ଭଦ୍ରକ: ଧାର କରଜ କରିବା ସହ ଋଣ କରି ଚାଷୀ କେତେ ଆଶା ରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷ କରିଥିଲା । ବର୍ଷକ ପାଇଁ ମଧ୍ୟ ରୋଜଗାରର ଅର୍ଥ ଆସି ଥାଆନ୍ତା। ପରନ୍ତୁ ନିକଟ ରେ ଦାନା ବାତ୍ୟା ଚାଷୀର ଅଧା ଦାନା ଛଡାଇ ନେଇଯାଇଥିଲା। ଆଉ ଯାହା ପଡି ଝଡି ରହିଥିଲା ଏହି ଲଘୁ ଚାପ ବର୍ଷା ସବୁ ନଷ୍ଟ କରିଦେଲା। ଚଳିତ ବର୍ଷ ଧାମନଗର ବ୍ଲକ ଅଂଚଳରେ ୧୭୮୯୨ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ୧ ହଜାର ହେକ୍ଟର ଜମିରେ ଅଣ ଧାନ ଚାଷ ହୋଇଥିବା ଜଣା ଯାଇଛି। ବଙ୍ଗୋପସାଗରରେ ଲଘୁଚାପ ଚାପ ପ୍ରଭାବରେ ଦୁଇ ଥର ଲଗାଣ ବର୍ଷା ରେ ପାଚିଲା ଧାନ କଟା ଅବା ଅକଟା ଅବସ୍ଥାରେ କିଆରିରେ ପଡ଼ିଛି। କିଛି ଚାଷୀ ସେଥିରୁ କିଛି ଧାନ ଖଳାକୁ ଆଣିଥିବା ବେଳେ ଆଉ ସବୁ ବିଲରେ ପଡ଼ିରହି ଝିପି ଝିପି ବର୍ଷାରେ ଭିଜୁଛି। ଏହି ସମୟରେ ଦାଉ ସାଧୁଥିବା ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ ମୁଣ୍ଡ ରେ ହାତ ଦେଇ ବସିଛି। ପାଚିଲା ଧାନ କଟା ହୋଇ ବିଲ ରେ ପଡି ଥିବା ବେଳେ ଲଗାଣ ବର୍ଷା ରେ କଟା ଧାନ ବିଲରେ ଭାସୁଛି।ଅଧିକାଂଶ ସ୍ଥାନ ରେ ମଧ୍ୟ ଧାନ ଗଜା ହୋଇ ଗଲାଣି। ଯାହା ଋଣ କରି ଚାଷୀ ଧାନ ଚାଷ କରିଥିଲା ଧାନ ତ ନଷ୍ଟ ହେଲା ଏବେ ଚାଷୀ କେମିତି ସରକାରି ଋଣ ଶୁଝିବ ସେ ନେଇ ଚିନ୍ତା ର ବିଷୟ ହୋଇଛି। ସରକାର ଙ୍କ ନିର୍ଦେଶ କ୍ରମେ ଆଜି ଧାମନଗର କୃଷି ଅଧିକାରି ଦେବସ୍ମିତା ତ୍ରିପାଠୀ ଓ ଅନ୍ୟ କୃଷି କର୍ମ ଚାରି ମାନେ ବର୍ଷା ପାଣି ରେ ଥିବା ଧାନ ଦେଖିଥିଲେ । ଏ ଦିଗରେ ଜିଲ୍ଲାପାଳ ଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି କୃଷି ଅଧିକାରିଣୀ ସୁଚନା ଦେଇଥିଲେ ।