ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ଚାକିରି ନେଇ ନିୟମ ସଂଶୋଧିତ
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ୭ଟି ବିଭାଗ(ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା)ରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସନ୍ଧ୍ୟାରେ ଏନେଇ ଗୃହରେ ସୂଚନା ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି, ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନାକୁ କ୍ୟାବିନେଟ୍ରେ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ବାରା ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଉପକୃତ ହେବେ। ୭୦ ବର୍ଷ ବୟସରୁ ଅଧିକ ଲୋକଙ୍କ ଲାଗି ‘ଆୟୁଷ୍ମାନ ବାୟୋ ବନ୍ଧନ’କୁ ମଞ୍ଜୁରୀ ମିଳିଛି। ସେହିପରି ପରିବାର ପିଛା ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳିବ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ମିଳିତ ଭାବେ କାମ କରିବ। ଏହି ଯୋଜନା ଦ୍ବାରା ହିତାଧିକାରୀମାନେ କ୍ୟାସ୍ଲେସ୍ ସୁବିଧା ପାଇପାରିବେ।
ଉଭୟ ସ୍ବାସ୍ଥ୍ୟ କଲ୍ୟାଣକାରୀ ଯୋଜନା ଦ୍ବାରା ରାଜ୍ୟରେ ୩ କୋଟି ୪୬ ଲକ୍ଷ ଲୋକ ଉପକୃତ ହେବେ ବୋଲି ଆଜି ଗୃହରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି, ଏହି ଯୋଜନା ଦ୍ବାରା ପରିବାର ପିଛା ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷର କ୍ୟାସଲେସ୍ ଚିକିତ୍ସା ସୁବିଧା ମିଳିବ । ଦେଶର ୨୯ ହଜାର ଘରୋଇ ଓ ସରକାରୀ ହସ୍ପିଟାଲରେ ଏହି ଯୋଜନାରେ ଚିକିତ୍ସା ସୁବିଧା ମିଳିପାରିବ । ଓଡ଼ିଶାର ଅଧିକ ୬ ଲକ୍ଷ ନୂଆ ହିତାଧିକାରୀ ଏଥିରେ ସାମିଲ ହେବାର ଆଶା କରାଯାଉଛି । ସେହିପରି ୭୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ବୟୋ-ବନ୍ଦନା ଲାଗୁ କରାଯିବ । ତେବେ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ସମସ୍ତ ନାଗରିକମାନଙ୍କ ପାଇଁ ଦେୟମୁକ୍ତ ଚିକିତ୍ସା ବର୍ତ୍ତମାନ ଭଳି ଜାରି ରହିବ । ଆସନ୍ତା ଏପ୍ରିଲ ପହିଲାରୁ ଏହି ଯୋଜନା ଲାଗୁ ହେବା ପାଇଁ ପୂର୍ବରୁ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର ।
ସେହିପରି ରାଜ୍ୟ କ୍ୟାବିନେଟ୍ରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ- ‘ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫’ର ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଯାହାକି ଜନସାଧାରଣ ଓ ବିଭିନ୍ନ ଦ୍ରବ୍ୟର ସୁରକ୍ଷିତ, ସ୍ଥାୟୀ ଓ ଦକ୍ଷ ପରିବହନ ପାଇଁ ବ୍ୟବସ୍ଥାକୁ ସୁନିଶ୍ଚିତ କରିବ । ଏଥିସହ ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ଚାକିରି ନେଇ ନିୟମରେ ବି ଆସିଛି ସଂଶୋଧନ । ୨୦୨୦ ମସିହାରେ ଏ ସମ୍ପର୍କିତ ନିୟମ ଲାଗୁହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ପାଇଁ ୧୯୯୦ ନିୟମ ଲାଗୁହେବ ଏବଂ ଥଇଥାନ ସହାୟତା ଯୋଜନାରେ ୧୯୯୦ ନିୟମ ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯିବ।
ଏଥିସହ “ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-2025” କୁ ବି କ୍ୟାବିନେଟରେ ମିଳିଛି ଅନୁମୋଦନ । ରାଜ୍ୟରେ ୭୫ ହଜାର କିଲୋମିଟର ରାସ୍ତାକୁ ବିଶ୍ୱ ସ୍ତରୀୟ ରାସ୍ତା ନେଟୱାର୍କ ଭାବେ ବିକଶିତ କରିବାର ଲକ୍ଷ୍ୟ ରଖି ଏଥିପାଇଁ “ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ” ନାମରେ ଏକ ସ୍ୱୟଂଶାସିତ ସଂସ୍ଥା ଗଠନ କରିବାକୁ ବ୍ୟବସ୍ଥା ହୋଇଛି । ଏହାଛଡ଼ା ଗ୍ରାମୀଣ ଓଡ଼ିଶାର ତ୍ୱରିତ ଅଭିବୃଦ୍ଧି ପାଇଁ ଆବଶ୍ୟକ ଥିବା ଭିତ୍ତିଭୂମିର ବିକାଶ କରିବାକୁ “ବିକଶିତ ଗାଁ ବିକଶିତ ଓଡିଶା” ଯୋଜନା ଆରମ୍ଭ ହେବ । ତାଛଡ଼ା ଯଦି କୌଣସି ବ୍ୟକ୍ତିଙ୍କର ବା ତାଙ୍କ ପରିବାର ସଦସ୍ୟଙ୍କର ରାଜ୍ୟର କୌଣସି ସ୍ଥାନରେ ଘରବାରି ଜମି ନଥିବ, ସେ ବ୍ୟକ୍ତିଙ୍କୁ “ଘରବାରିହୀନ ବ୍ୟକ୍ତି” ଭାବରେ ପରିଗଣିତ କରାଯିବାକୁ ସ୍ଥିର ହୋଇଛି ।
ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ଚାକିରି ନେଇ ନିୟମ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ୧୯୯୦-୨୦୨୦ ଭିତରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲେ ତାଙ୍କ ପରିବାର ସଦସ୍ୟଙ୍କୁ ବିପର୍ୟ୍ୟୟ ପ୍ରମାଣପତ୍ର ଆଧାରରେ ନିଯୁକ୍ତି ମିଳିବ। ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ, ବିପନ୍ନ ପରିବାରକୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ସିଭିଲ ସର୍ଭିସ (ଥଇଥାନ ସହାୟତା) ନିୟମ, ୧୯୯୦ ଅନୁଯାୟୀ, ପରିବାରର ଜଣେ ସଦସ୍ୟଙ୍କୁ ସରକାର, Group C କିମ୍ବା Group D ରେ ନିଯୁକ୍ତି ଦେଉଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିପର୍ୟ୍ୟୟ ପ୍ରମାଣପତ୍ର ଆଧାରରେ ଏଭଳି ନିଯୁକ୍ତି ଦିଆଯାଉଥିଲା। ୨୦୨୦ ମସିହାରେ ସରକାର ନୂତନ ନିୟମାବଳୀ ପ୍ରଣୟନ କରିଥିଲେ ଏବଂ ବିପର୍ୟ୍ୟୟ ପ୍ରମାଣ ପତ୍ର ବଦଳରେ ମାର୍କିଂ ସିଷ୍ଟମ ଲଗାଇଥିଲେ। ଏଥି ନୂଆ ନିୟମାବଳୀରେ ଯେଉଁ ସରକାରୀ କର୍ମଚାରୀ ୧୯୯୦ ରୁ ୨୦୨୦ ମସିହା ଭିତରେ ମୃତ୍ୟୁ ବରଣ କରିଥିଲେ ସେମାନଙ୍କ ପରିବାର ବର୍ଗଙ୍କୁ ମଧ୍ୟ ନୂଆ ପରିସରଭୁକ୍ତ କରାଯାଇଥିଲା। ଯାହାକୁ ସଂଶୋଧନ କରାଯାଇଛି।














