ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ସୋମବାର ପହଞ୍ଚିବା ପରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ କଣ୍ଟିଲୋରେ ପହଞ୍ଚି ନୀଳମାଧବ ମନ୍ଦିରରେ ପ୍ରଭୁ ଶ୍ରୀନୀଳମାଧବଙ୍କୁ ଦର୍ଶନ କରିଛନ୍ତି। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଡକ୍ଟର ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବାଚସ୍ପତି ସୁରମା ପାଢ଼ୀ ମଧ୍ୟ ନୀଳମାଧବଙ୍କୁ ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ଅପରାହ୍ନ ୩ଟା ୧୫ରେ ନୟାଗଡ ଜିଲ୍ଲାର କଣ୍ଟିଲୋରେ ଥିବା ପ୍ରସିଦ୍ଧ ନୀଳମାଧବ ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିରରେ ଶ୍ରୀନୀଳମାଧବଙ୍କୁ ଦର୍ଶନ ପରେ ଶବର ରାଜା ବିଶ୍ୱାବସୁଙ୍କ ଗ୍ରାମ କାଳିଆପଲ୍ଲୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଅଛି। କାଳିଆପଲ୍ଲୀରେ ସେ ଶବର ସମ୍ପ୍ରଦାୟଙ୍କର ମହାଯଜ୍ଞରେ ଯୋଗଦେଇ ସେଠାରେ ଶବର ରାଜା ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ନୀଳମାଧବଙ୍କ ଦର୍ଶନ ସାରି ରାଷ୍ଟ୍ରପତି ମୁର୍ମୁ କାଳିଆପଲ୍ଲୀଠାରେ ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସେ ପ୍ରଥମେ ବିଶ୍ବାବସୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମହାଯଜ୍ଞରେ ସାମିଲ ହୋଇଥିଲେ । ଏହାପରେ ବିଶ୍ବାବସୁ ଶବର ସମାଜ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମହାମହିମଙ୍କ ସହିତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବାଚସ୍ପତି, ସ୍ଥାନୀୟ ବିଧାୟକ ସାମିଲ୍ ଅଛନ୍ତି । ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ଫେରି ରାଜଭବନରେ ରାତ୍ରିଯାପନ କରିଛନ୍ତି। ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଆସନ୍ତାକାଲି (ମଙ୍ଗଳବାର) ସକାଳ ୯ଟାରେ ଦିଲ୍ଲୀ ଅଭିମୁଖେ ଫେରିଯିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ବର ବିମାନ ବନ୍ଦରରୁ ନୟାଗଡ଼ ଯାଏଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।














