ପାରାଦୀପ: ପାରାଦୀପର ଅଗ୍ରଣୀ ଷ୍ଟିଭେଡର୍ସ ସଂସ୍ଥା ସିଓ୍ବେଜ ଶିପିଂ ଆଣ୍ଡ ଲଜେଷ୍ଟିକ୍ କମ୍ପାନୀ ବିବାଦ ବଢ଼ିବାରେ ଲାଗିଛି।କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ଛଟେଇ କର୍ମଚାରୀ ଶ୍ରମିକ ମାନେ ସେମାନଙ୍କ ବକେୟା ଦରମା ପାଇଁ ୧୩ ଦିନ ହେଲା ଧାରଣାରେ ବସିଛନ୍ତି।ସେମାନଙ୍କୁ ରବିବାର ନଗର କଂଗ୍ରେସ ପକ୍ଷରୁ ସମର୍ଥନ ମିଳିଛି।କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ନାୟକ, ନଗର ସଭାପତି କେଦାର ବିଶ୍ବାଳଙ୍କ ସମେତ ଅନ୍ୟମାନେ ଧାରଣା ସ୍ଥଳରେ କିଛି ସମୟ ବସିଥିଲେ।ଶ୍ରମିକଙ୍କ ବକେୟା ଦରମା ମିଳିବା ପର୍ଯ୍ୟନ୍ତ ସେମାନେ ଲଢେ଼ଇ କରିବେ ବୋଲି ନାୟକ କହିଛନ୍ତି।ଅପରପକ୍ଷେ ଏହି ଧାରଣା ଓ ଡମ୍ଫର ମାଲିକସଂଘ ବକେୟା ଅର୍ଥ ନ ମିଳିବାରୁ କମ୍ପାନୀ ହ୍ୟାଣ୍ଡଲିଂ କରିବାକୁ ଥିବା ଏକ ଲାଇମଷ୍ଟୋନ ବୋଝେଇ ଜାହାଜ ଶନିବାର ବର୍ଥ ଛାଡି ଆଙ୍କରେଜ ଏରୀଆକୁ ଯାଇଥିଲା।ସେହି ଜାହାଜର ଷ୍ଟିଭେଡରିଂ କାମ କରିବା ପାଇଁ ଆମଦାନୀକାରୀ ସଂସ୍ଥା ସେଲ୍ ରବିବାର ଓଏସଏଲ କମ୍ପାନୀକୁ ଦେଇଛି।ଫଳରେ ଜାହାଜ ରବିବାର ସନ୍ଧ୍ୟାରେ ପୁଣି ବର୍ଥକୁ ଫେରିଛି ଏବଂ ପଣ୍ୟ ଖଲାସ କାମ ଆରମ୍ଭ ହୋଇଛି।














