ନୂଆଦିଲ୍ଲୀ : ଦେଶର ବିକାଶ ସୁନିଶ୍ଚିତ କରିବ ଏହି ବଜେଟ୍। ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ପରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ସାଧାରଣତଃ ସରକାର ରାଜକୋଷ ଭରିବା କଥା ଚିନ୍ତା କରିଥାନ୍ତି। କିନ୍ତୁ ଏଥର ବଜେଟରେ ନାଗରିକଙ୍କ ପକେଟକୁ ଗୁରୁତ୍ବ ମିଳିଛି। ବଜେଟ ଦେଶର ସାଧାରଣ ନାଗରିକଙ୍କ ସଞ୍ଚୟ ବୃଦ୍ଧି କରିବ। ଫଳରେ ସେମାନେ ଦେଶର ବିକାଶରେ ସାମିଲ ହୋଇପାରିବେ। ଏହି ବଜେଟ୍ ଲୋକଙ୍କ ବଜେଟ୍ ଏବଂ ଏଥିରୁ ସମସ୍ତ ଆୟ ବର୍ଗର ଲୋକଙ୍କୁ ଫାଇଦା ମିଳିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ଏପଟେ ୫୦ ଲକ୍ଷ କୋଟି ଟପିଲା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍। ବଜେଟ୍ର କଳେବର ୭.୪ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୪-୨୫ରେ ଦେଶର ବଜେଟ୍ ଆକାର ୪୭ ଲକ୍ଷ ୧୬ ହଜାର କୋଟି ଟଙ୍କା ଥିଲା ବେଳେ ଆସନ୍ତା ଆର୍ଥିକ ବର୍ଷ ପାଇଁ ୫୦ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ୍ ତଥ୍ୟ ଅନୁସାରେ, ୨୦୨୫-୨୬ରେ କେନ୍ଦ୍ର ପ୍ରାୟୋଜିତ ଯୋଜନା ପାଇଁ ୫ ଲକ୍ଷ ୪୧ ହଜାର ୮୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।














