ଭୁବନେଶ୍ୱର : ମାର୍ଚ୍ଚ ୧୯ ତାରିଖରୁ ୧୦ ଦିନିଆ ଶୈକ୍ଷିକ କାର୍ଯ୍ୟକ୍ରମରେ କିଟ୍ ଓ କିସ୍କୁ ଆସିଥିବା ୱାଶିଂଟନ୍ ବିଶ୍ୱବିଦ୍ୟାଳୟ-ବୋଥେଲର ୧୮ ଜଣିଆ ପ୍ରତିନିଧିମଣ୍ଡଳ କିଟ୍ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରକଳ୍ପରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଇତି ମଧ୍ୟରେ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ-ବୋଥେଲ ଓ କିଟ୍ ମ୍ୟାନେଜମେଣ୍ଟ ସ୍କୁଲ୍ର ଛାତ୍ରଛାତ୍ରୀମାନେ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଏକ ପ୍ରକଳ୍ପ ଉପରେ ଆଲୋଚନା କରିଛନ୍ତି। ଏହି ଉଦ୍ୟୋଗୀଙ୍କ ବ୍ୟବସାୟିକ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ସେମାନେ ଆଲୋଚନା କରିଥିଲେ।
ତଥ୍ୟ-ସମର୍ଥିତ ସୁପାରିଶ ଓ ବିଶ୍ୱବ୍ୟାପୀ ସେଗୁଡ଼ିକର ଅନୁଶୀଳନଠାରୁ ବ୍ୟବସାୟୀମାନେ କିଭଳି ଉପକୃତ ହୋଇପାରିବେ ତାହା ସୁନିଶ୍ଚିତ କରିବା ପାଇଁ ଉଭୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ କାର୍ଯ୍ୟ ଆରମ୍ଭ କରିଛନ୍ତି। ଫଳରେ ଏହା ଦ୍ୱାରା ସମସ୍ତ ହିତାଧିକାରୀ ଉପକୃତ ହୋଇପାରିବେ। ଏହା ସହିତ ସ୍ଥାନୀୟ ତଥ୍ୟ ଜରିଆରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରାସଙ୍ଗିକ ସମସ୍ୟାର ସମାଧାନ କ୍ଷମତାକୁ ଆହୁରି ବୃଦ୍ଧି କରିପାରିବେ। ଏହା ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ପାରମ୍ପରିକ ବିନିମୟ କାର୍ଯ୍ୟକ୍ରମ ଧାରଣାରୁ ଆଗକୁ ବଢ଼ିବା ଏବଂ ବାସ୍ତବ-ବିଶ୍ୱ ସମସ୍ୟା ସମାଧାନକୁ ପ୍ରାଥମିକତା ଦେଉଥିବା ସହଯୋଗୀ ଶିକ୍ଷାଦାନ ମଡେଲଗୁଡ଼ିକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥାଏ।
ଏହି ସହଯୋଗିତାକୁ ପ୍ରଶଂସା କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶିକ୍ଷାର ଅନ୍ତର୍ଜାତୀୟକରଣ ପ୍ରତି କିଟ୍ ବିଶ୍ୱବିଦ୍ୟାଳୟର ଦୃଷ୍ଟିକୋଣକୁ ମଧ୍ୟ ପ୍ରଦର୍ଶିତ କରେ ବୋଲି କହିଛନ୍ତି । କିଟ୍ ଓ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ-ବୋଥେଲ ମଧ୍ୟରେ ଏହି ସହଭାଗିତାର ସଫଳତା ବିଶ୍ୱର ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ଏକ ଉଦାହରଣ ଭାବେ ନିଆଯାଇପାରେ ବୋଲି ସେ କହିଛନ୍ତି।














