ଭୁବନେଶ୍ବର : ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସରେ ସରକାରୀ ଛୁଟିକୁ ବାତିଲ କରିଛନ୍ତି ରାଜ୍ୟ ସରକାର। ଏହା ସହିତ ମାର୍ଚ୍ଚ ୫ ତାରିଖ ବଦଳରେ ଏପ୍ରିଲ୍ ୨୪ ତାରିଖରେ ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ମାର୍ଚ୍ଚ ୫ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ । ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି ବିଜୁବାବୁଙ୍କ ଅବଦାନ ପାଇଁ ତାଙ୍କ ଜନ୍ମଦିନରେ ନବେ ଦଶକରୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିବା ବେଳେ, ବର୍ତ୍ତମାନର ରାଜ୍ୟ ସରକାର ଏହାକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇ ଜଣେ ସମ୍ମାନସ୍ପଦ ମହାନ ରାଷ୍ଟ୍ରନାୟକଙ୍କୁ ଅସମ୍ମାନ। ଯାହାକୁ ନେଇ ବିଜେଡି ଗତକାଲିଠୁ ସ୍ବର ଉଠାଇଥିବା ବେଳେ ଆଜି ଆନ୍ଦୋଳନକୁ ଓହ୍ଲାଇଛି।
ବିଜୁ ଜୟନ୍ତୀରେ ସରକାରୀ ଛୁଟି ବାତିଲ ସହ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ କରା ନଯିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଭୂମିପୁତ୍ର ବିଜୁ ପଟ୍ଟନାୟକ ଅସମ୍ମାନ କରାଯାଉଥିବା ପ୍ରତିବାଦରେ ଭୁବନେଶ୍ବର ବିମାନବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ନୀରବ ପ୍ରତିବାଦ କରିଛି ବିଜେଡି। ୧୯୬୧ ମସିହାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ଗ୍ରାମାଞ୍ଚଳରେ ମାନବ ସମ୍ୱଳ ଓ କୁଟୀର ଶିଳ୍ପର ବିକାଶ ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୯୦ ମସିହାରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ, ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ମୂଳଦୁଆ ପକାଇଥିଲେ ଏବଂ ଜିଲ୍ଲାପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମପଞ୍ଚାୟତ ବ୍ୟବସ୍ଥା ପ୍ରବର୍ତ୍ତନ କରିବା ପାଇଁ ରାଜ୍ୟ ବିଧାନସଭାରେ ବିଲ୍ ପାରିତ କରିଥିଲେ। ବିଜୁ ବାବୁଙ୍କର ଏହି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ନିଷ୍ପତ୍ତି ୧୯୯୨ ମସିହାରେ ସମ୍ୱିଧାନର ୭୪ତମ ସଂଶୋଧନ ମାଧ୍ୟମରେ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯାଇଥିଲା। ବିଜୁ ବାବୁଙ୍କ ଦୂରଦର୍ଶୀ ନିଷ୍ପତ୍ତି ଫଳରେ ଏହି ବ୍ୟବସ୍ଥାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ହୋଇପାରିଥିଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏହି ଅବଦାନକୁ ସ୍ମରଣୀୟ କରିବା ପାଇଁ ରାଜ୍ୟରେ ବିଜୁ ବାବୁଙ୍କ ଜନ୍ମଦିନରେ ଅର୍ଥାତ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ହୋଇଆସୁଛି। ବିଜୁ ବାବୁଙ୍କ ଭଳି ଜଣେ ରାଷ୍ଟ୍ରନୀତିଜ୍ଞ, ଯିଏ ୩ଟି ଦେଶର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ ଏବଂ ଯାହାଙ୍କ ମରଶରୀରରେ ୩ଟି ଦେଶର ଜାତୀୟ ପତାକା ଶୋଭା ପାଇଥିଲା, ସେଭଳି ଜଣେ ବ୍ୟକ୍ତିତ୍ୱଙ୍କ ଅବଦାନକୁ ସମ୍ମାନ ଜଣାଇବାରେ କୁଣ୍ଠାବୋଧ କରିନି ରାଜ୍ୟ ବିଜେପି ସରକାର। ଯାହା ବିଜେପିର ଅସୂୟାଭାବ ଓ ହୀନମନ୍ୟତାର ପରିଚୟ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।