ଭୁବନେଶ୍ୱର:୧୫ ତମ ଜାତୀୟ ମତଦାତା ଦିବସ ପାଳନର ରାଜ୍ୟସ୍ତରୀୟ ସମାରୋହ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ମହାସମାରୋହରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତଦାତା ସଂକଳ୍ପ ପାଠ କରାଇଥିଲେ । ମତଦାତା ସଚେତନତା ଓ ଭାରତକୁ ଏକ ସୁଦୃଢ ଗଣତନ୍ତ୍ର ରୂପେ ବଜାୟ ରଖିବା ଦିଗରେ ପ୍ରେରିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଆନୁକୂଲ୍ୟରେ ଆଜି ରାଜ୍ୟ ସ୍ତରୀୟ ୧୫ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଛି । ଏହି ଅବସରରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତଦାତା ସଂକଳ୍ପ ପାଠ କରାଇବା ସହ ସଭାକୁ ସମ୍ବୋଧନ କରିଥିଲେ । ଏହି ଅବସରରେ ନିଜର ମତ ରଖି ମତଦାନକୁ ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ଦାୟିତ୍ୱ ରୂପେ ଅଭିହିତ କରିଥିଲେ । ଭାରତ ସର୍ବବୃହତ ଗଣତନ୍ତ୍ର ରୂପେ ସମଗ୍ର ବିଶ୍ୱରେ ଏକ ଉଦାହରଣ ଅଟେ । ଏହି ପ୍ରତିଷ୍ଠାକୁ ଅକ୍ଷୁର୍ଣ୍ଣ ରଖିବା ଦିଗରେ ନାଗରିକ ରୂପେ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି । ତେଣୁ ସମସ୍ତ ମତଦାତା ସେହି ଦାୟିତ୍ୱ ପ୍ରତି ଯତ୍ନବାନ ହେବା ପାଇଁ ସେ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ମତଦାତା ସଚେତନତା ସମ୍ବନ୍ଧୀୟ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ଫଟୋ ପ୍ରଦର୍ଶନୀ ଲୋକାର୍ପିତ ହୋଇଥିଲା ।
ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଆର୍ଏସ୍ ଗୋପାଲନ୍, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ବି ପରମେଶ୍ୱରନ୍, ଖୋର୍ଦ୍ଧା ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଚଞ୍ଚଳ କୁମାର ରାଣା ଭାରତୀୟ ଗଣତନ୍ତ୍ର ଓ ସେଥିରେ ମତଦାତାଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ । କାର୍ଯକ୍ରମର ପ୍ରାରମ୍ଭରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ଆଇକନ୍ ରୂପେ କାର୍ଯ୍ୟ କରି ମତଦାନ ପାଇଁ ସଚେତନତା ସୃଷ୍ଟି ପାଇଁ ପ୍ରମୋଦ ଭଗତ, କମଳାକାନ୍ତ ନାୟକ, ଜୟନ୍ତୀ ବେହେରା, ସାଧନା ମିଶ୍ର ଓ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା । ସାଧାରଣ ନିର୍ବାଚନ-୨୦୨୪ ପାଇଁ ବିଭିନ୍ନ ଦିଗରେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଥିବାରୁ ଖୋର୍ଦ୍ଧା, କେନ୍ଦୁଝର, ପୁରୀ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ବାଲେଶ୍ୱର, ସମ୍ବଲପୁର ଆଦି ଜିଲାମାନଙ୍କୁ ସମ୍ମାନିତ କରାଯାଇଥିଲା।