ଭୁବନେଶ୍ବର : ଚଳିତ ବଜେଟ୍ ଉପରେ ସାଧାରଣ ଆଲୋଚନାରେ ଡବଲ ଇଞ୍ଜିନ ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ। ଡବଲ ଇଞ୍ଜିନ ବିଜେପି ସରକାର, ଯାହା ଓଡିଶାକୁ ଆଗକୁ ନେବାର ଥିଲା, ତାହା ଏବେ ଓଲଟା ଦିଗରେ ଗତି କଲା ଭଳି ମନେ ହେଉଛି ବୋଲି କହିବା ସହ ଏ ସରକାର କେବଳ ନାମ ଏବଂ ରଙ୍ଗ ପରିବର୍ତ୍ତନ ପାଇଁ ଜଣାଶୁଣା ହେଉଛି ବୋଲି ନବୀନ କହିଛନ୍ତି।
ନବୀନ କହିଥିଲେ ବିଜେଡ଼ି ସରକାର ସମୟରେ, ଓଡ଼ିଶା ସବୁବେଳେ ଏକ ବିକାଶଶୀଳ ରାଜ୍ୟ ଭାବରେ ଜଣାଯାଉଥିଲା । ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତି ଦେବାରେ ସାହାଯ୍ୟ କରୁଥିଲା । ଏହା ଅନେକ କେନ୍ଦ୍ରୀୟ ପ୍ରତିଷ୍ଠାନ ଦ୍ୱାରା ଉଲ୍ଲେଖ କରାଯାଇଛି । କିନ୍ତୁ ଡବଲ ଇଞ୍ଜିନ ସରକାର ଏହି ବର୍ଷ ଅଭିବୃଦ୍ଧି ହାରକୁ ୧୦ ପ୍ରତିଶତରୁ ୮ ପ୍ରତିଶତକୁ ହ୍ରାସ କରିଛି । ପ୍ରକୃତରେ ବଜେଟ ଗତ ବର୍ଷ ତୁଳନାରେ ହ୍ରାସ ପାଇଛି । ମୁଦ୍ରାସ୍ଫୀତିକୁ ହିସାବ କଲେ, ଚଳିତ ବଜେଟ ଗତ ବଜେଟ ତୁଳନାରେ ୨.୭୭ ଲକ୍ଷ କୋଟିରୁ ୨.୯୦ ଲକ୍ଷ କୋଟି ବୃଦ୍ଧି ପାଇଛି । ଏଥିରୁ ଜଣାପଡୁଛି ଯେ ରାଜ୍ୟ ସରକାରଙ୍କୁ ବଜେଟ ବାବଦରେ କୌଣସି ଧାରଣା ନାହିଁ ।
ଡବଲ ଇଞ୍ଜିନ ସରକାର ଅଧୀନରେ, ଓଡ଼ିଶାର ଖୋଲା ବଜାର ଋଣ ଭାର ୪୬ ହଜାର କୋଟିରୁ ଅଧିକ ବୃଦ୍ଧି ପାଇଛି । ଯାହା ଫଳୋ ମୁଣ୍ଡପିଛା ଋଣ ବୋଝ ବଢ଼ିବାରେ ଲାଗିଛି । ଡବଲ ଇଞ୍ଜିନ୍ ସରକାର ଡବଲ ଲାଭ ଆଣିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇ ସରକାର ଗଠନ କରିଥିଲା । କିନ୍ତୁ ଏହା ଡବଲ ଦୁଃଖରେ ପରିଣତ ହେଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତାରେ ଅନୁଦାନ ଆକାରରେ ପାଣ୍ଠି ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ କମିଛି । ବିଜେପି ସରକାର ବିଜେଡ଼ି ସରକାରଙ୍କୁ ଉତ୍ତରାଧିକାରୀ ସୂତ୍ରରେ ମିଳିଥିବା ଦୃଢ଼ ଆର୍ଥିକ ସ୍ଥିତି ପାଇଁ ଧନ୍ୟବାଦ ଦେବା ଉଚିତ । ଏହା କେନ୍ଦ୍ର ସରକାରଙ୍କ ହାତ ଉପରେ ନିର୍ଭର ନକରି ଅତି କମରେ ବିକାଶ ପ୍ରକଳ୍ପ ପାଇଁ ପାଣ୍ଠି ସ୍ଥିର କରିପାରିବ । ଯାହା ସ୍ପଷ୍ଟ ଯେ ବଜେଟର ଅଧାରୁ ଅଧିକ ଓଡ଼ିଶାର ନିଜସ୍ୱ ଟିକସ ରାଜସ୍ୱ ଦ୍ୱାରା ସମର୍ଥିତ । ଯାହା ହେଉଛି ରାଜ୍ୟର ନିଜସ୍ୱ ଟିକସ, ରାଜ୍ୟର ନିଜସ୍ୱ ଅଣ-କର ଏବଂ ଅଂଶୀଦାର ଟିକସ ।
ଡବଲ ଇଞ୍ଜିନ୍ ସରକାର ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ବଜେଟ କମାଇ ଦେଇଛନ୍ତି । “ସ୍କିଲ୍ଡ ଇନ୍ ଓଡିଶା”ର ନାମ ପରିବର୍ତ୍ତନ କରି “ସ୍କିଲ୍ଡ ଫର ଦି ୱାର୍ଲ୍ଡ” କରିବା ଦ୍ୱାରା ଓଡ଼ିଶାର ଯୁବକ ଯୁବତୀ କିପରି ସାହାଯ୍ୟ ପାଇବେ ? ବରଂ ଏହା ଏହି ସତ୍ୟକୁ ସ୍ୱୀକାର କରୁଛି ଯେ ସରକାର ଓଡ଼ିଶାରେ ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି କରିପାରିବେ ନାହିଁ । ମିଶନ ଶକ୍ତି ମାଆ ମାନେ ସେମାନଙ୍କର ଦାବି ପାଇଁ ଆନ୍ଦୋଳନରେ ବସିଛନ୍ତି । ବିଜେପି ସରକାର ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦେଇଛି । ବଜେଟ ଉପରେ ବକ୍ତବ୍ୟ ଦେବା ବେଳେ ଶେଷ ଥର ମୁଁ ଲକ୍ଷପତି ଦିଦିଙ୍କ ତାଲିକା ଦାଖଲ କରିବାକୁ ଦାବି କରିଥିଲି । ତାଲିକା ଗୃହରେ ଉପସ୍ଥାପନ କରିବା ପରିବର୍ତ୍ତେ ମିଶନ ଶକ୍ତି ପାଇଁ ବ୍ୟୟବରାଦ ହ୍ରାସ କରାଯାଇଛି । ଶେଷରେ ବିଜେପି ସରକାରଙ୍କ ବଜେଟକୁ ନବୀନ ବସ୍ତାନି ଭାରି, କିନ୍ତୁ ପାଠ ଘର ଶୂନ କହି କଟାକ୍ଷ କରିଛନ୍ତି ।