ଭୁବନେଶ୍ୱର: ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଇଂଲଣ୍ଡର ଖ୍ୟାତି ସମ୍ପନ୍ନ ବକିଙ୍ଗହାମ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ଗୁରୁବାର ବକିଙ୍ଗହାମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୬୫ତମ ସମ୍ମାନସୂଚକ ଡକ୍ଟରେଟ୍ । ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ସମ୍ମାନ ଗ୍ରହଣ କରି ଶ୍ରୀ ସାମନ୍ତ କହିଛନ୍ତି, ବିଗତ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ମୁଁ ନିରନ୍ତର ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କାମ କରିଆସୁଛି। ଏହି ସମ୍ମାନ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କାମ କରିବାକୁ ଆହୁରି ପ୍ରେରଣା ଯୋଗାଇବ ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଏହା ପୂର୍ବରୁ ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଶ୍ୱର ବିଭିନ୍ନ ଦେଶର ବହୁ ସମ୍ମାନଜନକ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡ଼ିଗ୍ରୀ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ବକିଙ୍ଗହାମ୍ ବିଶ୍ୱବିଦ୍ୟାଳୟ ଲଂଲଣ୍ଡର ଅନ୍ୟତମ ପୁରାତନ ଓ ମର୍ଯ୍ୟାଦାଜନକ ବିଶ୍ୱବିଦ୍ୟାଳୟ ଭାବେ ଖ୍ୟାତି ଅର୍ଜନ କରିଛି। ସମ୍ମାନସୂଚକ ଡକ୍ଟୋରେଟ୍ ପାଇଁ ମନୋନୟନ ପୂର୍ବରୁ ଶିକ୍ଷା ଜରିଆରେ ସମାଜସେବା କରୁଥିବା ଅଚ୍ୟୁତ ସାମନ୍ତଙ୍କ ବିଷୟରେ ଜାଣି ବିଶ୍ୱବିଦ୍ୟାଳୟ ସିନେଟ୍ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବକିଙ୍ଗହାମ୍ ବିଶ୍ୱବିଦ୍ୟାଳୟର କୁଳାଧିପତି ଡେମ୍ ମାରୀ ଆର୍ଚର, କୁଳପତି ପ୍ରଫେସର ଜେମ୍ସ ଟୁଲେ, ଉପକୁଳପତି ପ୍ରଫେସର ହାରିଏଟ୍ ଡନବାର ମୋରିସ୍ଙ୍କ ସମେତ ସିନେଟ୍ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।