ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ କେରଙ୍ଗ ଗ୍ରାମରେ ଅହମଦୀୟା ମୁସଲିମ ଜମାତ ତରଫରୁ ଦୁଇ ଦିବସୀୟ ରାଜ୍ୟ ସ୍ତରୀୟ ଓକଫେ ନୌ ସଂଗଠନର ବାର୍ଷିକ ଇଜତେମା ଉଦଯାପିତ ହୋଇଛି । ଏହି ଉଦଯାପନୀ ଉତ୍ସବରେ ସଭାପତିତ୍ବ କରିଥିଲେ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ସଭାପତି ଅମିରୁଦ୍ଦିନ ଖାଁ । ଉଦଯାପନୀ ଉତ୍ସବରେ ସେକ ଏଜାଜ ପବିତ୍ର କୋରାନ ପାଠ କରିଥିବା ବେଳେ ହାନିଆ ମକସୁଦ ଉର୍ଦ୍ଦୁ ନଜମ ପଢିଥିଲେ । ମୁଖ୍ୟ ଅତିଥି ଭାବେ ପଞ୍ଜାବରୁ ଆସିଥିବା ଅହମଦୀୟା ମୁସଲିମ ସଂଗଠନର ମୁଖ୍ୟ ଶିକ୍ଷା ସଚିବ ସେକ ଫରିଦ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତାଭାବେ ଯୋଗଦେଇ ମୌଲାନା ମିର ଅବଦୁଲ ହଫିଜ ଓକଫେ ନୌ ସନ୍ତାନ ଓ ମାତା-ପିତାଙ୍କ ଦାୟିତ୍ବ ତଥା ପୁସ୍ତକ ଅଲ୍-ଓ୍ବସିୟତ(ଇଚ୍ଛାପତ୍ର)ର ପରିଚୟ ବିଷୟରେ ମତାମତ ରଖିଥିଲେ । ମୁଖ୍ୟ ଅତିଥି ସେକ ଫରିଦ କହିଲେ, ଓକଫେ ନୌ ସଂଗଠନର ପିଲାମାନେ ବଡ ଭାଗ୍ୟବାନ ଓ ସୌଭାଗ୍ୟଶାଳୀ। ସେମାନେ ଭଲ ଓ ସଭ୍ୟ ହେବା ଦରକାର । ଆଗାମୀ ଦିନରେ ସେମାନଙ୍କ ଉପରେ ଗୁରୁ ଦାୟିତ୍ବ ଦିଆଯିବ । ଭଲ ପାଠ ପଢି ଭଲ ମଣିଷ ହେବା ଉଚିତ୍ । ସେମାନେ ବହୁତ ମହାନ । ସର୍ବଦା ଈଶ୍ବର ତାଙ୍କର ସାହା-ଭରସା ରହିଥାନ୍ତି । ସେମାନେ ବହୁତ ଅଲଗ ଓ ଅସାଧାରଣ । ଶୃଙ୍ଖଳିତ ଯୁବ ସମାଜ-ଶୃଙ୍ଖଳିତ ଆମ ସମାଜ ହୋଇଥାଏ । ସମ୍ମାନୀତ ଅତିଥି ଭାବେ ମୌଲାନା ହଲିମ ଅହମଦ ଖାଁ, ମୌଲାନା ସେକ ହାରୁନ ଦସିଦ, ମୌଲାନା କରାମତ ଅହମଦ, ମୌଲାନା ଅବଦୁର ରହିମ ଦର୍ଦ, ମୌଲାନା ଇଫତେଖାର ଅହମଦ,ମୌଲାନା ମକସୁଦ ଅଲ୍ଲି ଏବଂ ମୌଲାନା ହଲିମ ଖାଁ ଯୋଗ ଦେଇଥିଲେ । ସଭାପତି ଅମିରୁଦ୍ଦିନ ଖାଁ ସଂଗଠନ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ । କୃତି ପିଲାମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଏହି ବାର୍ଷିକ ଇଜତେମାର ପ୍ରତିଯୋଗିତାରେ ୧୨ ଜିଲ୍ଲାର ୧୩୫ରୁ ଊର୍ଦ୍ଧ୍ବ ଓକଫେ ନୌ ପିଲାମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମୌଲାନା ରୌଶନ ଅହମଦ ତନଓ୍ବିର ପରିଚାଳନା କରିଥିଲେ ।














