ ନିର୍ବାଚିତ ହେଇଥଲେ । ହେଲେ ଏହା ପରଠୁ କିନ୍ତୁ ସେ ନିର୍ବାଚନରେ ସଫଳତା ପାଇନଥିଲେ । ହେଲେ ରାଜ୍ୟ ବିଜେପିର ଜଣେ ଜଣାଶୁଣା ଚେହେରା ଥିଲେ ସମୀର ଦେ ।
ସମୀର ଦେଙ୍କ ପରଲୋକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖିଛନ୍ତି ଯେ, ‘ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ’।
ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ‘ଏକ୍ସ’ରେ ଲେଖିଛନ୍ତି ଯେ, “ସମୀର ଦେ, ଆମେ ପ୍ରିୟ ଦାଦା ଇହ ଧାମରେ ନାହାନ୍ତି ଶୁଣି ବିଶ୍ୱାସ ହଉନି। ରାମ ଜନ୍ମଭୂମି ଆନ୍ଦୋଳନ ସମୟରୁ କଟକ ସହର ଏବଂ ଆଖପାଖ ଅଞ୍ଚଳରେ ବ୍ୟକ୍ତିଗତ ଭାବରେ ପହଞ୍ଚାଇ ଆମ ଦଳ ପାଇଁ ଏକ ମଡେଲ ଭାବରେ ପ୍ରସ୍ତୁତ କରିଥିଲେ। ୧୯୯୫ ମସିହାରେ ବିଧାନସଭାରେ ପ୍ରବେଶ କରି ଓଡ଼ିଆଙ୍କ ଜନ ଆକାଂକ୍ଷାକୁ ବଡ଼ ରୂପ ଦେଇ ଦଳ ବିକାଶର ଭିତ୍ତି ପ୍ରସ୍ତର ପକାଇଥିଲେ। ୨୦୦୦ ଓ ୨୦୦୪ ରେ ମନ୍ତ୍ରୀ ଭାବରେ ନିଜର ଦକ୍ଷତାକୁ ପ୍ରତିପାଦିତ କରିଥିଲେ। ତାଙ୍କର ବିୟୋଗ କେବଳ ଆମ ଦଳ ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ବିରାଟ କ୍ଷତି ।
ଏହି ଦୁଃଖକୁ ଶଯ୍ୟ କରିବାପାଇଁ ତାଙ୍କ ପରିବାରକୁ ମହାପ୍ରଭୁ ଅସୀମ ଶକ୍ତି ଦିଅନ୍ତୁ। ଏହା ହିଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା | ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, “ପୂର୍ବତନ ନଗର ଉନ୍ନୟନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ରାଜନେତା ସମୀର ଦେଙ୍କ ଦେହାନ୍ତ କଥା ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ l ମାତ୍ର ୬୭ ବର୍ଷ ବୟସରେ ତାଙ୍କ ପରଲୋକ ହେବା ନିଶ୍ଚିତ ରୂପେ ଦୁଃଖର ବିଷୟ l ୨୦୦୦ ଓ ୨୦୦୪ ମସିହାରେ କଟକ ନିର୍ବାଚନ ମଣ୍ଡଳୀରୁ ସେ ଦୁଇ ଦୁଇ ଥର ନିର୍ବାଚିତ ହୋଇ ନଗର ଉନ୍ନୟନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଗୁରୁ ଦାୟିତ୍ଵ ତୁଲାଇଥିଲେ l ଭାରତୀୟ ଜନତା ଦଳକୁ ସୁଦୃଢ କରିବାରେ ତାଙ୍କ ଅବଦାନ ଅବିସ୍ମରଣୀୟ l ସେ ଜଣେ ମିଷ୍ଟଭାଷୀ, ମେଳାପୀ, ପରୋପକାରୀ ଏବଂ ସହୃଦୟ ବ୍ୟକ୍ତି ଥିଲେ l ତାଙ୍କର ଏହି ବିୟୋଗ ଓଡ଼ିଶାରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି l
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ରେ ଲେଖିଛନ୍ତି ଯେ, “ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଆମ ଦଳର ବରିଷ୍ଠ ନେତା ସମୀର ଦେଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଦାଦା ଜଣେ ମିଷ୍ଟଭାଷୀ ଓ ପରୋପକାରୀ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କୁ ସବୁବେଳେ ଭେଟିବା ସମୟରେ ତାଙ୍କର ପରିବାର ସଦସ୍ୟଙ୍କ ଠାରୁ ମିଳିଥିବା ସ୍ନେହ ଆଦର ଅଭୁଲା ରହିବ ।
ବିଜେପିର ପ୍ରାରମ୍ଭିକ ପ୍ରଗତି ସମୟରେ ଉପକୂଳ ଓଡ଼ିଶାରେ ଅଭ୍ୟୁଦୟର କେନ୍ଦ୍ରବିନ୍ଦୁ ଭାବେ କଟକ ସହରରୁ ଆମ ଦଳର ରାଷ୍ଟ୍ରବାଦୀ ବିଚାରକୁ ଜନପ୍ରିୟ କରାଇବାରେ ସେ ପ୍ରମୁଖ ଭୂମିକା ନେଇଥିଲେ । ଦାଦାଙ୍କ ବିୟୋଗରେ ଓଡ଼ିଶା ଜଣେ ସ୍ନେହୀ ଓ ଦକ୍ଷ ନେତାଙ୍କୁ ହରାଇଲା । ଜନପ୍ରତିନିଧି ଭାବେ ସେ ଯେଉଁ ଉନ୍ନତିମୂଳକ କାର୍ଯ୍ୟ କରିଯାଇଛନ୍ତି, ତାହା ସବୁଦିନ ପାଇଁ ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । “