ଭୁବନେଶ୍ୱର : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଶେରଗଡ଼ର ଟକରଡ଼ା,ହିଞ୍ଜିଳିର ପୋଡିଙ୍ଗି,ଆସ୍କାର ବରଗାଁ, କବିସୂର୍ଯ୍ୟନଗରର ଆମ୍ବିଶିଖରପୁର ଓ ଖଲିକୋଟର ଭରସାଗାଁ ଆଜି ଅଞ୍ଚଳରେ କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ। ଏହି ସମୟରେ ହଜାର ହଜାର ଛାଡି,ମହିଳା ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ।ସେମାନେ ଅଭିଯୋଗ କରିଥିଲେ ଯେ ବର୍ଷା ଛାଡି ଯିବାର ଏତେ ଦିନ ପରେ ମଧ୍ୟ କୌଣସି ସରକାରୀ କର୍ମଚାରୀ ଏ ପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନରେ ଆସିନାହାନ୍ତି। ବର୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରା ଯାଇଥିଲେ ଫସଲ ବଞ୍ଚି ଯାଇଥାନ୍ତା ବୋଲି ଚାଷୀ ମାନେ କ୍ଷୋଭ ପ୍ରକାଶ କରିଥିଲେ। ସେହିପରି ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାରଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ ବୋଲି ଚାଷୀ ମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ନବୀନ ପଟ୍ଟନାୟକ ଚାଷୀ ମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ସେ ସବୁବେଳେ ଚାଷୀ ଭାଇ ଭଉଣୀଙ୍କ ସହ ଅଛନ୍ତି ଓ ସେମାନଙ୍କ ହକ ପାଇଁ ଲଢେଇ କରିବେ। ବର୍ଷା ସମ୍ପର୍କରେ ଆଗୁଆ ସୂଚନା ମିଳିଥିଲେ ଫସଲ ବଞ୍ଚି ଯାଇଥାନ୍ତା ବୋଲି ନବୀନ ପଟ୍ଟନାୟକ ମତ ଦେଇ କହିଥିଲେ ଯେ ଗଞ୍ଜାମର ଚାଷୀକୁଳ ଦୁଃଖରେ ଅଛନ୍ତି। ଅଦିନିଆ ବର୍ଷା ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ତେଣୁ କାଳ ବିଳମ୍ବ ନ କରି ତୁରନ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ନବୀନ ପଟ୍ଟନାୟକ ସରକାରଙ୍କ ନିକଟରେ ଦୃଢ଼ ଦାବୀ ଜଣାଇଛନ୍ତି। ସେ ସବୁବେଳେ ଚାଷୀ ମାନଙ୍କ ସହ ଅଛନ୍ତି ବୋଲି ବୋଲି ଆଶ୍ୱାସନା ଦେଇଥିଲେ। ଅଦିନିଆ ବର୍ଷା ଯୋଗୁଁ ଗଞ୍ଜାମରେ ବ୍ୟାପକ ଫସଲ କ୍ଷତି ଘଟିଛି ଓ ଚାଷୀ ଦୁଃଖ ରେ ଅଛନ୍ତି ବୋଲି ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ଚାଷୀଙ୍କ ଦୁଃଖ ସମୟରେ ରାଜ୍ୟ ସରକାରଙ୍କ ଉଦାସୀନତା ପାଇଁ ଉଦବେଗ ପ୍ରକାଶ କରି ଶ୍ରୀ ପଟ୍ଟନାୟକ ଚାଷୀଙ୍କ ପାଇଁ ତୁରନ୍ତ ପର୍ଯ୍ୟାପ୍ତ ସହାୟତା ଘୋଷଣା କରିବାକୁ ଦୃଢ଼ ଦାବୀ ଜଣାଇଛନ୍ତି।














