ଭୁବନେଶ୍ବର: ଶିକ୍ଷା ହେଉଛି ସମାଜର ଦର୍ପଣ। ଶିକ୍ଷା ମାଧ୍ୟମରେ ହିଁ ସମାଜରେ ପରିବର୍ତ୍ତନ ଆଣି ହେବ। ଶିକ୍ଷା ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କ୍ଷେତ୍ରରେ ସରକାର ଆଗାମୀ ଆର୍ଥିକ ବର୍ଷରେ ୩୧,୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ବଜେଟ୍ ଗତ ବଜେଟ୍ ତୁଳନାରେ ୧୮ପ୍ରତିଶତ ଅଧିକ। ରାଜ୍ୟ ସରକାର ଆଗାମୀ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ କରିବାକୁ ଯାଉଛନ୍ତି। ସରକାରଙ୍କ ଲକ୍ଷ୍ୟ ରହିଛି ଯେ, ରାଜ୍ୟରେ ୪୫,୦୦୦ ଶିଶୁବାଟିକା ଖୋଲାଯିବ। ଏହା ପ୍ରାଥମିକ ବିଦ୍ୟାଳୟ ସହିତ ରହିବ।
ରାଜ୍ୟ ସରକାର ଆଗାମୀ ଆର୍ଥିକ ବର୍ଷରେ ଉଚ୍ଚଶିକ୍ଷା ପାଇଁ ମଧ୍ୟ ବଜେଟ୍ରେ ସ୍ଥାନ ଦେଇଛନ୍ତି। ବିଶ୍ବବିଦ୍ୟାଳୟ, ସରକାରୀ କଲେଜ, ବେସରକାରୀ ଅନୁଦାନପ୍ରାପ୍ତ କଲେଜର ଭିତ୍ତିଭୂମି ପାଇଁ ୩୭୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ପ୍ରଧାନମନ୍ତ୍ରୀ ଉଚ୍ଚତ୍ତର ଶିକ୍ଷା ଅଭିଯାନ ମାଧ୍ୟମରେ ଉଚ୍ଚଶିକ୍ଷାର ଉନ୍ନତି ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥି ପାଇଁ ୬୭୦ କୋଟି ଟଙ୍କା ଅଟକଳ ରଖାଯାଇଛି। ରାଜ୍ୟର ୪ଟି ବିଶ୍ବବିଦ୍ୟାଳୟ (ବ୍ରହ୍ମପୁର, ରେଭେନ୍ସା, ସମ୍ବଲପୁର ଓ ବାରିପଦା)କୁ ଉନ୍ନୀତ କରାଯିବ। ଏଥି ପାଇଁ ୧୦୦ କୋଟି ଟଙ୍କା ଅନୁଦାନ ମିଳିବ।
ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରେତ୍ସାହନ ଯୋଜନା, ଇ-ମେଧାବୃତ୍ତି, ବ୍ୟାସକବି ଫକୀର ମୋହନ ଛାତ୍ରବୃତ୍ତି, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା, ଉତ୍ତମ ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ ପିଲାଙ୍କୁ ବୃତ୍ତି ପ୍ରଦାନ କରାଯିବ। ଏଥି ପାଇଁ ମୋଟ ୧୦୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା ପାଇଁ ୧୦ କୋଟି, ଆମ ଗୌରବ ଆମ କଲେଜ ପାଇଁ ୧୦ କୋଟି ଓ ମୁଖ୍ୟମନ୍ତ୍ରୀ ଗବେଷଣା ଓ ନବସୃଜନ ଛାତ୍ରବୃତ୍ତି ପାଇଁ ୨୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ରାଜ୍ୟର ୫ଟି ବିଶ୍ବବିଦ୍ୟାଳୟରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ। ସରକାର ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୪୨୬ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରିବେ। ସେହିପରି ସରକାର ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ଓ ଅନ୍ବେଷା ଯୋଜନା ପାଇଁ ମଧ୍ୟ ବଜେଟ୍ରେ ଗୁରୁତ୍ବ ଦେଇଛନ୍ତି।