ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୫-୨୬ ପାଇଁ ଆଜି ସଂସଦରେ ବଜେଟ୍ ଉପସ୍ଥାପିତ ହୋଇଛି। କେନ୍ଦ୍ରର ବଜେଟ୍ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ କହିଛନ୍ତି, ‘ବର୍ତ୍ତମାନ ଦେଶର ଯୁବଗୋଷ୍ଠୀ ଚାକିରି ପାଉନାହାଁନ୍ତି। ବେକାରୀ ସମସ୍ୟା ବଢିବାରେ ଲାଗିଛି। ଆଉ ଦରଦାମ ନିୟନ୍ତ୍ରଣ ବାହାରେ ରହିଛି। ସଧାରଣ ଲୋକ ଦରଦାମକୁ ନେଇ ହସ୍ତସନ୍ତ ହେଉଛନ୍ତି। କିନ୍ତୁ ଚଳିତ ବଜେଟ୍ରେ ଏହି ଦୁଇଟି ବଡ଼ ଚ୍ୟାଲେଞ୍ଜକୁ ଦୃଷ୍ଟି ଦିଆଯାଇ ନାହିଁ।
ସେହିପରି ଚଳିତ ବଜେଟ୍ରେ ମଧ୍ୟ କେନ୍ଦ୍ର ସରକାର ଓଡ଼ିଶାକୁ ପୁଣି ଅଣଦେଖା କରିଛନ୍ତି ବୋଲି ବିରୋଧୀ ଦଳ ନେତା ଅଭିଯୋଗ ଆଣିଛନ୍ତି। ଅନ୍ୟ ରାଜ୍ୟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ଓଡ଼ିଶାକୁ ଗୁରୁତ୍ବ ଦିଆଯାଉ ନାହିଁ। ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ବାରମ୍ବାର ଦାବି କରାଯାଇ ଆସୁଛି, କିନ୍ତୁ ଓଡ଼ିଶାକୁ କେନ୍ଦ୍ର ବାରମ୍ବାର ଅବହେଳା କରୁଛି। ପ୍ରତିବର୍ଷ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାର ଯଥାର୍ଥ ଦାବି ହେଉଛି ସ୍ୱତନ୍ତ୍ର ବର୍ଗର ରାଜ୍ୟ ମାନ୍ୟତା ମିଳିବା। ହେଲେ କେନ୍ଦ୍ର ସରକାର ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା ବଳେ ପୁଣିଥରେ ଓଡିଶାର ପ୍ରକୃତ ଦାବିକୁ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି ବୋଲି ନବୀନ କହିଛନ୍ତି।














