ପାରାଦୀପ: ପାରାଦୀପର ବିଭିନ୍ନ ସ୍ଥାନରେ ରବିବାର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସ୍ଥାନୀୟ ନୂଆବଜାର ଗୋପବନ୍ଧୁ ଷ୍ଟାଡିୟମରେ ସମବେତ ପ୍ୟାରେଡ଼ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ବନ୍ଦର ଅଧ୍ୟକ୍ଷ ପି ଏଲ ହାରାନ୍ଧ ଯୋଗ ଦେଇ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥିଲେ।ଏଥିରେ ସିଆଇଏସଏଫ, ଓଡିଶା ପୋଲିସ, ସମେତ ସମସ୍ତ ବିଦ୍ୟାଳୟ ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିଲେ।ଏହି ଅବସରରେ ଅଧ୍ୟକ୍ଷ ହାରାନ୍ଧ ବନ୍ଦର ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ।ଯଥା ୨୦୪୭ ସୁଦ୍ଧା ପାରାଦୀପ ବନ୍ଦର ବାର୍ଷିକ ୫୦୦ ଏମଏମଟି (ମିଲିୟନ ମେଟ୍ରିକ ଟନ୍ ପର ଆନମ)କରିବା ପାଇଁ ଭିତ୍ତିଭୂମି ବିକାଶ କରାଯାଇଛି।ସେହିପରି ଚିକିତ୍ସା ପାଇଁ ଆୟୁର୍ବେଦ ପଦ୍ଧତି, ଠିକା ଶ୍ରମିକ ମାନଙ୍କ ତାଲିମ ବ୍ୟବସ୍ଥା, ସ୍ବାସ୍ଥ୍ୟ ବୀମା ଅର୍ଥ ବୃଦ୍ଧି, ଶ୍ରମିକଙ୍କ ବର୍ଦ୍ଧିତ ମଜୁରୀ ଚୁକ୍ତିପତ୍ର ଆଦି ସମ୍ପର୍କରେ କହିଥିଲେ।ସବୁଠାରୁ ବଡ଼ ଘୋଷଣା ଥିଲା ପାନୀୟ ଜଳ ସମସ୍ୟା ଦୂରୀକରଣ ଉପରେ।ଆସନ୍ତା ବର୍ଷକ ମଧ୍ୟରେ ଏକ ନୂତନ ଜଳାଶୟ ଓ ଜଳ ବିଶୋଧନ ସେଣ୍ଟର କରାଯିବ ବୋଲି ସେ କହିଥିଲେ।ପରେ ପ୍ୟାରେଡ଼ ଭଲ କରିଥିବା ସ୍କୁଲ, ପାରଦର୍ଶିତା କରିଥିବା କର୍ମଚାରୀ, ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅପରାହ୍ନରେ ଅଫିସର୍ସ କ୍ଲବ ଠାରେ କବିତା ପାଠ, ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ, ଓ ସନ୍ଧ୍ୟାରେ ସ୍କୁଲ ପିଲାମାନଙ୍କୁ ନେଇ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସେହିପରି ପାରାଦୀପ ତୈଳବିଶୋଧନାଗାର ଗାର ପକ୍ଷରୁ ଟାଉନସିପ୍ ପରିସରରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଷ୍ଟାଡିୟମରେ ସମବେତ ପ୍ୟାରେଡ଼ ଅନୁଷ୍ଠିତ ହୋଇଥିଲା।ଏଥିରେ ତୈଳବିଶୋଧନାଗାର ନିର୍ବାହୀ ନିର୍ଦ୍ଦେଶକ କୌଶିକ୍ ବାସୁ ଅଭିବାଦନ ଗ୍ରହଣ କରିଥିଲେ।ଏହି ଅବସରରେ ତୈଳବିଶୋଧନାଗାର ବର୍ଦ୍ଧିତ ପ୍ଲାନ ସମ୍ପର୍କରେ ବାସୁ କହିଥିଲେ।ଏବଂ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ୧୦ ଟି ଇ ରିକ୍ସା ବଣ୍ଟନ କରାଯାଇଥିଲା। ଇଫକୋ ଟାଉନସିପ୍ ମଧ୍ୟରେ ଆୟୋଜିତ ସମବେତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ୟୁନିଟ ମୁଖ୍ୟ ପି କେ ମହାପାତ୍ର।ଏଥିରେ ସ୍ଥାନୀୟ ଡିଏଭି ସ୍କୁଲର ଛାତ୍ରୀଛାତ୍ର ଓ ଏକ ଘରୋଇ ସିକ୍ୟୁରିଟି ସଂସ୍ଥାର କର୍ମଚାରୀ ମାନେ ପ୍ୟାରେଡ କରିଥିଲେ।ପରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପିପିଏଲ ଟାଉନସିପ୍ ମଧ୍ୟରେ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ସିଏମଓ ପାଲାନୀସାମି ଭେଲୁସ୍ବାମୀ ।ଏଏମଏନଏସ କମ୍ପାନୀ ପରିସରରେ ଅଭିବାଦନ ଗ୍ରହଣ କରିଥିଲେ ନିର୍ବାହୀ ନିର୍ଦ୍ଦେଶକ ସୁରେଶା ଜି।














