ଚାଷୀଙ୍କୁ ଶୋଷଣକରି ଦଲାଲ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି ଟ୍ରକଟ୍ରକ ଧାନ
ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଚାଷୀଙ୍କୁ ଦଲାଲ ଶୋଷଣ କରିବା ଆରମ୍ଭ କରିଦେଲେଣି । ଚାଷୀଙ୍କ ଠାରୁ କମ ମୂଲ୍ୟରେ ଧାନ କିଣି ଟ୍ରକ ଟ୍ରକ ଧାନ ବାହାର ରାଜ୍ୟକୁ ଚାଲାଣକରି ମାଲାମାଲ ହେଲେଣି । ସରକାରୀ ଧାନ ମଣ୍ଡି ଖୋଲିବା ବିଳମ୍ବ ହେବାରୁ ଦଲାଲମାନେ ଏହାର ସୁଯୋଗ ନେଇ ଚାଷୀଙ୍କୁ ଶୋଷଣ କରୁଛନ୍ତି । ସରକାରୀ ଧାନମଣ୍ଡି ନ ଖୋଲିବା ଫଳରେ ଚାଷୀ କମ ମୂଲ୍ୟରେ ଧାନ ବିକି ଶୋଷଣର ଶିକାର ହେଉଥିବା ଜଣାଯାଇଛି। ସରକାରଙ୍କର ଦଲାଲ ମାନଙ୍କ ଉପରେ କୌଣସି ଅଙ୍କୁଶ ନ ଥିବାରୁ ସେମାନେ ନିର୍ଭୟରେ ଚାଷୀଙ୍କୁ ଶୋଷଣ କରୁଛନ୍ତି ।ଆସନ୍ତା ୨୭ତାରିଖ ଠାରୁ ବିଭିନ୍ନ ସମବାୟ ସମିତି ଓ ଏସଏଚଜି ମାଧ୍ୟମରେ ଧାନ ସଂଗ୍ରହ କରାଯିବାକୁ ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି ।ଇତି ପୂର୍ବରୁ ବାହାର ରାଜ୍ୟର ବେପାରୀଙ୍କ ଦ୍ୱାରା ନିଯୁକ୍ତ ଦଲାଲ ସକ୍ରିୟ ହୋଇ ଫାଇଦା ଉଠାଇବାରେ ଲାଗିପଡିଛନ୍ତି । ଯାହାଦ୍ୱାରା ପ୍ରତିଦିନ ଟ୍ରକଟ୍ରକ ଧାନ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଜଣାଯାଇଛି। ଚଳିତ ଖରିଫ ଋତୁରେ ଚାଷୀମାନେ ପ୍ରତିକୂଳ ପରିସ୍ଥିତିରେ ଧାନ ଚାଷ କରିଛନ୍ତି । ଏପରିକି ଧାନ ଥୋଡ଼ ବେଳେ ବାତ୍ୟା ଦାନା ମଧ୍ୟ ବହୁ କ୍ଷତି ଘଟାଇଛି କ୍ଷ ତେବେ କ୍ଷେତରେ ଯେଉଁ ଧାନ ରହିଛି ତାକୁ କେମିତି ଶୀଘ୍ର ଅମଳ କରିବା ସେନେଇ ଚାଷୀଙ୍କ ଭିତରେ ତତ୍ପରତା ପ୍ରକାଶ କରି ଧାନ ଅମଳ ଆରମ୍ଭ କରିଦେଇଛନ୍ତି । ତେବେ ଧାନ ଅମଳ ଆରମ୍ଭ କରୁକରୁ ଚାଷୀଙ୍କ ନିକଟରେ ଦଲାଲଙ୍କ ଭିଡ଼ ଜମିଲାଣି । ସେମାନେ ଚାଷୀଙ୍କୁ ନଗଦ ଟଙ୍କା ଦେଇ କମ ମୂଲ୍ୟରେ ଧାନ କିଣି ନେଉଥିବା ଜଣାଯାଇଛି । ଚଳିତ ବର୍ଷ ସରକାର ଏଫଏକ୍ୟୁ ଧାନର ମୂଲ୍ୟ କୁଇଂଟାଲ ପିଛା ୩୧୦୦ଟଙ୍କା ଧାର୍ଯ୍ୟ କରିଛନ୍ତି । ଚାଷୀଙ୍କୁ ନଗଦ ୨୩ଶହ ଟଙ୍କା ମିଳିବାକୁ ଥିବାବେଳେ ଅବଶିଷ୍ଟ ୮ଶହ ଟଙ୍କା ବୋନସ ଆକାରରେ ଦିଆଯିବାକୁ ସରକାର ଘୋଷଣା କରିଛନ୍ତି। ମାତ୍ର ଦଲାଲ ଚାଷୀଙ୍କୁ ଶିଖାଇ ବୁଝାଇ ଚାଷୀଙ୍କ ଠାରୁ କମ ମୂଲ୍ୟରେ ଧାନ କିଣିନେଇ ଚଢାଦରରେ ବାହାର ରାଜ୍ୟ ବ୍ୟବସାୟୀଙ୍କୁ ବିକ୍ରି କରୁଛି । ନିଜର ଗୁଜରାଣ ମେଂଟାଇବା ସହ ହାତ ଉଧାର ଶୁଝିବାକୁ ଚାଷୀ ବେପାରୀମାନଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି । ତିହିଡି ବ୍ଲକରେ ୧୪ଟି ସମବାୟ ସମିତି ଓ ୯ଟି ଏସଏଚଜି ମାଧ୍ୟମରେ ଧାନ ସଂଗ୍ରହ କରାଯାଇ ଥାଏ । ଚଳିତ ବର୍ଷ ମଧ୍ୟ ସେହି ମାଧ୍ୟମରେ ଧାନ ସଂଗ୍ରହ କରାଯିବ । ତେବେ ରାଇସମିଲ ପରିବର୍ତେ ସରକାର ସିଧା ସଳଖ ଧାନ କ୍ରୟ କରିବେ ବୋଲି ଜଣାଯାଇଛି କ୍ଷ ସରକାରୀ ଭାବେ ଧାନ ସଂଗ୍ରହରେ ବିଳମ୍ବ ହେଉଥିବାରୁ ଚାଷୀ ଅଭାବୀ ବିକ୍ରୀରେ ପଡୁଥିବା ଜଣାଯାଇଛି। ଅପରପକ୍ଷେ ଦଲାଲଙ୍କ ଉପରେ ସରକାର ଓ ପ୍ରଶାସନର ଅଙ୍କୁଶ ନଥିବାରୁ ଚାଷୀଙ୍କୁ ସେମାନେ ଶୋଷଣ କରିବାରେ ସୁଯୋଗ ପାଉଥିବା ଆଲୋଚନା ହେଉଛି । ଏ ସମ୍ପର୍କରେ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଶରତ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ , ଆସନ୍ତା ୨୭ତାରିଖ ଠାରୁ ସରକାରୀ ଧାନ ମଣ୍ଡି ଖୋଲାଯାଇ ଧାନ ସଂଗ୍ରହ କରାଯିବ ।ଏଥିସହ ଚାଷୀମାନେ କିପରି ଠିକରୂପେ ଧାନ ବିକି ପାରିବେ ସେ ଦିଗରେ ପଦକ୍ଷେପ ନିଆଯିବ।