ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ: ଟେକାପଥର, ଟିୟର ଗ୍ୟାସ୍ ମାଡ଼, ଏକାଧିକ ଆହତ
ଭୁବନେଶ୍ବର: ରଣକ୍ଷେତ୍ର ପାଲଟିଲା ରାଜଧାନୀର ଗାନ୍ଧି ମାର୍ଗ । କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ଉଗ୍ରରୂପ ନେବାରୁ ଲୋୟର ପିଏମଜିରେ ସୃଷ୍ଟି ହୋଇଥିଲା ଖଣ୍ଡପ୍ରଳୟ । ନାରୀ ସୁରକ୍ଷା ପ୍ରସଙ୍ଗରେ ବିଧାନସଭା ଘେରାଉ ପାଇଁ ଯାଇଥିବା ଶତାଧିକ କଂଗ୍ରେସ କର୍ମୀ ହଠାତ ପୋଲିସର ପ୍ରଥମ ସୁରକ୍ଷା ବଳୟ ଭାଙ୍ଗି ବିଧାନସଭା ଅଭିମୁଖେ ବଢ଼ିଥିଲେ । ଏହାପରେ ପୋଲିସ କଂଗ୍ରେସ କର୍ମୀଙ୍କୁ ଅଟକାଇାବାକୁ ଉଦ୍ୟମ କରିଥିଲା । ତେବେ ଏତିକି ବେଳେ କଂଗ୍ରେସ କର୍ମୀ ମାନେ ପୋଲିସ ଉପରକୁ ଚେୟାର ମାଡ଼ କରିଥିଲେ । ଏହା ପରେ ପରେ ପୋଲିସ ଉପରକୁ ଟେକା ପଥର, ଅଣ୍ଡା, ଟମାଟୋ, ପାଣି ବୋତଲ ମାଡ଼ କରିଥିଲେ । ଯାହାଫଳରେ ପୋଲିସ୍ କଂଗ୍ରେସ କର୍ମୀଙ୍କ ଉପରେ ପାଣି ମାଡ଼ କରିଛି । କେବଳ ପାଣି ନୁହେଁ କଂଗ୍ରେସ କର୍ମୀଙ୍କୁ ନିୟନ୍ତ୍ରଣ ପାଇଁ ପୋଲିସ୍ ଟିୟର ଗ୍ୟାସ୍ ମଧ୍ୟ ପ୍ରୟୋଗ କରିଥିଲା। ଏହାପର ବି କଂଗ୍ରେସ କର୍ମୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଲାଠି ମାଡ଼ କରିଥିଲା । ଆନ୍ଦୋଳନକାରୀ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା ପୋଲିସ । ଶେଷରେ ପୋଲିସ ଆନ୍ଦୋଳନର ନେତୃତ୍ବ ନେଉଥିବା ପିସିସି ସଭାପତି ଭକ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି, ମହମ୍ମଦ ମୋକିମଙ୍କ ସମେତ ଅନ୍ୟ କିଛି ନେତାଙ୍କୁ ଆନ୍ଦୋଳନ ସ୍ଥଳରୁ ଉଠାଇ ନେଇଛି । ଗାନ୍ଧି ମାର୍ଗରେ ସ୍ଥିତି ନିୟନ୍ତ୍ରଣ ବେଳେ ୧୨ ପୋଲିସ ଆହତ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା। ସେହିପରି ସେ ଆହୁରି କହିଛନ୍ତି, ଆନ୍ଦୋଳନରତ କଂଗ୍ରେସ କର୍ମୀ ପୋଲିସ୍ ଗାଡ଼ି ପୋଡ଼ିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଡ୍ରାଇଭର ଏହାକୁ ପ୍ରତିହତ କରିଥିଲେ । ତେବେ ପୋଲିସ୍ ଗାଡ଼ି ପୋଡ଼ିବାକୁ କିଏ ଉଦ୍ୟମ କରିଥିଲେ ସେନେଇ ତଦନ୍ତ ହେବ ବୋଲି ଡିସିପି କହିଛନ୍ତି । ଏହାସହ ଆନ୍ଦୋଳନସ୍ଥଳର ସିସିଟିଭି ଯାଞ୍ଚ ଚାଲିଛି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଡିସିପି ଜଗମୋହନ ମୀନା ।
ଦିନ ଦଶଟା । ଭୁବନେଶ୍ୱରର ଲୋୟର ପିଏମଜି ଅଭିମୁଖେ ମାଡି ଚାଲିଲେ ହଜାର ହଜାର କଂଗ୍ରେସ କର୍ମୀ । ହାତରେ ଦଳୀୟ ପତାକା, ନାରୀ ନିର୍ଯାତନା ଓ ବିଜେପି ସରକାର ବିରୋଧୀ ପ୍ଲାକାର୍ଡ । ରାଜ୍ୟ ବିଜେପି ସରକାରଙ୍କ ଅଗଣତାନ୍ତ୍ରିକ ନିଷ୍ପତ୍ତି ଓ ନାରୀ ବିରୋଧୀ ଆଭିମୁଖ୍ୟ ବିରୋଧରେ ଗର୍ଜିଥିଲେ କଂଗ୍ରେସ ନେତା । ଶହ ଶହ ପୋଲିସ ବିଧାନସଭା ଚାରି ପଟେ ବ୍ୟାପକ ବ୍ୟାରିକେଡ ଲଗାଇ ଜଗି ରହିଥିଲେ । ହେଲେ ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନାରୀ ନିର୍ଯାତନା ବିରୋଧରେ ଭୀମ ଗର୍ଜନ କରି ଆଗେଇ ଚାଲିଥିଲେ କଂଗ୍ରେସ କର୍ମୀ। ଦିନ ପ୍ରାୟ ଗୋଟାଏ । କଂଗ୍ରେସ କର୍ମୀଙ୍କ ସାମାନ୍ୟ ଠେଲାପେଲା ପରେ ହଠାତ ଆଗ୍ରେସିଭ ହୋଇଥିଲା ପୋଲିସ । କଂଗ୍ରେସ କର୍ମୀଙ୍କ ଉପରେ ଲାଠିମାଡ଼ ଆରମ୍ଭ କରିଥିଲା ରକ୍ତମୁଖା ପୋଲିସ । ନିରୀହ କର୍ମୀଙ୍କ ଉପରେ ପୋଲିସର ବର୍ବର କାଣ୍ଡ ପରେ ଛିନଛତ୍ର ହୋଇଯାଇଥିଲେ କର୍ମୀ । ପୋଲିସର ଆକ୍ରମଣକୁ କାଉଣ୍ଟର କରି କ୍ରୋଧିତ ହଜାର ହଜାର କର୍ମୀ ସିନେମା ଷ୍ଟାଇଲରେ ଚେୟାର ଉଡାଇ ଉଡାଇ ବ୍ୟାରିକେଡ ଆଡ଼କୁ ମାଡି ଆସିଥିଲେ । ସ୍ଥିତି ଭୟଙ୍କର ରୁପ ନେଉଥିଲା । ଚେୟାର ପରେ ପରେ ଟେକା, ପଥର ଓ କାଚ ମାଡ଼ ଆରମ୍ଭ ହୋଇଥିଲା । ଏପରିକି ଅଣ୍ଡା ମାଡ଼ ବି ହୋଇଥିଲା । ପୋଲିସ ଆହୁରି ପ୍ରତିକ୍ରିୟାଶୀଳ ହୋଇ ପାଣି ମାଡ଼ କରିବା ପରେ ତଳେ ପଡିଯାଇଥିଲେ ନେତା ଓ କର୍ମୀ । କେବଳ ଏତିକି ନୁହେଁ ପୋଲିସ ପ୍ରୟୋଗ କରିଥିଲା ଲୁହ ବୁହା ଗ୍ୟାସ ଓ ରବର ଗୁଳି । ପୋଲିସ ଆକ୍ରମଣରେ ବହୁ କର୍ମୀ ଓ କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବା ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ପୋଲିସକୁ ଗୁଣ୍ଡା ସଜାଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏହା ସରକାରଙ୍କ ବଡ଼ ଷଡ଼ଯନ୍ତ୍ର ବୋଲି ଦଳ ଅଭିଯୋଗ କରିଛି । ଆଗକୁ କଂଗ୍ରେସ ଏହାର ଜବାବ ଦେବ ବୋଲି ଚେତାଇ ଦିଆଯାଇଛି ।
ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପିସିସି ସଭାପତିଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା, ଯୁବ, ଛାତ୍ର, ମହିଳ ନେତ୍ରୀ ଧାରଣାରେ ବସିଥିଲେ । କିନ୍ତୁ ପୋଲିସ ସେମାନଙ୍କୁ ମଧ୍ୟ ବସିବାକୁ ଦେଇ ନଥିଲା । ବରିଷ୍ଠ କଂଗ୍ରେସ ନେତାଙ୍କଠାରୁ ଆରମ୍ଭ କରି ମହିଳା ନେତ୍ରୀଙ୍କୁ ଟେକି ନେଇ ଗିରଫ କରିଥିଲା । ଜବରଦସ୍ତ ଉଠାଇବା ଆଳରେ ପୋଲିସ ସେମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଦିନ ପ୍ରାୟ ଗୋଟାଏ ୪୫ରେ ପିସିସି ସଭାପତି ଭକ୍ତ ଦାସ ଏବଂ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ପୋଲିସ ଗିରଫ କରିଛି । ଏହାସହ ତାରାପ୍ରସାଦ ବାହିନୀପତିଙ୍କ ସମେତ ଦଳର ପ୍ରମୁଖ ନେତାଙ୍କୁ ପୋଲିସ ଉଠାଇ ନେଇଛି । ସେହିପରି ଆହତ ପୋଲିସ କର୍ମୀଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଛି । ଗିରଫଦାରୀକୁ ନେଇ ଭକ୍ତ କହିଛନ୍ତି, ଗିରଫକୁ ଭୟ ନାହିଁ । ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଭକ୍ତ କହିଛନ୍ତି । ବିଧାନସଭାରେ ନାରୀ ନିର୍ଯାତନା ପ୍ରସଙ୍ଗରେ ନ୍ୟାୟ ମାଗୁଥିବା କଂଗ୍ରେସ ନେତା ଓ ନେତ୍ରୀଙ୍କୁ ଖୋଦ ପୋଲିସ ମାଡ଼ ମାରିବା ସହ ଅସଦାଚରଣ କରିବା ସରକାରଙ୍କ ଆଭିମୁଖ୍ୟକୁ ପ୍ରକାଶ କରିଛି । ରାଜ୍ୟରେ ବର୍ଦ୍ଧିତ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାନସଭା ଓ ରାଜରାସ୍ତାରେ ଆକ୍ରମଣତ୍ମକ ଆଭିମୁଖ୍ୟ ଆପଣାଇଛି । ଆଜିର ଆନ୍ଦୋଳନ ଦଳର କମବ୍ୟାକ ପ୍ଲାନ ନୁହେଁ ତ ବୋଲି ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷରେ ଭୁବନେଶ୍ବର ଡିସିପି କହିଛନ୍ତି, କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆନ୍ଦୋଳନକାରୀ ଏକ ଗାଡିରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ । ତେବେ ଡ୍ରାଇଭର ସଜାଗ ଥିବାରୁ ଏକ ବଡ଼ ଧରଣର ବିପଦକୁ ରୋକାଯାଇପାରିଲା ।