ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି
ଭୁବନେଶ୍ବର: ଟାକୁଆ ଟ୍ରାଜେଡିରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଜିତା ମାଝୀ । ଏହା ସହିତ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି । କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜିତାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ସରକାରକୁ କାଠଗଡ଼ାକୁ ଟାଣିଛି ବିଜେଡି । ମୃତ ଜିତା ମାଝୀଙ୍କ ଆମର ଆତ୍ମାର ସଦଗତି କାମନା କରିବା ସହ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଏହାସହ ଆମ୍ବ ଟାକୁଆକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ଆଭିମୁଖ୍ୟକୁ କଡ଼ା ଭାଷାରେ ନିନ୍ଦା କରିଛି ଦଳ ।
ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ସେ କହିଛନ୍ତି, ରାଜ୍ୟବାସୀ ଏ ଘଟଣାକୁ ଅନୁଭବ କରିବେ ଯେ ଖାଦ୍ୟ ବିନା ଆଜି ବି ଏକବିଂଶ ଶତାବ୍ଦୀରେ ମୃତ୍ୟୁ ଘଟୁଛି । ସମଗ୍ର ରାଜ୍ୟବାସୀଙ୍କ ପାଇଁ ଏହା ଏକ ଆହ୍ୱାନ । ଏ ବିଷୟରେ ସରକାର ଯେତେ ଫାଙ୍କିଲେ ଓ ମନ୍ତ୍ରୀମାନେ ସେହି ବର୍ଗକୁ ଯେତେ ଅପମାନିତ ବି କଲେ ସତକୁ ଲୁଚାଇ ପାରିବେନି । ଏଭଳି ଏକ ଅଭାବନୀୟ ଘଟଣାରେ କେହି କାହିଁକି ଦଣ୍ଡିତ ହେବେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେହିଭଳି ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଓ ରାଧାକାନ୍ତ ସେଠୀ ମଧ୍ୟ ସିଧାସଳଖ ସରକାରଙ୍କୁ ଦାୟୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟକୁ ପ୍ରତିନିଧିତ୍ବ କରୁଥିଲେ ବି ସେମାନଙ୍କ ପେଟର ଦୁଃଖ ବୁଝୁନାହାଁନ୍ତି । ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ଉଦଘାଟନୀ ଉତ୍ସବକୁ ଗଲେ ହେଲେ ଏସସିବି ଚିକିତ୍ସାଧୀନ ମାଣ୍ଡିପଙ୍କାର ମହିଳାଙ୍କୁ ଭେଟିଲେନି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଘଟଣା ପରଠାରୁ ଜିତା ଏସସିବିରେ ଚିକିତ୍ସିତ ହେଉଥିଲେ । ତାଙ୍କର କିଡନୀ ଓ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ କାମ କରୁ ନଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ । ଏବେ ବି ଜଣେ କଟକରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ଆଗରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଖାଦ୍ୟ ଅଭାବରୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ମାଣ୍ଡିପଙ୍କା ଗାଁର କିଛି ମହିଳା ଆମ୍ଵ ଟାକୁଆରୁ ବାହାରୁଥିବା କୋଇଲି ଜାଉ ଖାଇଥଲେ । ଏଥିରେ ପ୍ରଥମେ ରୁନି ମାଝୀ ଏବଂ ରନିତା ପାଟମାଝୀଙ୍କ ମୃତ୍ୟୁ ଘଟିଥିଲା ।