ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିବସୀୟ ଗସ୍ତରେ ସେସେଲସ୍ ପହଞ୍ଚିଛନ୍ତି। ଏଠାରେ ସେ ଜାତୀୟ ଦିବସର ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଶନିବାର ସେସେଲସ୍ ନ୍ୟାସନାଲ ବଟନୀକାଲ ଗାର୍ଡନ ଭ୍ରମଣ କରିଛନ୍ତି। ଏହି ସମୟରେ ସେ ବିଶ୍ୱର ସବୁଠୁ ବୟଷ୍କ ତଥା ଦୀର୍ଘ ସମୟ ଧରି ଜୀବିତ କଇଁଛ ପ୍ରଜାତିଙ୍କୁ ଭେଟିଛନ୍ତି। ଅଲଡାବ୍ରା ଜାଏଣ୍ଟ ଟର୍ଟଲ ସେସେଲସ୍ ର ମୂଳ ବାସିନ୍ଦା। ଏହି ପ୍ରଜାତୀ ପୃଥିବୀ ବକ୍ଷରେ ସବୁଠୁ ବଡ଼ ଓ ଦୀର୍ଘ ସମୟ ବଞ୍ଚୁଥିବା କଇଁଛ ପ୍ରଜାତୀଙ୍କ ମଧ୍ୟରୁ ଅନ୍ୟତମ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଅଲଡାବ୍ରା ଜାଏଣ୍ଟ ଟର୍ଟଲଙ୍କ ଭାରତ-ସେସେଲସ୍ ବନ୍ଧୁତାର ପ୍ରତୀକ ମଧ୍ୟ ଅଟନ୍ତି। ୨୦୧୪ ମସିହାରେ ଏମାନଙ୍କ ମଧ୍ୟରୁ ଦୁଇଟି କଇଁଛ କୋଲକାତାର ଅଲିପୁର ଚିଡିଆଖାନାକୁ ଉପହାରରେ ଦିଆଯାଇଥିଲା। କିଛି ବର୍ଷ ପରେ ସେସେଲସ୍ ହାଇଦ୍ରାବାଦ ଜୁ କୁ ମଧ୍ୟ ଆଉ କିଛି କଇଁଛ ଉପହାରରେ ଦେଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସବୁଠୁ ଅଧିକ ବୟଷ୍କ ଜୀବିତ ସ୍ଥଳଚର ଜୀବ ‘ଜୋନାଥନ’କୁ ମଧ୍ୟ ଭେଟିଛନ୍ତି। ଜୋନାଥନ ମଧ୍ୟ ଏକ ଅଲଡାବ୍ରା ଜାଏଣ୍ଟ ଟର୍ଟଲ। ଏହାର ବୟସ ପାଖାପାଖି ୧୯୪ ବର୍ଷ ବୋଲି କୁହାଯାଉଛି। ଏହି ବିଶାଳ କଇଁଛ ଜେମସ୍ ଟାଉନସ୍ଥିତ ନ୍ୟାସନାଲ ବଟନୀକାଲ ଗାର୍ଡନରେ ରହୁଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସେସେଲସ୍ ନ୍ୟାସନାଲ ବଟନୀକାଲ ଗାର୍ଡନରେ ରାଷ୍ଟ୍ରପତି ଡ. ପ୍ୟାଟ୍ରିକ ହର୍ମିନୀଙ୍କ ସହିତ ମିଳିତ ବୃକ୍ଷାରୋପଣ ଉତ୍ସବରେ ମଧ୍ୟ ଭାଗ ନେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ କୋକୋ ଡି ମେର ଗଛ ଲଗାଇଛି, ଯାହା ସେସେଲସ୍ ର ଏକ ବିଶେଷତା। ଦେଶରେ ଏହି ବୃକ୍ଷକୁ ବହୁତ ସମ୍ମାନ କରାଯାଏ ଓ ଏହା ଏଠାକାର କୋର୍ଟ ଅଫ ଆର୍ମସରେ ମଧ୍ୟ ଅଙ୍କିତ ରହିଛି। ଏଠାକାର ଲୋକେ ଏହି ବୃକ୍ଷକୁ ଏହାର ଓଜନଦାର ଫଳ ଓ ମଞ୍ଜି ପାଇଁ ଗୁରୁତ୍ୱ ଦେଇଥାନ୍ତି। ପ୍ରଧାନମନ୍ତ୍ରୀ ଏ ନେଇ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ଲେଖିଛନ୍ତି ଯେ ‘ଭାରତ ଓ ସେସେଲ୍ସର ଜୈବ ବିବିଧତାର ରକ୍ଷା ନିମନ୍ତେ ତଥା ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଆଗାମୀ ପିଢୀଙ୍କ ଲାଗି ଏକ ସବୁଜ ଓ ସୁସ୍ଥ ପ୍ଲାନେଟ୍ ଗଢିବାକୁ ମିଳିତ ସଂକଳ୍ପ କରିଛନ୍ତି’।














