ଜଟଣୀ: ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ପକ୍ଷରୁ ରେତଙ୍ଗ କଲୋନୀ ରେଲୱେ କଲ୍ୟାଣ ମଣ୍ଡପରେ ୬୯ତମ ରେଳ ସେବା ପୁରସ୍କାର-୨୦୨୪ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କର୍ମଚାରୀଙ୍କ ନିଷ୍ଠାପର ପ୍ରାୟାସ ଏବଂ କଠିନ ପରିଶ୍ରମକୁ ସମ୍ମାନିତ କରାଯାଇଛି। ଏହି ଉତ୍ସବରେ ମଣ୍ଡଳର ୫୬ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ଖୋର୍ଦ୍ଧାରୋଡ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ୍ ବାଜ୍ବା ସମ୍ମାନିତ କରିଥିଲେ। ପୁରସ୍କାର ବିଜେତମାନଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବତଟ ରେଲୱେ ମହିଳା ସଂଗଠନର ସଭାନେତ୍ରୀ ଗୁର୍ ସିମ୍ରନ୍ କୌର, ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍) ପି.କେ ବେହେରା ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ସା) ଶୁଭ୍ରଜ୍ୟୋତି ମଣ୍ଡଳ ଉପସ୍ଥିତ ଥିଲେ। ଏହି ଅବସରରେ ଏଚ୍ଏସ୍ ବାଜ୍ବା ନିଜ ଅଭିଭାଷଣରେ ସମସ୍ତ ପୁରସ୍କାର ବିଜେତାଙ୍କୁ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ପାଇଁ, ସେମାନଙ୍କ ଦୃଢ ପ୍ରତିବଦ୍ଧତା ଏବଂ ପ୍ରଗତିଶୀଳ ମନୋଭାବ ପାଇଁ ଅଭିନନ୍ଦନ ଜଣାଇଥିଲେ। ପୂର୍ବତଟ ରେଳବାଇ ଦ୍ବାରା ଆୟୋଜିତ ବିଶିଷ୍ଟ ରେଳ ସେବା ପୁରସ୍କାର-୨୪ରେ ଖୋର୍ଦ୍ଧାରୋଡ ଡିଭିଜନ, ୬ଟି ଦକ୍ଷତା ସିଲ୍ଡ ହାସଲ କରିଛି ବୋଲି ସେ କହିଛନ୍ତି।














