ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିବେ । ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭାରତ ଗସ୍ତରେ ଟ୍ରମ୍ପ ଆସି ପାରନ୍ତି ।
ଟ୍ରମ୍ପଙ୍କ ଭାରତ ଗସ୍ତ ନେଇ ମାର୍କୋ ରୁବିୟୋଙ୍କୁ ପ୍ରଶ୍ନ କରାଯାଇଥିଲା । ଉତ୍ତରରେ ରୁବିୟୋ କହିଛନ୍ତି, “ଆମେ ଆଶା କରୁଛୁ ଯେ ଏହା ଶୀଘ୍ର ହେବ ଏବଂ ଏହାକୁ ନେଇ ଯୋଜନା ପ୍ରସ୍ତୁତ କରାଯାଉଛି । ରାଷ୍ଟ୍ରପତି ଟ୍ରମ୍ପ ଆଗାମୀ ବର୍ଷ ଆରମ୍ଭରେ ଭାରତ ଆସି ପାରନ୍ତି ।”
ସୂଚନାଯୋଗ୍ୟ, ଆମେରିକାର ଘନିଷ୍ଠ ସହଯୋଗୀ ଦେଶ ହେଉଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କ ମଧ୍ୟ ସେତିକି ନିବିଡ଼ । ତେଣୁ, ଟ୍ରମ୍ପ ଭାରତ ଗସ୍ତରେ ଆସିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ମାର୍କୋ ରୁବିୟୋ ।
ଶକ୍ତି ସଂକଟ; ଏକାଠି ଭାରତ-ଆମେରିକା
ପଶ୍ଚିମ ଏସିଆରେ ଉତ୍ତେଜନା ପାଇଁ ଶକ୍ତି ସଂକଟ ଦେଖା ଦେଇଛି । ଏହାକୁ ନେଇ ରୁବିୟୋ କହିଛନ୍ତି, “ଇନ୍ଧନ ସଂକଟରୁ ବର୍ତ୍ତିବା ପାଇଁ ଆମେରିକା-ଭାରତ ଏକାଠି କାମ କରୁଛନ୍ତି । ଦୀର୍ଘ ମିଆଦୀ ଦୃଷ୍ଟିକୋଣକୁ ଦେଖି ଭାରତ କାମ କରୁଛି, ଆମେ ଏଥିରେ ନିଶ୍ଚିତ ଅଂଶ ହେବୁ ।”
ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି, “ମୋତେ ଲାଗୁଛି, ଭାରତର ଇନ୍ଧନ ଆବଶ୍ୟକତାର ସମାଧାନ ଆମ ପାଖରେ ରହିଛି । ଏଥିସହ ମୁଁ କହିବି ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟପ୍ରାଚ୍ୟ ଶାନ୍ତି ପାଇଁ ଯାହା ପଦକ୍ଷେପ ନେଇଛନ୍ତି । ଏହାର ଗୋଟିଏ କାରଣ ହେଉଛି, ଆମ ସହଯୋଗୀଙ୍କ ପାଇଁ ବଜାରକୁ ଇନ୍ଧନ ଆସୁ ।”
ଦୀର୍ଘ ମିଆଦୀ ସମାଧାନ ପାଇଁ ଯୋଗାଣରେ ବିବିଧତା ଆସିବା ଉଚିତ୍ । ଆଉ ମୁଁ ଜାଣିଛି, ଏଥିପାଇଁ ଭାରତ କେବଳ ଆମେରିକା ସହ କଥା ହେଉଛି । ଭେନେଜୁଏଲା ତାର ଉତ୍ପାଦନ କ୍ଷମତା ବଢ଼ାଇବା ନେଇ କାର୍ଯ୍ୟ ଚାଲିଛି । ଆଉ ଭେନେଜୁଏଲାରୁ ଉତ୍ପାଦିତ ଅଶୋଧିତ ତୈଳକୁ ବିଶୋଧନ କରିବାର କ୍ଷମତା ଭାରତ ପାଖରେ ରହିଛି ।
ଶେଷଥର ଟ୍ରମ୍ପ କେବେ ଆସିଥିଲେ ଭାରତ ?
ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷଥର ପାଇଁ ୨୦୨୦ ମସିହା ଫେବ୍ରୁଆରୀ ମାସରେ ଭାରତ ଆସିଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଅହମ୍ମଦାବାଦରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତିଙ୍କ ସ୍ଵାଗତ କରିଥିଲେ । ଯାହା ପରେ ଦୁଇ ନେତାଙ୍କ ମଧ୍ୟରେ ଦିଲ୍ଲୀରେ ଦ୍ଵି-ପାକ୍ଷିକ ଆଲୋଚନା ହୋଇଥିଲା ।














